ମିଳିଲେ ଅନିଲ: ଅପହରଣ ନୁହେଁ ଆତ୍ମଗୋପନ

ଖଣ୍ଡଗିରି: ପ୍ରାୟ ୩ ସପ୍ତାହ ବିତିବା ପରେ ଖଣ୍ଡଗିରି ଥାନା ପୁଲିସ ନିଖୋଜ ଅନିଲ ବେହେରାଙ୍କୁ ଠାବ କରିବାରେ ସଫଳ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଅନିଲଙ୍କୁ ଧଉଳି ଥାନା ପୁଲିସ ଉତ୍ତରା ଛକ ନିକଟସ୍ଥ ଏକ ସୋ’ରୁମ୍‌ରୁ ଉଦ୍ଧାର କରିଥିଲା। ମେଡିକାଲରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଇବା ପରେ ପୁଲିସ ତାଙ୍କୁ ପରିବାର ଜିମା ଦେଇଛି। ତାଙ୍କୁ ଅପହରଣ କରାଯାଇ ନଥିଲା, ବରଂ ସେ ଆତ୍ମଗୋପନ କରିଥିବା ପୁଲିସ ସୂଚନା ଦେଇଛି। ଫଳରେ ଦୀର୍ଘ ୨୦ ଦିନ ଧରି ତାଙ୍କ ରହସ୍ୟମୟ ନିଖୋଜକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ତମାଣ୍ଡୋ ଥାନା କଳିଙ୍ଗବିହାରରେ ରହୁଥିବା ଅନିଲ ଜାଗମରା ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। କିନ୍ତୁ ଯୁବତୀଙ୍କ ପରିବାର ଏହାକୁ ବାରଣ କରିବାରୁ ଯୁବତୀ ଧୀରେଧୀରେ ଦୂରେଇ ଯାଇଥିଲେ। ଗତ ୧୦ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଅନିଲ ଯୁବତୀଙ୍କୁ ଡେଲ୍‌ଟା ଛକରେ ଅଟକାଇଥିଲେ। ଖବର ପାଇ ଯୁବତୀଙ୍କ ବାପା ଓ ଭାଇ ଘଟଣାସ୍ଥଳରେ ପହଞ୍ଚି ଅନିଲଙ୍କୁ ମାଡ଼ ମାରିଥିଲେ। ପରେ ଅନିଲ ତାଙ୍କ ଉପରେ ହୋଇଥିବା ଆକ୍ରମଣ ବାବଦରେ ବାପାଙ୍କୁ ଫୋନ୍‌ କରି ଜଣାଇବା ସହ ସେ ଆଉ ତାଙ୍କ ପୁଅକୁ ପାଇବେ ନାହିଁ କହି ଫୋନ୍‌ ସୁଇଚ୍ ଅଫ୍ କରି ଦେଇଥିଲେ। ଫଳରେ ଅନିଲଙ୍କ ବାପାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପୁଅକୁ ଅପହରଣ କରାଯାଇଥିବା ସନ୍ଦେହ କରି ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ପରିବାର ଲୋକେ ଅନିଲଙ୍କୁ ଅପହରଣ କରି କିଛି ଅଘଟଣ ଘଟାଇଛନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଥିଲେ। ପୁଲିସ ଅଭିଯୋଗ ପାଇବା ପରେ ଅନିଲଙ୍କ ମୋବାଇଲ୍‌କୁ ଟ୍ରାକିଂ କରିଥିଲା। ମାତ୍ର ଦିନ ପରେ ଦିନ ଗଡ଼ି ଚାଲିବା ହେତୁ ଅନିଲଙ୍କ ନିଖୋଜକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ନିଖୋଜ ହେବା ପରଠାରୁ ସେ ଉତ୍ତରା ଛକ ନିକଟସ୍ଥ ଏକ ସୋ’ରୁମ୍‌ରେ କାମ କରୁଥିଲେ।

ସମ୍ବନ୍ଧିତ ଖବର