ଜୀବନ୍ତ ଶିଶୁକୁ ମୃତ ଘୋଷଣା କରି ଅଡୁଆରେ ମ୍ୟାକ୍ସ ହସ୍‌ପିଟାଲ, ରଦ୍ଦ ହୋଇପାରେ ଲାଇସେନ୍ସ

ନୂଆଦିଲ୍ଲୀ: ଏକ ନବ ଜନ୍ମିତ ଜୀବନ୍ତ ଶିଶୁକୁ ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲର ଡାକ୍ତରମାନେ ମୃତ ଘୋଷଣା କରିବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କର ଏପ୍ରକାର ଦାୟିତ୍ୱହୀନ କାର୍ଯ୍ୟକଳାପ ସଂପର୍କରେ ଏବେ ଭାରତୀୟ ମେଡ଼ିକାଲ କାଉନସିଲ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ କହିଛନ୍ତି ଯେ ସଂପୃକ୍ତ ଘରୋଇ ହସ୍‌ପିଟାଲ ମ୍ୟାକ୍ସ ବିରୋଧରେ ଦୃଢ଼ ଦୃଷ୍ଟାନ୍ତମୂଳକ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଆବଶ୍ୟକ ପଡ଼େ ମ୍ୟାକ୍ସ ହସ୍‌ପିଟାଲର ଲାଇସେନ୍ସକୁ ମଧ୍ୟ ରଦ୍ଦ କରି ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜୈନ୍‌ କହିଛନ୍ତି।

ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜୈନ୍‌ କହିଛନ୍ତି, ମ୍ୟାକ୍ସ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କର ଏତାଦୃଶ ଦାୟିତ୍ୱହୀନ କାର୍ଯ୍ୟକଳାପ ପଦାକୁ ଆସିବା ପରେ ସମଗ୍ର ଘଟଣା ସଂପର୍କରେ ତଦନ୍ତ କରିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ସୋମବାର ସୁଦ୍ଧା ମିଳିବ। ହସ୍‌ପିଟାଲ୍‌ କର୍ତ୍ତୃପକ୍ଷଙ୍କର ଯଦି କୌଣସି ପ୍ରକାର ଅବହେଳା ସଂପର୍କରେ ତଦନ୍ତରୁ ଜଣାପଡ଼ିବ, ତେବେ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଲାଇସେନ୍ସ ରଦ୍ଦ କରି ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ୩୦ ତାରିଖରେ ଦିଲ୍ଲୀର ମ୍ୟାକ୍ସ ହସ୍‌ପିଟାଲରେ ଜନୈକା ମହିଳାଙ୍କର ଏକ ଯମଜ ସନ୍ତାନ ଜନ୍ମ ହୋଇଥିଲେ। ହେଲେ, ଜନ୍ମ ପରେ ଡାକ୍ତର ସଂପୃକ୍ତ ଯମଜ ସନ୍ତାନଙ୍କୁ ମୃତ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ଯମଜ ସନ୍ତାନଙ୍କୁ ପୋତିବା ପାଇଁ ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ଶିଶୁ ଜୀବନ୍ତ ଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର