ଦିଲ୍ଲୀ ହାଇକୋର୍ଟରେ ଟ୍ବିଟର୍‌ର ଶପଥ ପାଠ, ଭାରତରେ ଶୀଘ୍ର ଅଧିକାରୀ ନିଯୁକ୍ତ ହେବେ

ନୂଆଦିଲ୍ଲୀ : ଭାରତରେ ଶୀଘ୍ର ଅନ୍ତରୀଣ ଅଭିଯୋଗ ସମାଧାନ ଅଧିକାରୀ ନିଯୁକ୍ତ ହେବେ। ଟ୍ବିଟର ଇଣ୍ଡିଆ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଆଜି ଏହି ସୂଚନା ଦିଆଯାଇଛି। ସେହି ସମୟ ପର୍ଯ୍ୟନ୍ତ ଅନ୍ୟ ଅଧିକାରୀମାନଙ୍କ ଦ୍ବାରା ଅଭିଯୋଗ ଶୁଣାଣିର ସମାଧାନ କରାଯାଉଛି। ସୋସିଆଲ ମିଡିଆ କମ୍ପାନି ପକ୍ଷରୁ ଟ୍ବିଟ୍ ବିରୋଧରେ କରାଯାଇଥିବା ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ସଂକ୍ରାନ୍ତ ଏକ ମାମଲାରେ ଟ୍ବିଟର ଏଭଳି ଉତ୍ତର ଦେଇଛି। କମ୍ପାନି ପକ୍ଷରୁ ଏ ନେଇ ଦିଲ୍ଲୀ ହାଇକୋର୍ଟରେ ଶପଥ ପାଠ ଦାଖଲ ହୋଇଛି।

ଏଥିରେ କୁହାଯାଇଛି ଯେ, ନୂଆ ଆଇଟି ନିୟମ ଅନୁଯାୟୀ ଅନ୍ତରୀଣ ଅଭିଯୋଗ ଶୁଣାଣି ଅଧିକାରୀ ଭାରତରେ ନିଯୁକ୍ତ କରାଯାଇଥିଲା। କିନ୍ତୁ କିଛିଦିନ କାମ କରିବା ‌ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କସ୍ଥାନରେ ଅନ୍ୟ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ବିଟରର ବରିଷ୍ଠ ଆଇନଜୀବୀ ତଥା ନିର୍ଦ୍ଦେଶକ ମିକା ଏଲ୍‌ ରୁବୋଙ୍କ ଦ୍ବାରା ଦାଖଲ ଶପଥ ପାଠରେ ଏହା କୁହାଯାଇଛି। ତେବେ ଭାରତୀୟ ଅଭିଯୋଗ ସମାଧାନ ଅଧିକାରୀ ଇସ୍ତଫା ଦେବା ପରେ ଏବେ ଟ୍ବିଟରର ଗ୍ଲୋବାଲ ଲିଗାଲ ପଲିସି ନିର୍ଦ୍ଦେଶକ ଜେରେମି କେସେଲ୍‌ ଏଥିପାଇଁ କାର୍ଯ୍ୟ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଦେଶରେ ନୂଆ ଆଇଟି ଆଇନ କାର୍ଯ୍ୟକାରୀ ହେବା ପରେ ଟ୍ବିଟର ବିରୋଧରେ ବର୍ତ୍ତମାନ ସୁଦ୍ଧା ୪ଟି ମାମଲା ରୁଜୁ ହୋଇଛି। ଏଥିରୁ ଦୁଇଟି ଉତ୍ତର ପ୍ରଦେଶରେ, ଗୋଟିଏ ମଧ୍ୟପ୍ରଦେଶରେ ଏବଂ ଗୋଟିଏ ଦିଲ୍ଲୀରେ ହୋଇଛି।

ସମ୍ବନ୍ଧିତ ଖବର