ନକଲି ଡାକ୍ତର ରମେଶ ସ୍ୱାଇଁ ଗିରଫ ଘଟଣା: ଡ୍ରାଇଭରକୁ ୫ ଦିନିଆ ରିମାଣ୍ଡରେ ନେବ କମିସନରେଟ ପୁଲିସ

ଭୁବନେଶ୍ବର: ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ଡ୍ରାଇଭର ପପୁକୁ କମିସନରେଟ ପୁଲିସ ୫ ଦିନିଆ ରିମାଣ୍ଡରେ ନେବ ବୋଲି ଜଣାଯାଇଛି। ପୁଲିସ ପକ୍ଷରୁ କୋର୍ଟରେ ୭ ଦିନିଆ ରିମାଣ୍ଡ ଲାଗି ଆବେଦନ କରାଯାଇଥିଲା। ରମେଶ ସ୍ୱାଇଁର କ୍ରାଇମ ସିଣ୍ଡିକେଟର ମୁଖ୍ୟ ଥିଲା ଡ୍ରାଇଭର ଚିତ୍ତରଂଜନ ପଟ୍ଟନାୟକ ଓରଫ ପପୁ। ଡ୍ରାଇଭର ପପୁକୁ କମିସନରେଟ୍ ପୁଲିସ ରଣପୁରରୁ ଧରିଥିଲା। ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଡ୍ରାଇଭର ପପୁକୁ ଏକ ଅଜ୍ଞାତ ସ୍ଥାନରେ ରଖି ପୁଲିସ ପଚରାଉଚରା କରୁଥିବାର ସୂଚନା ମିଳିଥିଲା। ରମେଶଙ୍କ ଠକେଇ ମାମଲାରେ ଡ୍ରାଇଭର ପପୁର ସଂପୃକ୍ତି ପ୍ରମାଣ ମିଳିବା ପରେ ପୁଲିସ ତାକୁ ଖୋଜୁଥିଲା। ପପୁ ରମେଶ ସ୍ୱାଇଁର ବିଭିନ୍ନ କଳା କାରନାମାରେ ଜଡ଼ିତ ଥିଲା। ଏପରକି ପପୁ ଚାକିରି ନାଆଁରେ ଠକେଇ କରିଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ଅଛି।   ବେଶ କିଛି ଦିନପରେ ଫେରାର ପପୁକୁ ପୁଲିସ ଧରିବାରେ ସଫଳ ହୋଇଥିଲା।
ଏଣେ ଆସନ୍ତାକାଲି ନକଲି ଡାକ୍ତର ରମେଶ ସ୍ୱାଇଁର ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆସିପାରେ ବୋଲି ସୂଚନା ମିଳିଛି। ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁଙ୍କର ଗତ ବୁଧବାର ଦିନ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା ସେ ପଚରାଉଚରା ସମୟରେ ପୁଲିସକୁ ସହଯୋଗ କରୁ ନଥିବା ଏବଂ ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ଦେଉଥିବାରୁ ରମେଶ ଚନ୍ଦ୍ର ସ୍ୱାଇଁଙ୍କର ଲାଏ ଡିଟେକ୍ସନ ଟେଷ୍ଟ ଲାଗି ପୁଲିସ ପକ୍ଷରୁ ନ୍ୟାୟାଳୟରେ ଆବେଦନ କରାଯାଇଥିଲା। ଏଥିଲାଗି ନ୍ୟାୟାଳୟ ଅନୁମତି ଦେବା ପରେ ଗତ ବୁଧବାର ଲାଏ ଡିଟେକ୍ସନ କରାଯାଇଥିଲା। ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ସବୁ ସତ ଓଗାଳିଥିବ ବୋଲି ପୁଲିସ ଆଶା ରଖିଛି।

ସମ୍ବନ୍ଧିତ ଖବର