କ୍ୟାପିଟାଲ ହସ୍ପିଟାଲରେ ଅସାମାଜିକଙ୍କ ଆଡ଼ା ଘଟଣା

ହସ୍ପିଟାଲ କର୍ତୃପକ୍ଷଙ୍କୁ କାରଣଦର୍ଶାଅ ନୋଟିସ୍

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଅସାମାଜିକ ବ୍ୟକ୍ତି ଆଡ଼ା ଜମାଇବା ଘଟଣାରେ ହସ୍ପିଟାଲ କର୍ତୃପକ୍ଷଙ୍କୁ ଜବାବ ତଲବ କରିଛନ୍ତି ସ୍ବାସ୍ଥ୍ୟ ସଚିବ ଓ ପୁଲିସ କମିସନର୍‌। କେଉଁ ପରିସ୍ଥିତିରେ ଅସାମାଜିକ ବ୍ୟକ୍ତିମାନେ ଆଡ଼ା ଜମାଉଛନ୍ତି, ସେ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ତେବେ କିଛି ଅସାମାଜିକ ବ୍ୟକ୍ତି ହସ୍ପିଟାଲ ପରିସରରେ ଆଡ଼ା ଜମାଉଥିବା ଓ କର୍ମଚାରୀଙ୍କୁ ଧମକ ଚମକ ଦେଉଥିବା ହସ୍ପିଟାଲ ନିର୍ଦେଶକ ଚିଠିରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। କ୍ୟାପିଟାଲ ହସ୍ପିଟାଲର ଜଣେ ଷ୍ଟାଫ ନର୍ସଙ୍କୁ ବ୍ଲାକମେଲ କରାଯିବା ଘଟଣା ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ନିର୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ହସ୍ପିଟାଲ ନିର୍ଦେଶକ ମଧ୍ୟ ଚିଠିର ଉତ୍ତର ରଖିଥିବା ଜଣାପଡ଼ିଛି। ହସ୍ପିଟାଲର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ହସ୍ପିଟାଲ ପରିସରରୁ କିଭଳି ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ହଟିବ, ସେଥିପାଇଁ ବ୍ୟବସ୍ଥା କରିବାକୁ ପୁଲିସ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଏହାସହ ମହିଳା ଷ୍ଟାଫନର୍ସଜଣକ ମେଲ ଜରିଆରେ ନିଜର ଇସ୍ତଫା ଦେଇଥିଲେ। ଏ ସଂପର୍କରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଓ ପୁଲିସକୁ ଜଣାଇ ଦିଆଯାଇଛି ବୋଲି ଅଧିକାରୀଜଣକ କହିଛନ୍ତି। ଅପରପକ୍ଷେ ଏହି ଘଟଣା ପଦାକୁ ଆସିବା ପରେ ହସ୍ପିଟାଲରେ ଜୋରଦାର୍‌ ଚର୍ଚା ଆରମ୍ଭ ହୋଇଛି। ଅନେକ ଏଭଳି କାର୍ଯ୍ୟକଳାପ ବିରୋଧରେ ସ୍ବର ଉଠାଇବା ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ଏଭଳି ଘଟଣା ଯେପରି ନ ଘଟିବ, ସେଥିପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର