ସେନା ହଟାଉଛି ରୁଷ୍‌, ୟୁକ୍ରେନ୍‌ ସଙ୍କଟର କୂଟନୈତିକ ସମାଧାନ ପାଇଁ ପ୍ରୟାସ

ଜର୍ମାନ ଚା‌ନ୍ସେଲରଙ୍କ ସହ ଆଲୋଚନା, ଉପଗ୍ରହ ଛବିରେ ରୁଷ୍‌ର ବିଶାଳ ପ୍ରସ୍ତୁତି

ନୂଆଦିଲ୍ଲୀ : ୟୁ‌କ୍ରେନ୍‌ ଉପରେ ଋଷ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି। କିନ୍ତୁ ଆକ୍ରମଣ ଯୋଜନାକୁ ରୁଷ୍‌ ପ୍ରତ୍ୟାଖ୍ୟାନ କରିଛି। ଆଜି ୟୁକ୍ରେନ୍‌ ସୀମାରୁ ରୁଷ୍‌ କିଛି ସୈନ୍ୟ ପ୍ରତ୍ୟାହାର କରି ୟୁକ୍ରେନ୍‌ ସଙ୍କଟର ଏକ କୂଟନୈତିକ ସମାଧାନ ପାଇଁ ବାଟ ଫିଟାଇବାକୁ ପ୍ରୟାସ କରିଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ଯୁଦ୍ଧ ଆଶଙ୍କାକୁ ଅସ୍ବୀକାର କରିଛନ୍ତି। ମସ୍କୋରେ ମଙ୍ଗଳବାର ଦିନ ଜର୍ମାନ ଚାନ୍ସେଲର ଓଲାଫ୍‌ ସ୍କୋଲ୍‌ଜଙ୍କ ସହ ୟୁକ୍ରେନ ସଙ୍କଟ ସଂକ୍ରାନ୍ତରେ କଥାବାର୍ତ୍ତା କରି ପୁଟିନ କହିଛନ୍ତି, ପାଶ୍ଚାତ୍ୟ ରାଷ୍ଟ୍ର ସହ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ଜାରି ରଖିବାକୁ ଆମେ ପ୍ରସ୍ତୁତ ଅଛୁ। ଆମେରିକା ଏବଂ ନାଟୋ ସହ ଆସ୍ଥା ସୃଷ୍ଟିକାରୀ ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା ପାଇଁ ରୁଷ୍‌ ପ୍ରସ୍ତୁତ ଅଛି ବୋଲି ପୁଟିନ କହିଛନ୍ତି।

ଅନ୍ୟପକ୍ଷେ ନାଟୋ ମହାସଚିବ ଜେନେରାଲ୍‌ ଜେନ୍‌ସ ଷ୍ଟୋଲେନବର୍ଗ ରୁଷ୍‌ର ଏହି ପଦକ୍ଷେପକୁ ସକାରାତ୍ମକ ଢଙ୍ଗରେ ଗ୍ରହଣ କରିନାହାନ୍ତି। ୟୁକ୍ରେନ ସଙ୍କଟର ସମାଧାନ ପାଇଁ ରୁଷ୍‌ କୂଟନୈତିକ ପ୍ରକ୍ରିୟା ଆରମ୍ଭ କରିଛି। ଏହା ଏକ ସକାରାତ୍ମକ ସୂଚନା ପ୍ରଦାନ କରୁଛି। କିନ୍ତୁ ଏଯାବତ ସୀମାରେ ଊତ୍ତେଜନା ହ୍ରାସ ପାଇଁ ଋଷ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ହୋଇଥିବା ଆମେ ଦେଖିପାରୁନୁ ବୋଲି ନାଟୋ କହିଛି। ପୁଟିନ କହିଛନ୍ତି, ଆମେ ଯୁଦ୍ଧ ଚାହୁନା। କଥାବାର୍ତ୍ତା ମାଧ୍ୟମରେ ଆମେ ସମାଧାନ ଚାହୁ। ଜର୍ମାନ ଚାନ୍ସେଲର ଆଜି ପୁଟିନଙ୍କ ସହ କଥା ହେବାପରେ କହିଛନ୍ତି, ସୁରକ୍ଷା କେବଳ ରୁଷ୍‌ ସହ ରହି ହିଁ ହାସଲ କରିହେବ, ରୁଷ୍‌ ବିରୋଧରେ ଯାଇ ହାସଲ କରିହେବନି।

ତେବେ ଏକ ନୂଆ‌ ଉପଗ୍ରହ ଛବିରେ ଯାହା ଦେଖିବାକୁ ମିଳିଛି ସେଥିରୁ ସ୍ପଷ୍ଟ ହୋଇଯାଉଛି ଯେ, ରୁଷ୍‌ ଯୁଦ୍ଧ ପାଇଁ ବିଶାଳ ପ୍ରସ୍ତୁତି କରିଛି। ଗତ ୪୮ ଘଣ୍ଟା ମଧ୍ୟରେ ରୁଷ ୟୁକ୍ରେନ୍‌ ସୀମା ନିକଟ‌ରେ ସୈନ୍ୟ ସଂଖ୍ୟା ବଢ଼ାଇଛି। ଫେବ୍ରୁଆରି ୧୩ରେ ସଂଗ୍ରହ ହୋଇଥିବା ଉପଗ୍ରହ ଛବିରୁ ‌ଦେଖିବାକୁ ମିଳିଛି ଯେ ଗତ ୪୮ ଘଣ୍ଟା ମଧ୍ୟରେ ରୁଷ୍‌ର ବିଶାଳ ସୈନ୍ୟବାହିନୀ ବେଲାରୁସ୍‌, କ୍ରିମିଆ ଏବଂ ପଶ୍ଚିମ ରୁଷ୍‌ରେ ମୁତୟନ ହୋଇଛନ୍ତି ଏବଂ ଏଥିସହ ଆଗୁଆ ଘାଟିରେ ଲଢ଼ୁ୍ଆ ‌ହେଲିକପ୍ଟର ମୁତୟନ ହୋଇଛି। ରୁଷ୍‌ ପ୍ରିମୋରସ୍କୋ- ଅଖତରସ୍କ ସେନାଘାଟିରେ ଏସ୍‌ୟୁ-୩୪ ବୋମାବର୍ଷୀ ବିମାନ ମୁତୟନ କରିଛି। ୟୁକ୍ରେନ୍‌ର ସମ୍ବେଦନଶୀଳ ସୀମାନ୍ତ ସହ ମାରିୟୁପୋଲ୍‌ଠାରୁ ଏହା ମାତ୍ର ୭୫ ମାଇଲି ଦୂର। ରୁଷ୍‌ ଭୂପୃଷ୍ଠରେ ଆକ୍ରମଣ କ୍ଷମତା ରଖୁଥିବା ବିମାନ ଏବଂ ଲଢ଼ୁଆ ବୋମାବର୍ଷୀ ବିମାନ ଗୁଡ଼ିକୁ ଆଗୁଆ ଅଞ୍ଚଳରେ ମୁତୟନ କରିଛି। ଉତ୍ତର ଏବଂ ଉତ୍ତରପୂର୍ବ ୟୁକ୍ରେନ୍‌ରେ ସୈନ୍ୟ ମୁତୟନ ବଢ଼ାଇଛି। ପ୍ରାୟ ୬୫ଟି ହେଲିକପ୍ଟର ଏବଂ ଲଢ଼ୁଆ ହେଲିକପ୍ଟର ମୁତୟନ କରିଛି। ରୁଷ୍‌ର ଏମ୍‌ଆଇ-୨୮ ଏନ୍‌ ଏବଂ କେଏ-୫୨ ଲଢ଼ୁଆ ହେଲିକପ୍ଟର ସମେତ ଅନ୍ୟାନ୍ୟ ହେଲିକପ୍ଟର ଗୁଡ଼ିକ ମୁତୟନ ହୋଇଛି।

ୟୁକ୍ରେନ୍‌ ଛାଡ଼ିବାକୁ ନାଗରିକଙ୍କୁ ପରାମର୍ଶ ଦେଲା ଭାରତ
ନୂଆଦିଲ୍ଲୀ : ୟୁକ୍ରେନ୍‌ରେ ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଭାରତ ୟୁକ୍ରେନ୍‌ରେ ଥିବା ଏହାର ନାଗରିକ ଏବଂ ଛାତ୍ରଛାତ୍ରୀଙ୍କୁ ଅସ୍ଥାୟୀ ଭାବେ ୟୁକ୍ରେନ୍‌ ଛାଡ଼ିଦେବା ପାଇଁ ପରାମର୍ଶ ଦେଇଛି। ଅତ୍ୟାବଶ୍ୟକ ନଥିଲେ ଏହି ରାଷ୍ଟ୍ରକୁ ନଯିବା ପାଇଁ ମଧ୍ୟ ଭାରତ ନିର୍ଦ୍ଦେଶ ଦେଇଛି। ୟୁକ୍ରେନ୍‌ରେ ଏବେ ୨୦ ହଜାରରୁ ଅଧିକ ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ହଜାର ଛାତ୍ରଛାତ୍ରୀ ଅଛନ୍ତି। କିଛି ଛାତ୍ରଛାତ୍ରୀ ୟୁକ୍ରେନ୍‌ ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି। କିବ୍‌ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ ଆଜି ଏକ ବିବୃତି ଜାରି ହୋଇଛି। ଅସ୍ଥାୟୀ ଭାବେ ଭାରତୀୟ ନାଗରିକ ୟୁକ୍ରେନ୍‌ ଛାଡ଼ିବାପାଇଁ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଭାରତୀୟ ନାଗରିକମା‌ନେ ୟୁକ୍ରେନ୍‌‌ରେ ସେମାନଙ୍କ ବର୍ତ୍ତମାନର ସ୍ଥିତି ସଂକ୍ରାନ୍ତରେ ଦୂତାବାସଙ୍କୁ ଅବଗତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଆବଶ୍ୟକ ପଡ଼ି‌ଲେ ଦୂତାବାସର ସହଯୋଗ ନେବାକୁ ପରାମର୍ଶ ରହିଛି। ଭାରତ ଏଯାବତ ରୁଷ୍‌-ୟୁକ୍ରେନ୍‌ ସଙ୍କଟ ସଂକ୍ରାନ୍ତରେ କୌଣସି ମନ୍ତବ୍ୟ ରଖିନି କି ଆମେରିକା ପରି ସମାଲୋଚନା କରିନି। ମସ୍କୋ ସହ ଭାରତର ଭଲ ରଣନୈତିକ ସମ୍ପର୍କ ପାଇଁ ଭାରତ ଉକ୍ତ ପ୍ରସଙ୍ଗରେ ନିରବ ରହିଛି।

ସମ୍ବନ୍ଧିତ ଖବର