ବିଜେପିର ସତ୍ୟାଗ୍ରହ ଆନ୍ଦୋଳନ

ଗଣତନ୍ତ୍ର ଏବେ ଆତଙ୍କତନ୍ତ୍ରରେ ପରିଣତ ହୋଇଛି: ବାବୁ ସିଂହ

ଭୁବନେଶ୍ୱର: ବିଜେଡିର ହିଂସାତ୍ମକ ଆଚରଣ ପ୍ରତିବାଦରେ ଆଜି ବିଜେପି କର୍ମକର୍ତ୍ତାମାନେ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହଙ୍କ ନେତୃତ୍ବରେ ମୁହଁରେ କଳାପଟି ବାନ୍ଧି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି। ଶ୍ରୀ ସିଂହ କହିଛନ୍ତି ଯେ ଗତ ୧୨ ତାରିଖ ଦିନ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଦ ପିଇ ଗାଡ଼ି ଚଳାଇ ବାଣପୁରଠାରେ ବିଜେପି କାର୍ଯ୍ୟକର୍ତାଙ୍କୁ ମାରିବାର ହୀନ ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ। ରାଜନୀତିରେ ହିଂସାର ସ୍ଥାନ ନାହିଁ ଏବଂ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ମଧ୍ୟ ଗ୍ରହଣୀୟ ନୁହେଁ।

ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ଅପରାଧିକ ଭିତ୍ତିଭୂମି ଓ କାର୍ଯ୍ୟକଳାପର ଇତିହାସ ଥିବା ସତ୍ତ୍ବେ ବିଜେଡି ତାଙ୍କୁ ଏଭଳି କାର୍ଯ୍ୟ ପାଇଁ ପ୍ରୋତ୍ସାହିତ କରି ଆସୁଥିଲା। ମିଛ ନିଲମ୍ବନର ନାଟକ କରି ଶାସକ ବିଜେଡି ରାଜ୍ୟବାସୀଙ୍କୁ ଭ୍ରମିତ କରିଛି। ସେହିପରି ଝାରପଡ଼ାରେ ବିଜେପି କର୍ପୋରେଟର୍‌ ପ୍ରାର୍ଥୀଙ୍କ ପରିବାର ସଦସ୍ୟଙ୍କୁ ବିଜେଡି ନେତା ଓ ଗୁଣ୍ଡାଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ କରାଯିବା ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ। ମୁଖ୍ୟମନ୍ତ୍ରୀ ନିଜର ଛତ୍ରଛାୟା ତଳେ ବିଜେଡି ନେତାଙ୍କୁ ରଖି ହିଂସାକୁ ଅଧିକ ପ୍ରବର୍ତାଉଛନ୍ତି।

ଆଜିର ଏହି ପ୍ରତିବାଦ ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ସମ୍ପାଦିକା ପିଙ୍କି ପ୍ରଧାନ, ମୁଖପାତ୍ର ଠାକୁର ରଣଜିତ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜୟନ୍ତ ଜେନା ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର