ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ନିଷ୍ପତ୍ତି, ଟିଏସ ସିଂହଦେଓ ହେଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ନୂଆ ଦାୟିତ୍ୱ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରାଜ୍ୟରେ ସିଏମ ବାଘେଲଙ୍କୁ ‘କାକା’ ଏବଂ ଟିଏସ୍ ସିଂହଦେଓଙ୍କୁ ‘ବାବା’ କୁହାଯାଏ । ଛତିଶଗଡ଼କୁ ନେଇ ବୁଧବାର ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କ ଏକ ବୈଠକ ବସିଥିଲା। ଏହାପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ଟିଏସ୍ ସିଂହଦେଓ ପହଞ୍ଚିଥିଲେ। ଏହି ନିଯୁକ୍ତି ସହ ଛତିଶଗଡ଼ରେ କଂଗ୍ରେସ ବିବାଦର ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ।

୨୦୧୮ ବିଧାନସଭା ନିର୍ବାଚନରେ ଭୂପେଶ ବାଘେଲ ଓ ଟିଏସ୍ ସିଂହଦେଓଙ୍କ ଯୋଡ଼ି କଂଗ୍ରେସକୁ କ୍ଷମତାକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଟ୍ୱିଟ୍ କରି କହିଛନ୍ତି, “ଆମେ ପ୍ରସ୍ତୁତ। ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ପାଇଁ ମହାରାଜ ସାହେବଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ।“

କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଟ୍ୱିଟ୍ କରି କହିଛନ୍ତି, “କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଛତିଶଗଡ଼ର ଡେପୁଟି ସିଏମ୍ ଭାବେ ଟିଏସ୍ ସିଂହଦେଓଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ସେ ଜଣେ ବିଶ୍ୱସ୍ତ କଂଗ୍ରେସ ନେତା ଏବଂ ଜଣେ ଦକ୍ଷ ପ୍ରଶାସକ । ଡେପୁଟି ସିଏମ ଭାବରେ ତାଙ୍କର ସେବା ରାଜ୍ୟକୁ ବହୁତ ଉପକୃତ କରିବ । ଖଡଗେଜୀ ଏବଂ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଛତିଶଗଡ଼ବାସୀ ବିପୁଳ ସଂଖ୍ୟାଗରିଷ୍ଠତା ସହ କଂଗ୍ରେସକୁ ପୁନର୍ବାର ନିର୍ବାଚିତ କରିବେ ବୋଲି ଆମେ ବିଶ୍ୱାସ କରୁଛୁ।“

ସମ୍ବନ୍ଧିତ ଖବର