ଧୀରିକୁଟି ସାହି ଉନ୍ନୟନ କମିଟି ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର : କୋଭିଡ୍‌ କାରଣରୁ ରକ୍ତଭଣ୍ଡାରମାନଙ୍କରେ ରକ୍ତର ଅଭାବ ଦେଖାଦେଇଛି। ଏହି ଅଭାବକୁ କିଛି ମାତ୍ରାରେ ପୂରଣ କରିବା ପାଇଁ ଭୁବନେଶ୍ବରର ଅଗ୍ରଣୀ ଅନୁଷ୍ଠାନ ଧୀରିକୁଟି ସାହି ଉନ୍ନୟନ କମିଟି ଟ୍ରଷ୍ଟ, ଯୁବକ ସଂଘ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛା ରକ୍ତଦାନ ଶିବିର ଧୀରିକୁଟି ସାହିସ୍ଥିତ କମ୍ୟୁନିଟି ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ମଞ୍ଚେଶ୍ବର ସେବାକେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ମଞ୍ଜୁ ଭଉଣୀ ଯୋଗ ଦେଇ ଶିବିର ଉଦଘାଟନ କରିଥିଲେ। ଭୁବନେଶ୍ବର ବିଜେଡି ଜିଲ୍ଲା ସଂପାଦକ ପ୍ରସନ୍ନ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କମିଟିର ସଭାପତି କାର୍ତ୍ତିକ ଚନ୍ଦ୍ର ମହାଳିକ, ଉପ-ସଭାପତି ମାନସ ମହାନ୍ତି, ସଂପାଦକ ମାନସ କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ ନାରାୟଣ ଖୁଣ୍ଟିଆ, ଉପଦେଷ୍ଟା ଦାଶରଥୀ ମହାପାତ୍ର ଓ ରସାନନ୍ଦ ସ୍ବାଇଁ ଶିବିର ପରିଚାଳନା କରିଥିଲେ। ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା। କମିଟି ଓ ଯୁବକ ସଂଘର ସମସ୍ତ ସଦସ୍ୟ ତଥା ସ୍ଥାନୀୟ ରକ୍ତଦାତାମାନେ ଏହି ଶିବିରରେ ରକ୍ତଦାନ କରିଥିଲେ। ବିଶେଷ କରି ୫୦ ବର୍ଷୀୟା ମହିଳାମାନେ ଆସି ରକ୍ତଦାନ କରିବା ସମସ୍ତଙ୍କୁ ଅଧିକ ଆନନ୍ଦ ଦେଇଥିଲା।

ସମ୍ବନ୍ଧିତ ଖବର