ବିଜେପି ଆଉ ଜଣେ ଠାକରେଙ୍କୁ ଚୋରି କରିବାକୁ ଚେଷ୍ଟା କରୁଛି : ରାଜ ଠାକରେ-ଅମିତ ଶାହା ସାକ୍ଷାତକୁ ନେଇ ଉଦ୍ଧବଙ୍କ କଟାକ୍ଷ

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ସୋମବାର ମୁମ୍ବାଇରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠିଛି । କୁହାଯାଉଛି ଯେ ଏମଏନଏସ ଏନଡିଏ ସହିତ ମେଣ୍ଟ କରିପାରେ । ସେପଟେ ଏହି ସାକ୍ଷାତକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ଶିବସେନା ନେତା ଉଦ୍ଧବ ଠାକରେ । ସେ ମଙ୍ଗଳବାର (ମାର୍ଚ୍ଚ ୧୯) ଅଭିଯୋଗ କରିଛନ୍ତି ଯେ ବିଜେପି ନିର୍ବାଚନ ଜିତିବା ପାଇଁ  ଆଉ ଜଣେ ‘ଠାକରେ’ଙ୍କୁ ଚୋରି କରିବାକୁ ଚେଷ୍ଟା କରୁଛି। ପ୍ରଥମେ ସେମାନେ (ବିଜେପି) ବାଲ ଠାକରେଙ୍କ ଫଟୋ ଚୋରି କରିଥିଲେ, କିନ୍ତୁ କିଛି ଫରକ ପଡ଼ିଲା ନାହିଁ। ଆଜି ସେମାନେ ଆଉ ଜଣେ ଠାକରେଙ୍କୁ ଚୋରି କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେମାନେ ରାଜଙ୍କୁ ନେଇ ଯାଆନ୍ତୁ । ମୋ ପାଇଁ କିଛି ଫରକ ପଡିବ ନାହିଁ ।

ନାନ୍ଦେଡ ଜିଲ୍ଲାରେ ଏକ ସମାବେଶକୁ ସମ୍ବୋଧିତ କରି ଠାକରେ ଏହା ମଧ୍ୟ କହିଛନ୍ତି ଯେ ଯଦି ବିଜେପି ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଚୋରେଇ ନିଏ ତ ତାଙ୍କର କୌଣସି ଅସୁବିଧା ନାହିଁ।

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ଭୋଟ୍ ମିଳୁନାହିଁ ବୋଲି ବିଜେପି ଭଲ ଭାବେ ଜାଣିଛି। ଏଠାକାର ଲୋକମାନେ ବାଲ ଠାକରେଙ୍କ ନାମରେ ଭୋଟ୍ ଦିଅନ୍ତି। ଏହି ଅନୁଭବ ଯୋଗୁଁ ବିଜେପି ବାହାରୁ ନେତା ଚୋରି କରିବାକୁ ଚେଷ୍ଟା କରୁଛି । ବିଜେପି ବାଲ ଠାକରେଙ୍କ ପରମ୍ପରାକୁ ଅପହରଣ କରିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର