ଚନ୍ଦ୍ରାବତରଣ ବେଳେ ଗୋଟିଏ ପାଖକୁ ଅଣେଇ ହୋଇ ପଡ଼ିଛି ଆମେରିକୀୟ ମହାକାଶଯାନ ଓଡିସିୟସ୍‌

ୱାସିଂଟନ୍‌: ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସମୟରେ ଆମେରିକୀୟ ମହାକାଶଯାନ ଓଡିସିୟସ୍‌ ସମ୍ଭବତଃ ଗୋଟିଏ ପଟକୁ ଅଣେଇ ହୋଇ ପଡ଼ିଯାଇଛି ବୋଲି ଶୁକ୍ରବାର ଦିନ ଏହାକୁ ନିର୍ମାଣ କରିଥିବା କମ୍ପାନି କହିଛି।

ଭାରତୀୟ ସମୟ ଗୁରୁବାର ସନ୍ଧ୍ୟା ୬.୨୩ରେ ମହାକାଶଯାନ ଓଡିସିୟସ୍‌ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିଥିଲା। କିନ୍ତୁ, ପୃଥିବୀରେ ଥିବା ବ‌ୈଜ୍ଞାନିକମାନ‌େ ତା’ ସହିତ ବେତାର ଯୋଗାଯୋଗ କରିପାରି ନ ଥିଲେ। ତେଣୁ, ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍‌ ସ୍ଥିର ହୋଇଯିବା ପରେ ବ୍ୟାକ୍‌ଅପ୍‌ ଗାଇଡାନ୍‌ସ୍‌ ସି‌ଷ୍ଟମ୍‌ ଚାଲୁ କରିବାର କିଛି ମୁହୂର୍ତ୍ତ ପରେ ଯୋଗାଯୋଗ ସମ୍ଭବ ହୋଇଥିଲା।

Image Courtesy of crowrivermedia.com

ପ୍ରଥମ କରି ଏହି ଲୁନାର୍‌ ଲ୍ୟାଣ୍ଡିଙ୍ଗ୍‌ ନିର୍ମାଣ କରିଥିବା ଘରୋଇ କମ୍ପାନି ‘ଇନ୍‌ଟ୍ୟୁଇସିଭ୍‌ ମେସିନ୍‌’ ଆଗରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲା ଯେ, ଏହି ୬ କୋଣିଆ ଆକୃତିର ମହାକାଶତରୀ ସଳଖ ଭାବେ ଅବତରଣ କରିଛି। କିନ୍ତୁ, କମ୍ପାନିର ‘ସିଇଓ’ ଷ୍ଟିଭ୍‌ ଅଲ୍‌ଟିମସ୍‌ ଶୁକ୍ରବାର ଦିନ ସାମ୍ବାଦିକମାନଙ୍କୁ କହିଲେ ଯେ, ତଥ୍ୟାବଳି ସବୁକୁ ଠିକ୍‌ ଭାବେ ନ ବୁଝି ସେ ଭଳି ବିବୃତି ଦିଆଯାଇଥିଲା।

କିନ୍ତୁ, ମନେହେଉଛି ଯେ, ଏହା ଚନ୍ଦ୍ରପୃଷ୍ଠରେ ଝୁଣ୍ଟିପଡ଼ି କଡ଼ବାଗୁଆ ହୋଇ ଓଲଟି ପଡ଼ିଛି। ଏହା ଚନ୍ଦ୍ରପୃଷ୍ଠରେ ସମାନ୍ତରଳ ଭାବେ ରହିଥିବା ବେଳେ ଏହାର ଶୀର୍ଷ ‌ଖଣ୍ଡେ‌ ଛୋଟ ଶିଳା ଉପରେ ରହିଛି। ଓଡିସିୟସ୍‌ ସଠିକ୍‌ ଅବସ୍ଥିତି ଜାଣିବା ଲାଗି ସପ୍ତାହାନ୍ତ ସୁଦ୍ଧା ‘ନାସା’ର ‘ଲୁନାର୍‌ ରିକୋନେସାନ୍‌ସ୍‌ ଅର୍ବିଟର୍‌’ ଫଟୋ ଉଠାଇ ପଠାଇବ।

ସମ୍ବନ୍ଧିତ ଖବର