ପ୍ରତୀକ୍ଷାର ଅନ୍ତ: ଅବଶିଷ୍ଟ ଆଇପିଏଲ୍ ମ୍ୟାଚ୍ ଗୁଡିକର କାର୍ଯ୍ୟସୂଚୀ ପ୍ରକାଶ, ଫାଇନାଲ୍ କେବେ କେଉଁଠାରେ ଖେଳାଯିବ ଜାଣନ୍ତୁ

କୋଲକାତା: ଆଇପିଏଲ ୨୦୨୪ ସିଜିନ୍ ଜାରି ରହିଛି। ଲୋକସଭା ନିର୍ବାଚନ ଯୋଗୁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଆଇପିଏଲର ୧୭ ତମ ସିଜିନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରି ନଥିଲା। କିନ୍ତୁ ବର୍ତ୍ତମାନ ବୋର୍ଡ ପରବର୍ତ୍ତୀ କାର୍ଯ୍ୟସୂଚୀ ପ୍ରକାଶ କରିଛି। ୧୭ ତମ ସଂସ୍କରଣର ଫାଇନାଲ୍ ମେ ୨୬ ରେ ଚେନ୍ନାଇର ଚେପାକ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଏବଂ ଦ୍ୱିତୀୟ ଯୋଗ୍ୟତା ମ୍ୟାଚ୍ ମଧ୍ୟ ମେ ୨୪ ରେ ଚେନ୍ନାଇରେ ଖେଳାଯିବ । ଏଥି ସହିତ, ପ୍ରଥମ ଯୋଗ୍ୟତା ମ୍ୟାଚ ୨୧ ମେ’ରେ ଏବଂ ଏଲିମେଟର ମ୍ୟାଚ ୨୨ ମେ’ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ବିସିସିଆଇ ପ୍ରଥମ ପର୍ଯ୍ୟାୟ ପାଇଁ ୨୧ ଟି ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରିଥିଲା, ଯାହାର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୨ରେ ଆରମ୍ଭ ହୋଇଥିଲା । ଆଇପିଏଲ୍ ୨୦୨୪ ର ପ୍ରଥମ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍ ୭ ଏପ୍ରିଲରେ ଖେଳାଯିବ। ଏହି ସମୟ ମଧ୍ୟରେ ବୋର୍ଡ ପରବର୍ତ୍ତୀ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଆଇପିଏଲ୍ ୨୦୨୪ ରେ ଥିବା ୧୦ ଟି ଦଳକୁ ଦୁଇଟି ଗ୍ରୁପ୍ ରେ ବିଭକ୍ତ କରାଯାଇଛି। ଗ୍ରୁପ୍ ‘ଏ’ରେ ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଥିବାବେଳେ ଗ୍ରୁପ୍ ‘ବି’ରେ ଚେନ୍ନାଇ ସୁପର କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ରହିଛନ୍ତି। ଉଭୟ ଗ୍ରୁପ୍ ର ସମସ୍ତ ଦଳ ମଧ୍ୟରେ ଗୋଟିଏ ମ୍ୟାଚ୍ ଖେଳାଯାଇଛି ।

ସମ୍ବନ୍ଧିତ ଖବର