ଚୀନ୍‌ର ଗୁଇନ୍ଦା ବେଲୁନ୍‌କୁ ଆମେରିକା ଖସାଇବା ପରେ ବି ଦୁଇ ଦେଶ ମଧ୍ୟରେ ସଂପର୍କ ଦୁର୍ବଳ ହୋଇନି ବୋଲି କହିଲେ ବାଇଡେନ୍‌

ୱାସିଂଟନ୍‌:  ଆମେରିକାର ସମ୍ବେଦନଶୀଳ ଅଂଚଳରେ ଉଡ଼ୁଥିବା ଚୀନ୍‌ର ଗୁଇନ୍ଦା ବେଲୁନ୍‌ (ଏୟାର୍‌ସିପ୍‌)କୁ ଆମେରିକା ବାୟୁସେନା କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦେବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ଦେଖା ଦେଇଛି। ଏ ନେଇ ଆମେରିକା ସୂଚନା ଦେଇ କହିଛି ଯେ ଗୁଇନ୍ଦା ବେଲୁନ୍‌ର ଧ୍ବଂସାବଶେଷର ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ମିଳିବା ପରେ ଏହାକୁ ବେଜିଂ ପଠାଇବାର କୌଣସି ଯୋଜନା ନାହିଁ ବୋଲି ସୋମବାର ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।

ଚୀନ୍‌ର ଗୁଇନ୍ଦା ବେଲୁନ୍‌କୁ ଆମେରିକା କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦେବାର ଦୁଇ ଦିନ ପରେ  ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ପ୍ରବକ୍ତା ଜନ୍‌ କିର୍ବି ଗଣମାଧ୍ୟମରେ ନିଜର ମତ ରଖି କହିଛନ୍ତ ଯେ ସେମାନେ ସମୁଦ୍ରରୁ କିଛି ଧ୍ବଂଶାବଶେଷ ଉଦ୍ଧାର କରିଛନ୍ତି। ତେବେ ପାଣିପାଗ ଯେପରି ଅଛି ଏହି ପରିସ୍ଥିତିରେ ସମୁଦ୍ର ଭିତରକୁ ଯାଇ ଅଧିକ ଖୋଳତାଡ଼ କରିବା ସମ୍ଭବ ନୁହେଁ। ଆଗାମୀ ଦିନରେ କର୍ମଚାରୀମାନେ ସମୁଦ୍ର ଭିତରକୁ ଯାଇ ସେ ସବୁର ଯାଞ୍ଚ୍‌ କରିବେ ବୋଲି କିର୍ବି ମତ ରଖିଛନ୍ତି।

ତେ‌ବେ ଏତେ ସବୁ ଘଟଣା ପରେ ବି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ଯେ ଚୀନ ସହ ଆମେରିକାର ସଂପର୍କ ଏବେ ବି ଦୁର୍ବଳ ହୋଇନାହିଁ। ଏହି ଘଟଣା ଦୁଇ ଦେଶ ମଧ୍ୟରେ ଶତ୍ରୁତା କରି ପାରିନାହିଁ। ଏବେ ବି ସଂପର୍କ ପୂର୍ବ ପରି ରହିଛି ବୋଲି ସେ ମତ ରଖିଛନ୍ତି।

ଚୀନ୍‌ର ଗୁଇନ୍ଦା ବେଲୁନକୁ ସଫଳତାର ସହ ଖସାଇ ଦିଆଯିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାଇଲଟଙ୍କୁ ଅଭିନନ୍ଦନ ଜଣାଇଥିଲେ। ସୌରଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା ଦ୍ବାରା ପରିଚାଳିତ ଏହି ଏୟାରସିପ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣ ଏବଂ ଅତି ଶକ୍ତିଶାଳୀ କ୍ୟାମେରା ଖଞ୍ଜା ଯାଇଥିଲା ଏବଂ ଏହାକୁ ଖସାଇବା ମଧ୍ୟ ଏତେ ସହଜ ନଥିଲା।

 

ସମ୍ବନ୍ଧିତ ଖବର