ଭାରତରେ ସିଏଏ କାର୍ଯ୍ୟକାରିତା ଉପରେ ଆମେରିକାର ତୀକ୍ଷ୍ଣ ନଜର: ଆମେରିକାର ମନ୍ତବ୍ୟକୁ ନେଇ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଗୁରୁବାର ପ୍ରକାଶିତ ଏକ ବିବୃତିରେ ଆମେରିକା ଭାରତରେ ନାଗରିକତା ସଂଶୋଧନ ଆଇନର ବିଜ୍ଞପ୍ତିକୁ ନେଇ ଚିନ୍ତା ପ୍ରକଟ କରିବା ସହ ବିବାଦୀୟ ଆଇନର କାର୍ଯ୍ୟକାରିତା ଉପରେ ତୀକ୍ଷ୍ଣ ନଜର ରଖିଛି ବୋଲି କହିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, ମାର୍ଚ୍ଚ ୧୧ରେ ନାଗରିକତା ସଂଶୋଧନ ଆଇନର ବିଜ୍ଞପ୍ତିକୁ ନେଇ ଆମେ ଚିନ୍ତିତ। ଧାର୍ମିକ ସ୍ୱାଧୀନତା ପ୍ରତି ସମ୍ମାନ ଏବଂ ସମସ୍ତ ସମ୍ପ୍ରଦାୟ ପାଇଁ ଆଇନ ଅନୁଯାୟୀ ସମାନ ବ୍ୟବହାର ହେଉଛି ମୌଳିକ ଗଣତାନ୍ତ୍ରିକ ନୀତି ବୋଲି ମିଲର କହିଛନ୍ତି। ହିନ୍ଦୁ ଆମେରିକୀୟ ଗୋଷ୍ଠୀ ସିଏଏ ଲାଗୁକୁ ସ୍ୱାଗତ କରୁଥିବା ବେଳେ ବାଇଡେନ ପ୍ରଶାସନର ଏହି ବୟାନ ଆସିଛି। ଆମେରିକାର ଏଭଳି ବୟାନକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଛି। ଆମେରିକ ଭୁଲ୍‌ ତଥ୍ୟ ଓ ବିଭ୍ରାନ୍ତିକୁ ନେଇ ଅଯଥା ବୟାନ ଦେଉଛି ବୋଲି ଭାରତ କହିଛି। ଯେଉଁମାନେ ଭାରତର ବହୁବାଦୀ ପରମ୍ପରା ଏବଂ ବିଭାଜନ ପରବର୍ତ୍ତୀ ଇତିହାସ ବିଷୟରେ ଅଜ୍ଞ ସେମାନେ ଅଯଥା ମନ୍ତବ୍ୟ ଦେବା ଉଚିତ ନୁହେଁ। ବରଂ ଯେଉଁ ଉଦ୍ଦେଶ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି ତାହାକୁ ଭାରତର ସହଯୋଗୀ ଓ ଶୁଭେଚ୍ଛୁମାନେ ସ୍ୱାଗତ କରିବା ଉଚିତ ବୋଲି ରଣଧୀର କହିଛନ୍ତି। ସିଏଏକୁ ନେଇ ପାକିସ୍ତାନ ଆପତ୍ତି ଉଠାଇବା ସହ ଏହି ଆଇନକୁ ଭେଦଭାବପୂର୍ଣ୍ଣ ବୋଲି ଦାବି କରିଛି। ମୁସଲମାନ ଦେଶଗୁଡ଼ିକରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରାଯାଉଛି ଏବଂ ଭାରତ ସଂଖ୍ୟାଲଘୁଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ବୋଲି ମିଥ୍ୟା ଧାରଣା ଉପରେ ଏହି ଆଇନ ଆଧାରିତ ବୋଲି ପାକିସ୍ତାନ ଅଭିଯୋଗ କରିଛି। ତେବେ ସିଏଏକୁ କାର୍ଯ୍ୟକାରୀ କରିବା ନେଇ ଆମେରିକୀୟ ବୈଦେଶିକ ବିଭାଗର ବୟାନ ଓ ଅନ୍ୟ କେତେକଙ୍କ ମନ୍ତବ୍ୟ ଭୁଲ, ଭୁଲ୍ ସୂଚନା ଉପରେ ଆଧାରିତ ଓ ଅଯଥା ବୋଲି ଭାରତ କହିଛି।

ସମ୍ବନ୍ଧିତ ଖବର