‘ମୋ ବସ୍‌’ ସେବା: ପଇସା କଟୁଛି, ଟିକେଟ୍‌ ଆସୁନି

ଲୋକପ୍ରିୟତା କମୁଛି, ଅଭିଯୋଗ ବଢ଼ୁଛି; ସମାଧାନ ପାଇଁ ସପ୍ତାହରୁ ଅଧିକ ସମୟ, ବାଧୁଛି ଲଗେଜ୍‌ ଭଡ଼ା

ଭୁବନେଶ୍ୱର: ମୋ ବସ୍‌ ସେବାକୁ ନେଇ ଅଭିଯୋଗ ଫର୍ଦ୍ଦ ଲମ୍ବା‌ ହେବ‌ାରେ ଲାଗିଛି। ଖୁବ୍‌ କମ୍‌ ଦିନରେ ଲୋକପ୍ରିୟତା ହାସଲ କରିଥିବା ଏହି ସେବା ବିଭିନ୍ନ ସମୟରେ ମୋ ବସ୍‌ କର୍ମଚାରୀଙ୍କ ବ୍ୟବହାର ଓ ବେପରୁଆ ଗାଡ଼ି ଚାଳନାକୁ ନେଇ ନିନ୍ଦିତ ହୋଇଥିବା ବେଳେ ଅଭିଯୋଗ ସଂଖ୍ୟା ବଢ଼ିବା ଓ ତ୍ବରିତ ସମାଧାନ ନ ହେବା ପ୍ରସଙ୍ଗ ପୁଣି ଥରେ ଏହି ସେବାକୁ ଚର୍ଚ୍ଚାକୁ ଆଣିଛି। ଗତ ଜୁଲାଇ ମାସରେ ଏମ୍‌ଡି ଅରୁଣ ବୋଥ୍ରା ଟ୍ବିଟର୍‌ରେ ଲାଇଭ୍‌ ଆସି ଶହ ଶହ ମୋ ବସ୍‌ ବ୍ୟବହାରକାରୀଙ୍କ ସହ କଥା ହୋଇଥିଲେ। ଗଦା ଗଦା ଅଭିଯୋଗ ଶୁଣିଥିଲେ ଏବଂ ଖୁବ୍‌ ଶୀଘ୍ର ଏ ସବୁର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଘଟଣାକୁ ୩ ମାସ ବିତିଥିଲେ ମଧ୍ୟ କୌଣସି ଆଖିଦୃଶିଆ ପରିବର୍ତ୍ତନ କିମ୍ବା ସୁବିଧା ଉପଲବ୍ଧ ହୋଇନାହିଁ।

ସୁନୀଲ ବେହେରା ଅଭିଯୋଗ କରିଛନ୍ତି କି, ସେ ଅନ୍‌ଲାଇନ୍‌ରେ ଟିକେଟ୍‌ କାଟିଥିଲେ। ଭୁବନେଶ୍ବର ଆସିବା ପାଇଁ ଖପୁରିଆ ବସ୍‌ଷ୍ଟାଣ୍ଡରେ ସେ ଅପେକ୍ଷା କରିଥିଲେ। ବସ୍‌ ଆସିଲା, ହେଲେ ଅପେକ୍ଷା କରିଥିବା ଅଧାରୁ ଅଧିକ ଯାତ୍ରୀ ଚଢ଼ିନଥିଲେ, କିନ୍ତୁ ବସ୍‌ର ଫାଟକ ବନ୍ଦ ହୋଇଗଲା। ସେ ଅଭିଯୋଗ ପାଇଁ ୧୯୨୯ ଡାଏଲ୍‌ କରିଥିଲେ। ଆମେ କ୍ରୁଟ୍‌କୁ ଜଣାଇ ଦେଇଛୁ କହି ଫୋନ୍‌ କାଟିଦେଲେ। ଟ୍ବିଟ୍‌ କରିବା ପରେ ଉତ୍ତର ଆସିଲା ମେଲ୍‌ରେ ଅଭିଯୋଗ କର। ଇ-ମେଲ୍‌ ଜରିଆରେ ଅଭିଯୋଗ କରିବା ପରେ ଉତ୍ତର ମିଳିଲା ‘ଅଭିଯୋଗ ସମାଧାନ ପାଇଁ କିଛି ସପ୍ତାହ ଦରକାର’। ସାଧାରଣ ଅଭିଯୋଗ ସମାଧାନ ପାଇଁ କିଛି ସପ୍ତାହ(?) ବୋଲି ପ୍ରଶ୍ନ କରିବା ସହ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ଦେବାଶିଷ ଅଭିଯୋଗ କରିଛନ୍ତି, ମାସିକିଆ ପାସ୍‌ ହୋଇଛି କିନ୍ତୁ ଆପ୍‌ରେ ଦେଖାଉନଥିବାରୁ ପୁଣି ଥରେ ଟିକେଟ୍‌ କରିବାକୁ ପଡ଼ୁଛି। ଅନ୍‌ଲାଇନ୍‌ ଟିକେଟ୍‌ କଲା ବେ‌ଳେ ଅନେକ ସମୟରେ ପଇସା କଟି ଯାଉଛି କିନ୍ତୁ ଟିକେଟ୍‌ ହେଉନି। ପ୍ରଭୁ ପ୍ରସାଦ ସାହୁ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ପଇସା କଟି ଯାଉଛି ହେଲେ ଟିକେଟ୍‌ ଆସୁନି। ପ୍ରଭାସ ରଞ୍ଜନ ଶାନ୍ତି କହିଛନ୍ତି, ଏକାଧିକ ଅଭିଯୋଗ ପରେ ମଧ୍ୟ ମେଲ୍‌ରେ ଉତ୍ତର ଆସୁନି। ସୌଭିକ୍‌ କହିଛନ୍ତି, ଅନେକ ସମୟରେ ‘ମୋ ବସ୍‌ ଚଲୋ କାର୍ଡ’ ରିଚାର୍ଜ ହେଉନି।’ ତେବେ କଟି ଯାଇଥିବା ଟଙ୍କା କିଛି ଦିନ ପରେ ପୁଣି ଥରେ ସମ୍ପୃକ୍ତ ଯାତ୍ରୀଙ୍କ ଆକାଉଣ୍ଟକୁ ଫେରିଯାଇଥିବା କ୍ରୁଟ୍‌ପକ୍ଷରୁ କୁହାଯାଇଛି। କିନ୍ତୁ ‌ଯେଉଁ ସମୟରେ ଯାତ୍ରୀ ଟିକେଟ୍‌ କାଟି ଜରୁରୀ କାମରେ ଯିବାକୁ ଚାହୁଛି ସେତେବେଳର ଯେଉଁ ହଇରାଣ ହେଉଛି ତାହାର ଭରଣା କରିବ କିଏ ବୋଲି ସମସ୍ତେ ପ୍ରଶ୍ନ କରିଛନ୍ତି। ସବୁଠାରୁ ବଡ଼ ଅଭିଯୋଗ ହେଉଛି ଲଗେଜ୍‌ ପାଇଁ ଭଡ଼ା। ଛୋଟିଆ ବ୍ୟାଗ୍‌ଟିଏ ହେଲେ ମଧ୍ୟ ଯାତ୍ରୀର ଭଡ଼ା ଯେତିକି, ସେତିକି ଭଡ଼ା ଦେବା ପାଇଁ ପଡ଼ୁଛି। ରୋହିତ କୁମାର ଲେଖିଛନ୍ତି, ଛୋଟିଆ ବ୍ୟାଗ୍‌ଟେ ଗୋଡ଼ ପାଖରେ ରଖିଥିଲି। ଏଥିପାଇଁ କଣ୍ଡକ୍ଟର ସମ୍ପୂର୍ଣ୍ଣ ଭଡ଼ା ନେଇଥିଲେ। ଲଗେଜ୍‌ ପାଇଁ ସିଟ୍‌ ସଂରକ୍ଷିତ ରଖିଲେ ଭଡ଼ା ଦେଲେ ଚଳିବ, କିନ୍ତୁ ତଳେ ରଖିଲେ ବି ପଇସା ଦେବାକୁ ପଡ଼ିବ ତାହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

ଯଯାତି ବଡ଼ୁ ଅଭିଯୋଗ କରିଛନ୍ତି, ‘ମୋ ବସ୍‌’ଗୁଡ଼ିକ ବେପରୁଆ ଗାଡ଼ି ଚାଳନା କରୁଛନ୍ତି। ଅନେକ ସମୟରେ ବାମପାର୍ଶ୍ବ ରାସ୍ତା ଅବରୋଧ କରି ଛିଡ଼ା ହେଉଛନ୍ତି। ପ୍ରତ୍ୟେକ ଦିନ ଏଭଳି ଚିତ୍ର ରାଜଧାନୀରେ ଦେଖିବାକୁ ମିଳୁଛି। ବାମପାର୍ଶ୍ବ ରାସ୍ତା ଅବରୋଧ ନ କରିବା ପାଇଁ ସାଧାରଣ ଚାଳକଙ୍କୁ ତାଗିଦ୍‌ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଯାଉଛି। କିନ୍ତୁ ସରକାରୀ ବ୍ୟବସ୍ଥାରେ ଏଭଳି ବ୍ୟତିକ୍ରମ ଅନେକଙ୍କୁ ନିରୁତ୍ସାହିତ କରୁଛି। ପୂର୍ବରୁ ଏଭଳି ଗଦା ଗଦା ଅଭିଯୋଗ ରହିଛି। ତେବେ କ୍ରୁଟ୍‌ ପକ୍ଷରୁ କୁହାଯାଇଛି କି, ଏହା ଏକ ଲାଭଜନକ ସଂସ୍ଥା ନୁହେଁ। କ୍ରୁଟ୍‌ ସବୁବେଳେ ଯାତ୍ରୀଙ୍କ ସୁବିଧା ପାଇଁ କାମ କରିଆସିଛି। କେଉଁଠି କେତେବେଳେ ତ୍ରୁଟି ରହିଯାଉଛି। ଅନ୍‌ଲାଇନ୍‌ ବ୍ୟବସ୍ଥା ଆମ ହାତରେ ନାହିଁ, ଅନ୍ୟ ବ୍ୟବସ୍ଥାରେ ବି ଟଙ୍କା କଟିଯାଏ କାମ ହୋଇପାରେନି। ନେଟ୍‌ୱର୍କ ଡାଉନ୍‌ ଥିଲେ ଏଭଳି ହୋଇଥାଏ। ଯାତ୍ରୀଙ୍କ ସୁବିଧା ପାଇଁ ସବୁ ସମୟରେ ତର୍ଜମା ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସମ୍ବନ୍ଧିତ ଖବର