ଭୁବନେଶ୍ବର: ୟୁନିଟ୍-୮ସ୍ଥିତ ପଂଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଏଟିଏମ୍ କାଟି ଲୁଟିବାକୁ ଉଦ୍ୟମ କରୁଥିବା ଦୁଇ ଅଭିଯୁକ୍ତ ତଥା ବାପା-ପୁଅ ଯୋଡ଼ିଙ୍କୁ ନୂଆପଲ୍ଲୀ ଥାନା ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି କନ୍ଧମାଳର ପ୍ରମୋଦ ଦିଗାଲ ଓ ତା’ର ନାବାଳକ ପୁଅ। ପୁଅ ରାଜଧାନୀସ୍ଥିତ ଏକ କଲେଜରେ ଯୁକ୍ତ ୨ର ଛାତ୍ର ବୋଲି ଜଣାପଡ଼ିଛି। ଆଜି ବ୍ୟାଙ୍କ୍ର ଶାଖା ପ୍ରବନ୍ଧକ ଦୀପକ ସାହୁ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି। ବାପ-ପୁଅ ଯୋଡ଼ିଙ୍କୁ ଥାନାରେ ଘନଘନ ଜେରା କରାଯାଉଛି। ପୂର୍ବରୁ ଏମାନେ ଆଉ କେଉଁ କେଉଁ ଏଟିଏମ୍ ଲୁଟିଛନ୍ତି, ସେମାନଙ୍କ ଗ୍ୟାଙ୍ଗ୍ରେ ଆଉ କିଏ କିଏ ସାମିଲ ଅଛନ୍ତି ଇତ୍ୟାଦି ସୂଚନା ପାଇବାକୁ ପୁଲିସ ବ୍ୟାପକ ପଚରାଉଚରା ଚଳାଇଛି। କାରଣ ଘଟଣାସ୍ଥଳରୁ ବାଇକ୍ ନେଇ ଅନ୍ୟ ଜଣେ ଫେରାର୍ ହୋଇଯାଇଥିବା କୁହାଯାଉଛି।
ପୁଲିସ ସୂଚନାନୁସାରେ ଏହି ଏଟିଏମ୍କୁ ଲୁଟିବା ପାଇଁ ବାପା-ପୁଅ ମାସକ ତଳୁ ଯୋଜନା କରିଥିଲେ। ଏହି ମିସନ୍କୁ ସଫଳ କରିବା ପାଇଁ ପୁଅ ଦିନ ରାତି ଏଟିଏମ୍ ଉପରେ ନଜର ରଖି ବାପା ପ୍ରମୋଦକୁ ଜଣାଉଥିଲା। ବିଶେଷକରି ଦିନରେ ବା ସନ୍ଧ୍ୟାରେ କେଉଁ ସମୟରେ ଟଙ୍କା ଭର୍ତ୍ତି କରାଯାଉଛି ଓ ବିଳମ୍ବିତ ରାତିରେ କେତେବେଳେ ଏଠାକୁ ଗ୍ରାହକଙ୍କ ଆସିବା କମ୍ ହେଉଛି, ସେସବୁର ହିସାବ ପୁଅ ବାପାକୁ ଫୋନ୍ କରି ଜଣାଉଥିଲା। ଏଟିଏମ୍ର ଟଙ୍କା ରହୁଥିବା ଚାମ୍ବର କାଟିବା ପାଇଁ ପ୍ରମୋଦ ଅଶୋକନଗରସ୍ଥିତ ଏକ ଫାର୍ମା କମ୍ପାନିରୁ ୯ହଜାର ଟଙ୍କା ଦେଇ ଅକ୍ସିଜେନ୍ ସିଲିଣ୍ଡର କିଣିଥିଲା। ଏହା ସହିତ ଗ୍ୟାସ୍ ରେଗୁଲେଟର୍ ଓ ପାଇପ୍ ଆଦି ୧ନଂ ହାଟରୁ କିଣିଥିଲା। ଯୋଜନା ମୁତାବକ ସୋମବାର ରାତିରେ ବାପ ପୁଅ ବାଇକ୍ ଧରି ଏଟିଏମ୍ ପାଖକୁ ଯାଇଥିଲେ। ସିସି କ୍ୟାମେରାରୁ ବର୍ତ୍ତିବା ପାଇଁ ସେମାନେ ମୁଣ୍ଡରେ ହେଲମେଟ୍ ପିନ୍ଧିଥିଲେ। ରାତି ପ୍ରାୟ ୧୧.୪୫ ବେଳକୁ ସେମାନେ ଏଟିଏମ୍ରେ ପଶି ଚାମ୍ବର କାଟିବା ଆରମ୍ଭ କରିଥିଲେ।
ରହୁଛନ୍ତି ଅଲଗା, ଚୋରି ବେଳେ ଏକାଠି
ସୂଚନାନୁସାରେ ପ୍ରମୋଦର ଦାମ୍ପତ୍ୟ ଜୀବନ ଠିକ୍ ନାହିଁ। ତା’ ସ୍ତ୍ରୀ ତାକୁ ଛାଡ଼ି ଭୁବନେଶ୍ବରରେ ରହୁଛନ୍ତି। ପୁଅକୁ ପାଖରେ ରଖି ପ୍ରମୋଦ ସ୍ତ୍ରୀ ୮ନଂ ସ୍ଥିତ ଏକ ବସ୍ତିରେ ଭଡ଼ାରେ ରହୁଛନ୍ତି। ପ୍ରମୋଦ କନ୍ଧମାଳରେ ରହି ଗାଡ଼ିଚାଳକଭାବେ କାମ କରୁଛନ୍ତି। ତେବେ ପ୍ରମୋଦ ଓ ନାବାଳକ ପୁଅ ଭିତରେ ରହିଥିଲା ସମ୍ପର୍କ। ମା’ ଅଗୋଚରରେ ପୁଅ ବାପା ସହିତ ଭେଟ ହେଉଥିଲା। ପୁଅକୁ ଦେଖା କରିବା ପାଇଁ ପ୍ରମୋଦ ଭୁବନେଶ୍ବର ଆସୁଥିଲା। ଏହି ଭେଟାଭେଟି ଭିତରେ ବାପା-ପୁଅ ଲୁଟ୍ ଯୋଜନା କରିଥିଲେ। କଲେଜ ଛାତ୍ର ଥିବା ପୁଅର ଭବିଷ୍ୟତ କଥା ଚିନ୍ତା ନକରି ପ୍ରମୋଦ ତାକୁ ଡକାୟତି ବାଟ ଦେଖାଇଥିଲା। କଲେଜ ପଢ଼ୁଆ ପୁଅ ବି ରାଜି ହୋଇଯାଇଥିଲା।
କେମିତି ଧରାପଡ଼ିଲେ
ପଂଜାବ ନ୍ୟାସନାଲ୍ ବ୍ୟାଙ୍କ୍ର ସମସ୍ତ ଏଟିଏମ୍ରେ ଲାଗିଥିବା ସିସି କ୍ୟାମେରାକୁ ୨୪ ଘଣ୍ଟିଆ ନଜରରେ ରଖୁଛି ମୁମ୍ବାଇସ୍ଥିତ ଇ-ସର୍ଭେଲାନ୍ସ ଟିମ୍। ଦେଶର କୌଣସି ସ୍ଥାନରେ ଥିବା ପିଏନ୍ବି ଏଟିଏମ୍ରେ କିଛି ଅଘଟଣ ଘଟିଲେ, ଏହି ଟିମ୍ ତୁରନ୍ତ ପୁଲିସ କିମ୍ବା ଉକ୍ତ ସ୍ଥାନରେ ଥିବା ଶାଖା ସର୍ଭେଲାନ୍ସ ଟିମ୍କୁ ଜଣାଇଦିଏ। ଗତକାଲି ରାତି ପ୍ରାୟ ୧୧ଟା ୪୫ରେ ବାପ-ପୁଅ ଏଟିଏମ୍ରେ ପଶି ଗ୍ୟାସ୍ କଟର୍ରେ ଚାମ୍ବର କାଟିବା ଆରମ୍ଭ କରିବା ମାତ୍ରେ ମୁମ୍ବାଇ ସର୍ଭେଲାନ୍ସ ଟିମ୍ ଜାଣିପାରିଥିଲା। ତୁରନ୍ତ ଉକ୍ତ ଟିମ୍ ଭୁବନେଶ୍ବର ଶାଖା ଟିମ୍କୁ ଜଣାଇବା ସହ କମିସନରେଟ୍ ପୁଲିସକୁ ବି ଫୋନ୍ କରିଥିଲା। ତେବେ ପୁଲିସ ସହ ଏହି ଟିମ୍ର ଯୋଗାଯୋଗ ସମ୍ଭବ ହୋଇନଥିଲେ ବି ଭୁବନେଶ୍ବର ସର୍ଭେଲାନ୍ସ ଶାଖାର ଟିମ୍ ଏହା ଜାଣିପାରି ତୁରନ୍ତ ଏଟିଏମ୍ ପାଖକୁ ଛୁଟି ଆସିଥିଲେ। ଟିମ୍ର ସଦସ୍ୟମାନେ ସେଠିକାର କିଛି ପରିଚିତ ଲୋକଙ୍କୁ ମଧ୍ୟ ସାଙ୍ଗରେ ଧରି ବାପ-ପୁଅଙ୍କୁ ଘେରି ଯାଇଥିଲେ। ମାତ୍ର କିଛି ଦୂରରେ ବାଇକ୍ ଧରି ପୁଲିସ ଉପରେ ନଜର ରଖିଥିବା ଲୁଟେରା ସେଠାରୁ ଖସି ପଳାଇଥିଲା। ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ କୌଣସି କାରଣରୁ ଲୁଟେରା ଯଦି ଏହି ମିସନ୍ରେ ସଫଳ ହୋଇଥାନ୍ତେ, ତେବେ ପ୍ରାୟ ୧୫ଲକ୍ଷ ଟଙ୍କା ଲୁଟ୍ ହୋଇଯାଇଥାନ୍ତା ବୋଲି ସେ କହିଛନ୍ତି।