ବିଏମ୍‌ସିକୁ ଠକିବା ବେଳେ ଧରାପଡ଼ିଗଲା

ଫୁଟ୍‌ ଓଭରବ୍ରିଜ୍‌ରେ ବିଜ୍ଞାପନ କେଳେଙ୍କାରୀ

ଭୁବନେଶ୍ବର: ବିଏମ୍‌ସିରେ ହୋର୍ଡିଂ କେଳେଙ୍କାରୀ କିଛି ନୂଆ କଥା ନୁହେଁ। ହୋର୍ଡିଂର ମାପ କମାଇ ଲକ୍ଷ ଲକ୍ଷ ଟଙ୍କା ବାଟ ମାରଣା କରିବା ନେଇ ଅନେକ ଉଦାହରଣ ରହିଛି। କିନ୍ତୁ ବିଏମ୍‌ସିରେ ଏକ ବିଚିତ୍ର ଘଟଣା ଘଟିଛି। ବର୍ଷବର୍ଷ ଧରି ବିଏମ୍‌ସିକୁ ଚୂନ ମାରି ରାଜସ୍ବ ଠକି ଆସୁଥିବା ଏକ ସଂସ୍ଥା ଧରାପଡ଼ିଛି। ଯେତିକି ଜାଗାରେ ବିଜ୍ଞାପନ ହୋର୍ଡିଂ ଲାଗୁଥିଲା, ତା’ର ଏକ ତୃତୀୟାଂଶ ଜାଗା ପାଇଁ ସଂସ୍ଥା ଫି’ ଦେଇ ଆସୁଥିଲା। କିନ୍ତୁ ବିଶ୍ବକପ୍‌ ହକି ବେଳେ ବିଏମ୍‌ସି ପକ୍ଷରୁ ଏହି ଜାଗାରେ ହକିର ହୋର୍ଡିଂ ଲାଗିଥିଲା। ଏଥିପାଇଁ ବିଏମ୍‌ସିଠାରୁ ଦେୟ ନେବା ପାଇଁ ସଂସ୍ଥା ବିଏମ୍‌ସିରେ ବିଲ୍‌ ଦାଖଲ କରିବା ପରେ ଫସି ଯାଇଛି। ବିଏମ୍‌ସିକୁ ଫି’ ବାବଦକୁ ଦେଉଥିବା ଅର୍ଥର ତିନିଗୁଣ ଦାବି କରିଛି ସଂସ୍ଥା। ବାସ୍ତବ ମାପ ଅନୁସାରେ ବିଲ୍‌ ପ୍ରସ୍ତୁତ ହୋଇଥିବାରୁ ବିଏମ୍‌ସି ଏହି ଠକାମିକୁ ଧରିଛି। ପୂର୍ବରୁ ଯଦି କମ୍‌ ମାପର ହୋର୍ଡିଂ ଲାଗୁଥିଲା, ତେବେ ତିନିଗୁଣ ଅଧିକ ଜାଗା ଆସିଲା କେଉଁଠୁ? ୬ ବର୍ଷ ଧରି ଚାଲିଥିବା ଏଭଳି ଠକାମି ଧରାପଡ଼ିଥିଲେ ମଧ୍ୟ ଏହାକୁ ଚାପି ଦେବା ପାଇଁ ବିଏମ୍‌ସିର ଅଧିକାରୀମାନେ ଲାଗି ପଡ଼ିଛନ୍ତି। ବିଲ୍‌ ପରିମାଣ କମାଇ ପୂର୍ବ ଭଳି ଚଲାଇବାକୁ ଅଧିକାରୀ ଯତ୍‌ପରନାସ୍ତି ଉଦ୍ୟମ କରୁଥିବା ଜଣାପଡ଼ିଛି। ଜୟଦେବବିହାର ଫୁଟ୍‌ ଓଭରବ୍ରିଜ୍‌ରେ ଏଭଳି କେଳେଙ୍କାରୀ ଧରାପଡ଼ିଛି।

ଜୟଦେବବିହାର ଛକ ନିକଟରେ ଥିବା ଫୁଟ୍‌ ଓଭରବ୍ରିଜ୍‌ (ଏଫ୍‌ଓବି) ବିଏମ୍‌ସି ପିପିପି ମୋଡ୍‌ରେ ଅଜନ୍ତା ବଦ୍ରି-ଭିଶାଲ୍‌ ମିଡିଆ ଇନିସିଏଟିଭ୍‌ ଜରିଆରେ ଏହି ଏଫ୍‌ଓବି ନିର୍ମାଣ କରିଛି। ୨୦୧୧ ମସିହାରେ ବିଏମ୍‌ସି ଓ ଅଜନ୍ତା ମଧ୍ୟରେ ଚୁକ୍ତିନାମା ହେବା ସହ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। କିନ୍ତୁ ୨ ବର୍ଷ ପରେ ବା ୨୦୧୩ ମସିହାରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ଏହାର ତିନିବର୍ଷ ପରେ ଅର୍ଥାତ୍‌ ୨୦୧୬ ମସିହାରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ଏଥିରେ ୧.୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲା। ବିଜ୍ଞାପନ ହୋର୍ଡିଂ ଲଗାଇ ଏହି ଖର୍ଚ୍ଚ ଆଦାୟ କରିବାକୁ ଚୁକ୍ତି ହୋଇଥିଲା। ‘ଅଥରାଇଜେସନ ପ୍ରିମିୟମ’ ବାବଦକୁ ସଂସ୍ଥା ବିଏମ୍‌ସିକୁ ପ୍ରତିବର୍ଷ ୫ ଲକ୍ଷ ୩୧ ଟଙ୍କା ଦାଖଲ କରିବ। ଏହା ବାଦ୍‌ ବିଜ୍ଞାପନ ବାବଦକୁ ବର୍ଗଫୁଟ୍‌ ହିସାବରେ ମଧ୍ୟ ଦେୟ(ଆଡ୍‌ଭର୍ଟାଇଜ୍‌ମେଣ୍ଟ ଟ୍ରାକ୍ସ) ପ୍ରଦାନ କରିବ। ୨୦ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରିବାକୁ ସଂସ୍ଥା ସହ ଚୁକ୍ତି ହୋଇଥିଲା।
ଏଠାରେ ବିଜ୍ଞାପନ ହୋର୍ଡିଂ ଲଗାଇବାକୁ ଓଭରବ୍ରିଜ୍‌କୁ ମାପଚୁପ କରାଯାଇଥିଲା।

ବିଏମ୍‌ସିର ସ୍ବତନ୍ତ୍ର ଟିମ୍‌ ସହ ତୃତୀୟ ପକ୍ଷ ଇଞ୍ଜିନିୟରିଂ ସଂସ୍ଥା ପରାମର୍ଶ ଅନୁସାରେ ମାପ ହେବା ସହ ଦର ଧାର୍ଯ୍ୟ ହୋଇଥିଲା। ସମ୍ପୃକ୍ତ ଜାଗାର ବଜାର ଦର ହିସାବରେ ଦେୟ ଧାର୍ଯ୍ୟ କରାଯାଇଥିଲା। ମାପଚୁପ ବେଳେ ଜାଣିଜାଣି ସମ୍ପୃକ୍ତ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖା ଯାଇଥିଲା। ବାସ୍ତବରେ ଏହାର ମାପ ୪୫୦୦ ବର୍ଗଫୁଟ୍‌ ହୋଇଥିଲେ ମଧ୍ୟ ବିଏମ୍‌ସିକୁ ଏକ ତୃତୀୟାଂଶ ବା ୧୫୦୦ ବର୍ଗଫୁଟ୍‌ ଦର୍ଶାଯାଇଥିଲା। ୨୦୧୬ ମସିହାରୁ ୨୦୨୨ ମସିହା ଶେ‌ଷ ପର୍ଯ୍ୟନ୍ତ ସଂସ୍ଥା ବିଏମ୍‌ସିକୁ ୧୫୦୦ ବର୍ଗଫୁଟ୍‌ ହିସାବରେ ଦେୟ ଦେଇ ଆସୁଥିଲା। ବିଭିନ୍ନ ସମୟରେ ଏଠାରେ ବିଜ୍ଞାପନ ଦର ଭିନ୍ନଭିନ୍ନ ରହିଥିଲା। ୨୦୧୬ ମସିହାରେ ୯୦ ଟଙ୍କା ପ୍ରତି ବର୍ଗଫୁଟ୍‌ ରହିଥିବା ବେଳେ ୨୦୨୦ରେ ୧୪୩ ଓ ୨୦୨୨ରେ ୧୯୧ ଟଙ୍କା ରହିଥିଲା। ବର୍ଗଫୁଟ୍‌ ପିଛା ହାରାହାରି ୧୦୦ ଟଙ୍କା ହିସାବ କଲେ ମାସକୁ ୪ ଲକ୍ଷ ୫୦ ହଜାର ଓ ବର୍ଷକୁ ୫୪ ଲକ୍ଷ ଓ ୬ ବର୍ଷକୁ ୩ କୋଟି ୨୪ ଲକ୍ଷ ହେବା କଥା। କିନ୍ତୁ ସମ୍ପୃକ୍ତ ସଂସ୍ଥା ୧୫୦୦ ବର୍ଗଫୁଟ୍‌ ହିସାବରେ ବର୍ଷକୁ ୧୮ ଲକ୍ଷ ଓ ୬ ବର୍ଷକୁ ୧କୋଟି ୮ ଲକ୍ଷ ଟଙ୍କା ଦେଇଛି। ଅର୍ଥାତ୍‌ ୨ କୋଟିରୁ ଅଧିକ ଟଙ୍କା ବାଟମାରଣାର ଆଶଙ୍କା ସୃଷ୍ଟି ହୋଇଛି। ୬ ବର୍ଷ ଧରି ଏଭଳି ଲୁଟ୍‌ପାଟ୍‌ ଚାଲିଥିଲେ ମଧ୍ୟ କିଭଳି କେହି ଜାଣି ପାରିଲେ ନାହିଁ ନା ସବୁ ମିଶି ଲୁଟୁଥିଲେ? ଏବେ ଘଟଣାକୁ କାହିଁକି ଚାପି ଦେବାକୁ ଉଦ୍ୟମ ହେଉଛି? ଚାପି ଦେବା ପଛରେ କାହାର ହାତ ଅଛି? ମେୟର କମିସନରଙ୍କ ପାଖରେ ଏ ଖବର ଅଛି ନା କେବଳ ରାଜସ୍ବ ଉପବିଭାଗ ଏହି ଘଟଣାକୁ ଡିଲ୍‌ କରୁଛି?

ଠିକାସଂସ୍ଥାକୁ ଅନୁକମ୍ପା, ମାଲେମାଲ୍‌ ଅଧିକାରୀ

ବିଏମ୍‌ସିର ରାଜସ୍ବ ହାନି, ବର୍ଷବର୍ଷ ଧରି ଲୁଟି ଆସୁଥିଲା

ଚପାଇ ଦେବାକୁ ଚାଲିଛି ମସୁଧା

ଏହି ଘଟଣାକୁ ଚାପିଦେବା ପାଇଁ ଉଦ୍ୟମ ହେଉଥିବା ଖବର ମିଳିବା ପରେ ବିଏମ୍‌ସି ରାଜସ୍ବ ଉପବିଭାଗର ଦାୟିତ୍ବରେ ଥିବା ଡେପୁଟି କମିସନର ସପନ କୁମାର ନନ୍ଦଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଏହି ପ୍ରସଙ୍ଗରୁ ଦୂରେଇ ରହିବାକୁ ଚାହିଥିଲେ। କୌଣସି ସୂଚନା ଦେବାକୁ ମନା କରି ଦେଇଥିଲେ। ଏ ନେଇ ସମ୍ପୃକ୍ତ ସଂସ୍ଥା ଅଜନ୍ତା ବିଭି ମିଡିଆ ଇନିସିଏଟିଭ୍‌ର ମନୀଷ ଅଗ୍ରୱାଲଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ସେ ମଧ୍ୟ ବିଭିନ୍ନ ବାହାନା କରି ଏଡ଼ାଇ ‌ଯାଇଥିଲେ।

ସମ୍ବନ୍ଧିତ ଖବର