ଅନ୍ଧଭକ୍ତି ବିରୋଧରେ ଲେଖନୀ ଚାଳନା ହେଉ: ସୌମ୍ୟ

ଶୈଳବାଳା ସ‌ାହିତ୍ୟ ସଂସଦର ବାର୍ଷିକୋତ୍ସବ

ଭୁବନେଶ୍ବର: ବହୁ ବର୍ଷ ତଳେ ଫକୀର ମୋହନ ସେନାପତି ‘ରେବତୀ’ ଲେଖିଥିଲେ। ସେଥିରେ ଉଲ୍ଲେଖ ଥିବା ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ଏବେ ମଧ୍ୟ ହୋଇନାହିଁ। ମହିଳା ସଶକ୍ତୀକରଣ ପାଇଁ ଆମେ ଗର୍ବ ଅନୁଭବ କରୁଛେ। ନାରୀ ଶିକ୍ଷା ସମ୍ପର୍କରେ ଅନେକ କଥା କହୁଛୁ। ତଥାପି ସେ ସମୟର ‌ସମସ୍ୟାକୁ ନେଇ ‘ରେବତୀ’ରେ ଯାହା ଲେଖାଯାଇଥିଲା ତାହାର ନିରାକରଣ କରାଯାଇ ନାହିଁ। ଏଥିସହ ଆମ ଜାତୀୟ ଜୀବନରେ ଏକ ନୂତନ ସମସ୍ୟା ମଧ୍ୟ ଆସିଛି। ତାହା ହେଲା ‘ଅନ୍ଧଭକ୍ତି’। ଆମକୁ ନିଜ ଲୋକଙ୍କ ଦୋଷ ଦୁର୍ବଳତା ଦେଖାଯାଉ ନାହିଁ। ବରଂ ଶତ୍ରୁର ଦୋଷ ସର୍ବଦା ଆଗ ଦେଖାଯାଉଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅନ୍ଧଭକ୍ତିଟି ଏବେ ମହାମାରୀ ଓ ଅନ୍ଧବିଶ୍ବାସଠାରୁ ଆହୁରି ଭୟଙ୍କର ରୂପ ନେଇଛି। ଏଭଳି ଅନ୍ଧବିଶ୍ବାସକୁ ଦୂର ପାଇଁ ଫକୀର ମୋହନ ଯେଉଁ ଲେଖନୀ ଚାଳନା କରିଥିଲେ ଅନ୍ଧଭକ୍ତି ପାଇଁ ଆଜି ସେଭଳି ଲେଖନୀ ଚାଳନାର ଆବଶ୍ୟକତା ରହିଛି। ଗୀତଗୋବିନ୍ଦ ସଦନରେ ଆୟୋଜିତ ଶୈଳବାଳା ସାହିତ୍ୟ ସଂସଦର ୭ମ ବାର୍ଷିକୋତ୍ସବକୁ ଉଦ୍‌ଘାଟନ କରି ‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ସାହିତ୍ୟିକମାନେ ସାମାଜିକ ସମସ୍ୟା ଓ ପ୍ରସଙ୍ଗଠାରୁ ଆଦୌ ଦୂରେଇ ଯାଆନ୍ତୁ ନାହିଁ। କବିତା, ଗପ ମାଧ୍ୟମରେ ମତ ପ୍ରକାଶ କରନ୍ତୁ। କାରଣ ଗଦ୍ୟ ସମୃଦ୍ଧ ହେଲେ ଗଣତନ୍ତ୍ର ମଧ୍ୟ ସମୃଦ୍ଧ ହେବ। ସେହିଭଳି ସାମାଜିକ ପ୍ରତିବଦ୍ଧତା ପାଇଁ ସାହିତ୍ୟର ଗୋଟିଏ ଦାୟିତ୍ବ ରହିଛି। ଫକୀର ମୋହନ ଲେଖିଥିବା ‘ରାଣ୍ଡି ପୁଅ ଅନନ୍ତା’ ପରି ଓଡ଼ିଶା ରୂପକ ମଇଳା କୂଅକୁ ସଫା କରିବା ପାଇଁ ସାହିତ୍ୟିକମାନଙ୍କୁ ସେଭଳି ଅନନ୍ତାଙ୍କୁ ସୃଷ୍ଟି କରିବାକୁ ପଡ଼ିବ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ, ଭଲ ମଣିଷ ତିଆରି କରିବାର ସବୁ ଭାର ମହିଳାଙ୍କ ଉପରେ ରହିଛି। ସାହିତ୍ୟିକଙ୍କ ଉପରେ ମଧ୍ୟ ଭଲ ମଣିଷ ତିଆରି କରିବାର ଭାର ରହିଛି ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥି ପ୍ରତିଭା ମହାରଥୀ କହିଲେ, କେବଳ ‌ସାହିତ୍ୟ ହିଁ ଏକ ସୁଦୃଢ଼ ପରିବାର ଗଠନ କରିପାରେ। ଯେଉଁ ପରିବାର ସମସ୍ତ ଝଡ଼ଝଞ୍ଜାକୁ ସହି କେବଳ ଆଗକୁ ବଢ଼ିପାରେ। ସେହିପରି ନିରାମୟ, ସୁଖ, ଶାନ୍ତିରେ ବଞ୍ଚିବା ପାଇଁ ସାହିତ୍ୟ ଆବଶ୍ୟକ। ସମ୍ମାନିତ ଅତିଥି ନାଇଜର କୁଳସଚିବ ଅଭୟ ନାୟକ କହିଲେ, ଶୈଳ ବା ପାହାଡ଼ ହେଉଛି ସବୁଠାରୁ ସ୍ଥିର ଓ ସୁଦୃଢ଼। ତେଣୁ ଶୈଳ ପରି ସୁଦୃଢ଼ ହୋଇ ଲେଖକମାନେ କଲମ ଚାଳନା କଲେ ସମାଜର ମଙ୍ଗଳ ହେବ। ଅନୁଷ୍ଠାନର ପ୍ରତିଷ୍ଠାତା ଗୌରଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘ଶୈଳବାଳା ସ୍ମୃତି ସମ୍ମାନ-୨୦୨୩’ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ଶୈଳଜା’ ଏବଂ କବୀ ଇତିଶ୍ରୀ ପତିଙ୍କ ଗୀତି କବିତା ପୁସ୍ତକ ‘ଶ୍ରୀ ଛାମୁହେ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସାହିତ୍ୟିକମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ, ସୁଚେତା ରାଉତଙ୍କ ସଭାପତିତ୍ବରେ ଆୟୋଜିତ କବିତା ପ୍ରତିଯୋଗିତାରେ ୩ ଜଣ କବିଙ୍କୁ ଆର୍ଥିକ ରାଶି ପ୍ରଦାନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ଦେବାଶିଷ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସାହିତ୍ୟିକ ଦେବାଶିଷ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ପରିଚାଳନା ସମ୍ପାଦକ ଗୋଲକ ବିହାରୀ ନାୟକ ପରିଚାଳନାରେ ସହଯୋଗ କରିଥିଲେ। ସଂସଦର କର୍ଯ୍ୟକାରୀ ସଂପାଦକ ପୂର୍ଣ୍ଣାନନ୍ଦ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର