ବି.ଆର‌୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ଗର୍ଭାଶୟରୁ ବାହାରିଲା ୮.୩ କେଜିର ଟ୍ୟୁମର୍‌

ଭୁବନେଶ୍ବର: ବି.ଆର୍‌. ଲାଇଫ କଳିଙ୍ଗ ସୁପର୍‌ ସେସ୍ପାଲିଟି ହସ୍ପିଟାଲର ଡାକ୍ତରମାନେ ନୂତନ ତଥା ଆଡ୍‌ଭାନ୍ସ ସର୍ଜିକାଲ ଟେକ୍ନୋଲୋଜିର ବ୍ୟବହାର କରି ୪୮ବର୍ଷୀୟ ଜଣେ ମହିଳାଙ୍କ ଗର୍ଭାଶୟରୁ ୮.୩ କେଜିର ଏକ ଫିବ୍ରଏଡ୍‌ ଟ୍ୟୁମର୍‌ ବାହାର କରିଛନ୍ତି। ମହିଳାଜଣଙ୍କ ହେଲେ, ନିମାପଡ଼ାସ୍ଥିତ ବଦାରୁନ୍‌ ବିବି। ୩ ମାସ ହେବ ବଦାରୁନ୍‌ ତଳ ପେଟରେ ଅତ୍ୟଧିକ ଯନ୍ତ୍ରଣା, ପରିସ୍ରାରେ କଷ୍ଟ ଅନୁଭବ, ଅନିୟମିତ ରକ୍ତସ୍ରାବ ଭଳି ସମସ୍ୟା ଭୋଗୁଥିଲେ। ତାଙ୍କ ତଳିପେଟର ଆକାର ଲଗାତାର ବଢ଼ିବାରେ ଲାଗିଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାରଲୋକେ ତାଙ୍କୁ ଚିକିତ୍ସା ଲାଗି ବି.ଆର‌୍‌ ଲାଇଫ୍‌ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କ ଗର୍ଭାଶୟ ଓ ପେଲ୍‌ଭିକ୍‌ର ଏମ୍‌ଆର‌୍‌ଆଇ ପରେ ତଳ ପେଟରେ ଏକ ବଡ଼ ଟ୍ୟୁମର‌୍‌ (ଆକାର ୨୭x୧୫x୦୭ ସେମି)ଥିବା ଜଣାପଡ଼ିଥିଲା। ତେଣୁ ଟ୍ୟୁମର୍‌କୁ ବାହାର କରିବା ପାଇଁ ଡାକ୍ତରମାନେ ଏକ ଜଟିଳ ଅସ୍ତ୍ରୋପଚାର କରିଥିଲେ।

ଏ ସମ୍ପର୍କରେ ହସ୍ପିଟାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ରଶ୍ମୀ ଈଶ୍ବର ହେଗ୍‌ଡେ କହିଛନ୍ତି ଯେ ୟୁରୋଟରକୁ ଟ୍ୟୁମର‌୍‌ରୁ ଅଲଗା କରିବା ଖୁବ୍‌ ଜଟିଳ ଥିଲା। ତେଣୁ ଆମେ ବାଇଲାଟେରାଲ ସାଲ୍‌ପିଙ୍ଗୋ-ଓଓଫୋରେକ୍ଟୋମି ସହ ସମ୍ପୂର୍ଣ୍ଣ ଆବ୍‌ଡୋମିନାଲ ହିଷ୍ଟେରେକ୍ଟୋମି କରିଥିଲୁ। ସେହିପରି ଟ୍ୟୁମରକୁ ପୁଣିଥରେ ଫେରିବାରୁ ରୋକିବା ପାଇଁ ଉଭୟ ଟ୍ୟୁମର୍‌ ଓ ଗର୍ଭାଶୟକୁ ବାହାର କରିଥିଲୁ। ଯଦି ଏହାର ଚିକିତ୍ସା କରାଯାଇ ନ ଥା’ନ୍ତା, ଟ୍ୟୁମର‌୍‌ଟି ମହିଳାଙ୍କ ଶରୀରର ଏକାଧିକ ଅଙ୍ଗକୁ କ୍ଷତି ପହଞ୍ଚାଇବା ସହ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାନ୍ତା।

ୟୁଟେରାଇନ୍‌ ଫିବ୍ରଏଡ୍‌ଗୁଡିକ ହେଉଛି ଅଣ-କ୍ୟାନ୍ସରଯୁକ୍ତ ଟ୍ୟୁମର, ଯାହା ଗର୍ଭରେ ଥିବା ମା˚ସପେଶୀର ଆବରଣରୁ ବଢ଼ିଥାଏ। ପ୍ରଜନନ ବର୍ଷ ସମୟରେ ଫିବ୍ରଏଡ୍‌ ହେବା ଏକ ସାଧାରଣ କଥା। ଏହା ୩୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟ ୩୦% ମହିଳା ଓ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ୨୦ରୁ ୫୦% ମହିଳାଙ୍କୁ ପ୍ରଭାବିତ କରିଥାଏ। ତେବେ ଫିବ୍ରଏଡ୍‌ ହେବାର କାରଣ ଅସ୍ପଷ୍ଟ। କିନ୍ତୁ ଶରୀରରେ ଏଷ୍ଟ୍ରୋଜେନ୍‌ର ସ୍ତର ଅଧିକ ରହିଲେ ଫିବ୍ରଏଡ୍‌ ବିକଶିତ ହେଉଥିବା କୁହାଯାଏ। ଏହାର ଲକ୍ଷଣଗୁଡିକ ହେଉଛି ବାରମ୍ବାର ପରିସ୍ରା ଲାଗିବା, ତଳ ପିଠିରେ ଯନ୍ତ୍ରଣା ହେବା, ମଳକଣ୍ଟକ, ଆନେମିଆ କାରଣରୁ ହେଉଥିବା ଯନ୍ତ୍ରଣାଦାୟକ ଗର୍ଭାଶୟ ରକ୍ତସ୍ରାବ ଓ ଅଧିକ ବଡ଼ ଫିବ୍ରଏଡ୍‌ ଥିଲେ ତଳ ପେଟରେ ଯନ୍ତ୍ରଣା ଅନୁଭବ ହେବା। ଜୀବନ ବଞ୍ଚାଇଥିବାରୁ ବଦାରୁନ୍‌ ଡାକ୍ତର ଓ ହସ୍ପିଟାଲକୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଏତେ ବର୍ଷ ପର୍ଯ୍ୟନ୍ତ ମୋ ପେଟରେ ଏକ ବଡ଼ ଟ୍ୟୁମର‌୍‌ ରହିଥିବା ସମ୍ପର୍କରେ ମୁଁ କିଛି ବି ଜାଣି ନ ଥିଲି। ଅନେକ ଦିନ ହେବ ମୁଁ ତଳ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲି ଓ ଏହାକୁ ଅଣଦେଖା କରି ଚାଲିଥିଲି। କିନ୍ତୁ ହସ୍ପିଟାଲର ଡାକ୍ତରମାନେ ଓ ଅନ୍ୟ କର୍ମଚାରୀମାନେ ମୋର ବାସ୍ତବ ସମସ୍ୟାକୁ ଚିହ୍ନଟ କରି ଯତ୍ନର ସହ ଚିକିତ୍ସା କରାଇଛନ୍ତି।

ସମ୍ବନ୍ଧିତ ଖବର