ଭୁବନେଶ୍ୱର : ଚଳିତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ପରେ ଛାତ୍ରଛାତ୍ରୀଙ୍କ ବିରୋଧ ଯୋଗୁଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଷ୍ଟୁଡେଣ୍ଟ କାଉନସିଲ୍‌ (ଛାତ୍ର ପରିଷଦ) ଗଠନ କରିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି। ଆଜି ପିଜି କାଉନସିଲ୍‌ ଅଧ୍ୟକ୍ଷ ବିଶ୍ୱବିଦ୍ୟାଳୟର ସମସ୍ତ ନିୟମିତ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ଏନେଇ ଚିଠି ଲେଖିଛନ୍ତି। ବିଭାଗୀୟ ମୁଖ୍ୟମାନେ ସେମାନଙ୍କ ବିଭାଗର ଜଣେ ଲେଖାଏଁ ଛାତ୍ର ପ୍ରତିନିଧିଙ୍କ ନାମ ଆସନ୍ତା ୨୭ତାରିଖ ସୁଦ୍ଧା ସୁପାରିସ କରିବାକୁ ଏଥିରେ କୁହାଯାଇଛି। ବିଶ୍ୱବିଦ୍ୟାଳୟର ସାଂସ୍କୃତିକ, କ୍ରୀଡ଼ା ଏବଂ ବକ୍ତତା ପରି ବିଭିନ୍ନ ଛାତ୍ରଛାତ୍ରୀ ସଂପୃକ୍ତ ରହୁଥିବା କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ପାଇଁ ଏହି ତାଲିକା ପଠାଇବାକୁ କୁହାଯାଇଛି। ତେଣୁ ୨୦୧୭-୧୮ ଶିକ୍ଷାବର୍ଷ ଲାଗି ଏହି ଷ୍ଟୁଡେଣ୍ଟ କାଉନସିଲ୍‌ ଗଠନ ହେବାର ପଥ ପରିଷ୍କାର ହୋଇଛି।

Advertisment

ଉଲ୍ଲେଖଯୋଗ୍ୟ ଯେ ଆଜି ପୂର୍ବାହ୍ନରେ ବିଶ୍ୱବିଦ୍ୟାଳୟର ଏକ ଛାତ୍ର ଗୋଷ୍ଠୀ ଛାତ୍ର ସଂସଦ ନିର୍ବାଚନ ଦାବିରେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହାପରେ କୁଳପତିଙ୍କ ସହ ପ୍ରାୟ ଏକ ଘଣ୍ଟା ଧରି ବିଚାରବିମର୍ଶ କରିବା ପରେ ଷ୍ଟୁଡେଣ୍ଟ କାଉନସିଲ୍‌ ଗଠନ ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ।