୧୬ରୁ ଖଣ୍ଡଗିରି କୁମ୍ଭମେଳା: ବିଏମ୍‌ସିର ପ୍ରସ୍ତୁତି ବୈଠକ ଆଜି

ଭୁବନେଶ୍ବର: ଖଣ୍ଡଗିରିସ୍ଥିତ ମା’ ବାରଭୁଜା ପୀଠରେ ସର୍ବଭାରତୀୟ ସାଧୁସନ୍ଥ ସମ୍ମିଳନୀ ତରଫରୁ ‘ସମ୍ପୂର୍ଣ୍ଣ ଖଣ୍ଡଗିରି କୁମ୍ଭମେଳା- ୨୦୨୪’ପାଇଁ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଫେବ୍ରୁଆରି ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଳା ପାଇଁ ପ୍ରଭୁଜୀ ଲଳିତ ନାରାୟଣ ଦାସଙ୍କ ସଭାପତିତ୍ବରେ ବୈଠକ ବସିଥିଲା। ଓଡିଶାର ବିଭିନ୍ନ ଜିଲ୍ଲାରୁ ସନାତନ ଧର୍ମରକ୍ଷକ ସାଧୁସନ୍ଥ ଯୋଗ ଦେଇଥିଲେ। ମେଳାରେ ନାମଯଜ୍ଞ ସହ ବିଶ୍ବଶାନ୍ତି ମହାଯଜ୍ଞ ଓ ମାନବସେବା ଆଦି କାର୍ଯ୍ୟକ୍ରମ ରହିଛି। ସାଧୁସନ୍ଥଙ୍କ ସୁରକ୍ଷା, ଧୂନୀକୁଣ୍ଡ ସ୍ଥାପନ ନିମନ୍ତେ କାଠ, ସମିଧ, ଗୋ-ଘୃତ ଆଦିର ଆବଶ୍ୟକତା ସହ ସାଧୁସନ୍ଥମାନଙ୍କ ପାଇଁ ଅସ୍ଥାୟୀ ଶିବିର ନିର୍ମାଣ, ପାହାଡ଼ ଉପର ପର୍ଯ୍ୟନ୍ତ ପାନୀୟ ଜଳ ଓ ବିଦ୍ୟୁତ୍‌ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଉଭୟ ପ‌ାହାଡ଼ରେ ଜଳାଶୟ ଓ ଦୁଇ ପାହାଡ଼ ପରିସରକୁ ପରିଚ୍ଛନ୍ନ କରିବା ଓ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପାଇଖାନା ନିର୍ମାଣ ପାଇଁ ସରକାର ଓ ପ୍ରଶାସନ ଦୃଷ୍ଟି ଦେବାକୁ ଆଲୋଚନା ହୋଇଛି। ବୈଠକରେ କୃଷ୍ଣ ମହାରାଜ, ସ୍ବାମୀ ଆନନ୍ଦରାଜା, ଶୁକଦେବ ଗିରି, ପରମାନନ୍ଦ ମହାରାଜ, ଗୁନା ଜେନା, ରଘୁନାଥ ମହାନ୍ତି, ସୁଶାନ୍ତ, ଅର୍ଦ୍ଧେନ୍ଦୁ ଦାସଙ୍କ ସମେତ ସାଧୁସନ୍ଥମାନେ ଯୋଗ ଦେଇଥିଲେ। ଲଲିତ ନାରାୟଣ ଦାସ ଧନ୍ୟବାଦ ଦେଇଥିଲେ। ଏହି ମେଳା ପାର୍ଇ ବିଏମ୍‌ସି ପକ୍ଷରୁ ସୋମବାର ପ୍ରସ୍ତୁତି ବୈଠକ ବସିବ‌ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର