ସରିଲା ୨୦୧୮ ପୂର୍ଣାଙ୍ଗ ହେଲାନି: ଏମ୍‌ସ ଲଟକିଗଲା୨୫ ମଡ୍ୟୁଲାର୍ ଓଟି

ଖଣ୍ଡଗିରି: ପୂରିବାକୁ ବସିଛି ୨୦୧୮। ମାତ୍ର ପୂର୍ଣ୍ଣାଙ୍ଗ ହୋଇପାରିଲା ନାହିଁ ଭୁବନେଶ୍ବର ଏମ୍‌ସ। ୨୫ଟି ମଡ୍ୟୁଲାର୍ ଅପରେସନ୍ ଥିଏଟର(ଓଟି) ପ୍ରତିଷ୍ଠାଠାରୁ ଆରମ୍ଭ କରି ହଜା‌ରେ ଶଯ୍ୟା ପ୍ରତିଷ୍ଠା ପର୍ଯ୍ୟନ୍ତ ସବୁ ଯୋଜନା ଅଧୁରା ରହିଗଲା। ଫଳରେ ରାଜ୍ୟବାସୀଙ୍କ ବହୁ ଦିନର ଆଶା ପୁଣି ଆଶାରେ ରହିଗଲା ବୋଲି କୁହାଯାଉଛି। ୬ବର୍ଷ ବିତିବା ପରେ ବି ପୂର୍ଣ୍ଣାଙ୍ଗ ଏମ୍‌ସ ପାଇଁ ଧାର୍ଯ୍ୟ ସମୟ ଗଡ଼ି ଗଡ଼ି ଚାଲିଥିବାରୁ ଲୋକେ ସରକାରଙ୍କ ଉଦାସୀନତାକୁ ନେଇ ଆଲୋଚନା କରୁଛନ୍ତି। ସମ୍ପ୍ରତି ଭୁବ‌ନେଶ୍ବର ଏମ୍‌ସରେ ଅତ୍ୟାଧୁନିକ ୮ଟି ଓଟି ଓ ୨୫ଟି ଆଇସିୟୁ ରହିଛି। ମାତ୍ର ୧୨ଟି ବିଭାଗର ସର୍ଜରି ଚାହିଦା ଢେର୍ ଅଧିକ ରହୁଥିବାରୁ ଏତିକି ସଂଖ୍ୟକ ଓଟି ଉପରେ ଚାପ ଅଧିକ ରହୁଛି। ତେଣୁ ସର୍ଜରି ପାଇଁ ରୋଗୀମାନଙ୍କୁ ଲାଇନ୍‌ରେ ମାସ ମାସ ଧରି ଅପେକ୍ଷାରେ ରହିବାକୁ ପଡ଼ୁଛି। ଏଠାରେ ମାସିକ ପ୍ରାୟ ହଜାରେରୁ ଅଧିକ ରୋଗୀଙ୍କର ସର୍ଜରି ହୋଇପାରୁଥିଲେ ମଧ୍ୟ ବହୁ ରୋଗୀଙ୍କୁ ଫେରାଇବାକୁ ପଡ଼ୁଛି। ବେଳେବେଳେ ପରିସ୍ଥିତି ଏମିତି ହେଉଛି ଯେ ସର୍ଜରି ପାଇଁ ରୋଗୀଙ୍କୁ ଦିଆଯାଇଥିବା ସମୟକୁ ମଧ୍ୟ ଗଡ଼ାଇବାକୁ ପଡ଼ୁଛି। ଜରୁରୀକାଳୀନ ସର୍ଜରି ପହଞ୍ଚିଲେ, ପୂର୍ବରୁ ଅପେକ୍ଷା କରିଥିବା ‌ରୋଗୀଙ୍କୁ ଅପେକ୍ଷା କରିବାକୁ କୁହାଯାଉଛି। ଫଳରେ ବିଭିନ୍ନ ସମୟରେ ଡାକ୍ତରମାନେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ୨୦୧୨ ମସିହାରୁ ଆରମ୍ଭ ହୋଇଥିବା ଏହି ବିଶ୍ବସ୍ତରୀୟ ହସ୍ପିଟାଲ ବର୍ଷକୁ ବର୍ଷ ପୁରୁଣା ହୋଇ ଆସୁଥିବାରୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତବର୍ଷ ଜୁଲାଇରେ ଏହି ୨୫ଟି ମଡ୍ୟୁଲାର୍ ଓଟି ନିର୍ମାଣ ପାଇଁ ସ୍ଥିର କରାଯିବା ପରେ ଚଳିତ ବର୍ଷ ଅଗଷ୍ଟ ମାସରେ ଟେଣ୍ଡର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଏହି ୨୫ ମଡ୍ୟୁଲାର୍ ଓଟି ସହ ସ୍ବତଃ ଆଇସିୟୁ ସଂଖ୍ୟା ମଧ୍ୟ ବଢ଼ିବାର ଥିବାରୁ ମୋଟ୍ ଆଇସିୟୁ ସଂଖ୍ୟା ଶହେକୁ ଛୁଇଁବ ବୋଲି କୁହାଯାଇଥିଲା। ସେହିଭଳି ରୋଗୀଶଯ୍ୟା ମଧ୍ୟ ହଜାରକୁ ଲାଗିବ ବୋଲି ଆକଳନ କରାଯାଇଥିଲା। ବସ୍ତୁତଃ ଏହି ସମସ୍ତ କାମ ୨୦୧୮ମସିହା ଶେଷ ସୁଦ୍ଧା ସରିବ ବୋଲି ଧାର୍ଯ୍ୟ ହୋଇଥିଲା ଓ ଏହି ବର୍ଷ ହିଁ ଭୁବନେଶ୍ବର ଏମ୍‌ସ ଏକ ପୂର୍ଣ୍ଣାଙ୍ଗ ରୂପ ପାଇବ ବୋଲି ଆଶା କରାଯାଉଥିଲା। ଏ ଭିତରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟଙ୍କୁ ଏମ୍‌ସର ସଭାପତି ପଦରେ ନିଯୁକ୍ତି ମିଳିବାରୁ ପୂର୍ଣ୍ଣାଙ୍ଗ ଏମ୍‌ସ ଆଶା ଆହୁରି ବଢ଼ି ଯାଇଥିଲା। ମଡ୍ୟୁଲାର୍ ଓଟି ନିର୍ମାଣ ଉପରେ ଏମ୍‌ସ ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କ ମତାମତ ନେବାରେ ସେ କହିଛନ୍ତି ଯେ ଏହି କାମ ପ୍ରାୟ ସରିବା ଉପରେ। ଡିସେମ୍ବର ଶେଷ ସୁଦ୍ଧା କାମ ସାରିବାକୁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ କିଛି ବୈଷୟିକ ସମସ୍ୟା ପାଇଁ କାମ ସରିପାରିଲା ନାହିଁ। କାମ ଜାରି ରହିଛି, ଜାନୁଆରି ଶେଷ ସୁଦ୍ଧା ସରିଯିବା ନେଇ ଆଶା କରାଯାଉଛି।

ସମ୍ବନ୍ଧିତ ଖବର