ବାଲିଯାତ୍ରା ଦୁଲୁକାଇବେ ବଲିଉଡ୍‌ କଳାକାର: ଏଥର ଷ୍ଟଲ୍‌ ସଂଖ୍ୟା ୫୦୦ ଛୁଇଁବ, ଶୃଙ୍ଖଳା ରକ୍ଷାରେ ସୁରକ୍ଷା ବାହିନୀ

ଚନ୍ଦ୍ରଶେଖରପୁର: ଐତିହାସିକ ପଟିଆବନ୍ଧ କଡ଼ କୁଆଖାଇ ନଦୀପଠାରେ ଚଳିତ ବର୍ଷ ଜମିବ ଭୁବନେଶ୍ବର ବାଲିଯାତ୍ରା। ନଭେମ୍ବର ୨୭ରୁ ‌ଡିସେମ୍ବର ୫ ପର୍ଯ୍ୟନ୍ତ ୯ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ପାଇଁ ଏବର୍ଷ ବ୍ୟାପକ ଆୟୋଜନ କରାଯାଇଛି। ଚଳିତ ବର୍ଷ ୫୦୦ରୁ ଅଧିକ ଷ୍ଟଲ୍‌ ଖୋଲାଯିବାକୁ ଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଥର ବଲିଉଡ୍‌ କଳାକାର ଓ ପ୍ରଚ୍ଛଦପଟ୍ଟ ଗାୟିକାଙ୍କ ବୋବାଲ୍‌ ଦେଖିବାକୁ ମିଳିବ। ଓଡ଼ିଶାର ପ୍ରତିଷ୍ଠିତ କଳାକାର, କଣ୍ଠଶିଳ୍ପୀମାନଙ୍କ ସହ ବହୁ ଲୋକକଳା, ଲୋକନୃତ୍ୟର ଝଲକ ମଧ୍ୟ ଦେଖିବାକୁ ମିଳିବ। ଏନେଇ ଆଜି ବାଲିଯାତ୍ରା କମିଟିର ଦ୍ବିତୀୟ ପ୍ରସ୍ତୁତି ବୈଠକରେ ବ୍ୟାପକ ଆଲୋଚନା କରାଯାଇଛି।

୨୦୧୭ ମସିହାରେ ମାତ୍ର ୩୦ଟି ଷ୍ଟଲ୍‌ରୁ ପରିକଳ୍ପନା ହୋଇଥିବା ଏହି ବାଲିଯାତ୍ରା ୨୦୨୨ ମସିହା ବେଳକୁ ଷ୍ଟଲ୍‌ ସଂଖ୍ୟା ୪୫୦ରେ ପହଞ୍ଚିଥିଲା। ଧୀରେଧୀରେ ଏହି ବାଲିଯାତ୍ରାର ଲୋକପ୍ରିୟତା ବଢ଼ୁଛି। ଗତବର୍ଷ ହଜାର ହଜାର ଲୋକଙ୍କ ସମାଗମ ଓ ବ୍ୟବସାୟୀଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୫୦୦ରୁ ଅଧିକ ଷ୍ଟଲ୍‌ ଖୋଲିବାକୁ ଅନୁମତି ଦିଆଯିବ। ମେଳା ବୁଲାକୁ ଅଧିକ ଆକର୍ଷଣୀୟ କରିବାକୁ ୧୫୦ରୁ ଅଧିକ ସ୍ବାଦିଷ୍ଟ ଖାଦ୍ୟ ଷ୍ଟଲ୍‌ ଖୋଲିବ। ଛୋଟ ପିଲାଙ୍କ ପାଇଁ ସ୍ବାଭାବିକ ଭାବେ ରାମଦୋଳି ଓ ଚକ୍ରି ଆଦିର ବନ୍ଦୋବସ୍ତ ହେବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ଗତବର୍ଷ ଦୁଇଟି ମଞ୍ଚ ହୋଇଥିଲା। ଏଥର ମଞ୍ଚ ସଂଖ୍ୟା ବଢ଼ାଇବାକୁ ଯୋଜନା କରାଯାଉଛି। ପ୍ରତିଦିନ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ଭିଡ଼ ନିୟନ୍ତ୍ରଣ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।

ବାଲିଯାତ୍ରା ବୁଲିବାକୁ ଆସୁଥିବା ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ବାଲିଯାତ୍ରା କମିଟି ପକ୍ଷରୁ ସ୍ବତନ୍ତ୍ର ସ୍ବେଚ୍ଛାସେବୀଙ୍କୁ ନେଇ ସୁରକ୍ଷା ବାହିନୀ ଗଠନ କରାଯିବ। ଏଥିସହ କମିସନରେଟ୍‌ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ। ସୁରକ୍ଷା ଉପରେ ନଜର ରଖିବା ପାଇଁ ମେଳା ପରିସରରେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। ଅଗ୍ନିଶମ ବାହିନୀ ଓ ରେଡ୍‌କ୍ରସ ପକ୍ଷରୁ ଉଚିତ ସେବା ଯୋଗାଇ ଦିଆଯିବ। ପଲିଥିନ୍‌ ମୁକ୍ତ ମେଳା ପାଇଁ ସମସ୍ତ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯିବ। ‌ଲୋକଙ୍କୁ ଯେପରି ଗୁଣାତ୍ମକ ମାନର ଖାଦ୍ୟ ମିଳିବ, ତା’ ଉପରେ ମଧ୍ୟ କଡ଼ା ନଜର ରଖାଯିବ। ବାଲିଯାତ୍ରା ସମୟରେ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଥିବାରୁ ତାହାର ସମାଧାନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଟ୍ରାଫିକ୍‌ ପରିଚାଳନା ଭାର ପୁଲିସ ଉପରେ ନ୍ୟସ୍ତ ରହିଲେ ବି ସ୍ବେଚ୍ଛାସେବୀଙ୍କୁ ନେଇ ଗଠିତ ସୁରକ୍ଷା ବାହିନୀ ପୁଲିସକୁ ସହଯୋଗ କରିବେ।

ମଞ୍ଚେଶ୍ବରରୁ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ରାସ୍ତାର ଆଲୋକୀକରଣ ସରିଛି ଏବଂ ଖୁବ୍‌ ଶୀଘ୍ର ତାହାକୁ କାର୍ଯ୍ୟକ୍ଷମ କରାଯିବ। ଚନ୍ଦ୍ରଶେଖରପୁର, ଡମଣା, ପଟିଆ ପାର୍ଶ୍ବରୁ ବାଲିଯାତ୍ରା ପଡ଼ିଆକୁ ଯାଉଥିବା ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଟିଆ ଷ୍ଟେସନରୁ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ଆଲୋକୀକରଣ କରିବାକୁ ଭୁବନେଶ୍ବର ବାଲିଯାତ୍ରା କମିଟି ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ କହିଛନ୍ତି। ବିଧାୟକ ଶ୍ରୀ ରାଉତଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଦ୍ବିତୀୟ ସମୀକ୍ଷା ବୈଠକରେ ଏହି ସବୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ସତ୍ୟବିହାରସ୍ଥିତ ଏକ ରିସର୍ଟରେ ଅନୁଷ୍ଠିତ ଏହି ବୈଠକରେ ବାଲିଯାତ୍ରା କମିଟିର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ପାତ୍ର, ଅନ୍ନପୂର୍ଣ୍ଣା ମିଶ୍ର, ମିହିର କୁମାର ରାଉତ, ସନ୍ତୋଷ ନାଥ, ଅନୁପ ଖୁଣ୍ଟିଆ, ଅଶୋକ ପାତ୍ର, ଯଶୋବନ୍ତ ଓଝା, ତପନ ବଳିୟାରସିଂ, ନିର୍ମଳ ରାଉତ, ଅଭୟ ବଡ଼ଜେନା, ଇଞ୍ଜଣା ସରପଞ୍ଚ ହେମନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ବୈଠକ ଅବସରରେ ବାଲିଯାତ୍ରାର ଗ୍ରାଉଣ୍ଡ୍‌ ମ୍ୟାପ୍‌ ଉନ୍ମୋଚିତ ହୋଇଛି।

ସମ୍ବନ୍ଧିତ ଖବର