ନନ୍ଦନକାନନ ଆକ୍ବାରିୟମ୍‌ରେ ବିରଳ ପ୍ରଜାତିର ମାଛ ଆଲିଗେଟର୍ ଗାର୍‌କୁ ଜାଗା ଅଭାବ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆକ୍ବାରିୟମ୍‌ରେ ରହୁଥିବା ଏକମାତ୍ର ବିରଳ ମାଛ ଆଲିଗେଟର ଗାର୍‌କୁ ଏବେ ତା’ କାଚଘରେ ଜାଗା ହେଉନାହିଁ। ଛୋଟ କାଚଘରେ ତାକୁ ଚଳପ୍ରଚଳ ହେବା ପାଇଁ ଉପଯୁକ୍ତ ପରିମାଣର ଜାଗା ମିଳୁନାହିଁ। ୬ ବର୍ଷ ପୂର୍ବେ ତାକୁ ଯେଉଁ କାଚଘରେ ରଖାଯାଇଥିଲା, ଏବେ ବି ସେଇଠି ରହିଛି। ୬ ବର୍ଷ ଭିତରେ ମାଛଟି ବେଶ୍‌ ବଢ଼ିଯାଇଥିବାରୁ ସେଦିନର କାଚଘର ଏବେ ତା’ପାଇଁ ଛୋଟ ହେଉଛି। ୨୦୧୬ ମସିହାରେ ବିନ୍ଦୁସାଗରରୁ ଏହି ବିରଳ ପ୍ରଜାତିର ମାଛ ଉଦ୍ଧାର କରାଯାଇଥିଲା।

ସେତେ‌ବେଳେ ଏହାର ଲମ୍ବ ଏକ ଫୁଟ୍‌ ଓ ଓଜନ ପ୍ରାୟ ୧ କିଲୋଗ୍ରାମ ଥିଲା। ଏବେ ଏହାର ଲମ୍ବ ପ୍ରାୟ ୩ ଫୁଟ୍ ଓ ଓଜନ ପ୍ରାୟ ୬ କେଜି ହେଲାଣି। ତାକୁ ରଖାଯାଇଥିବା କାଚଘରର ଲମ୍ବ ୬ ଫୁଟ୍‌, ଉଚ୍ଚତା ୪ ଫୁଟ୍। ମାତ୍ର ୩ ଫୁଟ୍ ଗଭୀର ଜଳରେ କାଚଘରେ ତା’ ପାଇଁ ଜାଗା ଅଭାବ ହେଉଛି। ତେଣୁ ତାକୁ ତୁରନ୍ତ ବଡ଼ କାଚଘରକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ହେଉଛି।

ଆଲିଗେଟର ଗାର୍ ଶିକାରୀ ପ୍ରଜାତିର ମାଛ। ଏହି ପ୍ରଜାତିର ମାଛ ଉତ୍ତର ଆମେରିକାର ଅଭ୍ୟନ୍ତରୀଣ ଅଞ୍ଚଳରେ ଜଳାଶୟରେ ଦେଖିବାକୁ ମିଳନ୍ତି। ଏମାନଙ୍କ ଶରୀର ଲମ୍ବା ଓ ସ୍ତମ୍ଭାକାର। ମୁହଁ ଲମ୍ବା, ଚେପେଟା ଓ ଛୋଟ ଥୋମଣିଟି ଠିକ କୁମ୍ଭୀର ପାଟି ଭଳି। ପାଟି ଭିତରେ ଉପର ମାଢ଼ିରେ ଦୁଇଧାର ଦାନ୍ତ ଥାଏ। ଛୋଟ ମାଛ, ପକ୍ଷୀ ଓ ଛୋଟ ଜନ୍ତୁ ଏମାନଙ୍କର ଆହାର। ଏକ ପୂର୍ଣ୍ଣ ବିକଶିତ ଆଲିଗେଟର୍ ମାଛ ୧୦ ଫୁଟ୍ ଲମ୍ବ ଓ ୪୫ କିଲୋଗ୍ରାମ ଓଜନ ପର୍ଯ୍ୟନ୍ତ ହୋଇପାରନ୍ତି।

ସମ୍ବନ୍ଧିତ ଖବର