କାର୍‌କୁ ପିଟିଲା କାର୍‌, ୪ ଗୁରୁତର 

ଭୁବନେଶ୍ୱର: ଆଜି ଅପରାହ୍ଣ ପ୍ରାୟ ୪ଟା ସମୟରେ ସତ୍‌ସଙ୍ଗ ମନ୍ଦିର ସମ୍ମୁଖରେ ଏକ ଦୁର୍ଘଟଣା ଘଟିଛି। ରସୁଲଗଡ଼ ପଟୁ ଆସୁଥିବା ଏକ କାର ଭାରସାମ୍ୟ ହରାଇ ଡିଭାଇଡର୍‌ ଡେଇଁ ରାସ୍ତା ଆରପାଖକୁ ଚାଲି ଆସିବାରୁ ବାଣୀବିହାରରୁ ରସୁଲଗଡ଼ ପଟକୁ ଯାଉଥିବା ଏକ କାରକୁ ସମ୍ନା ପଟୁ ଧକ୍କା ଦେଇଥିଲା। ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେଠାରେ ଥିବା କିଛି ସ୍ଥାନୀୟ ଲୋକେ ଆହତମାନଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି। ଦୁର୍ଘଟଣା ଯୋଗୁଁ ବାଣୀବିହାରରୁ ରସୁଲଗଡ଼ ରାସ୍ତା ଅନେକ ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ସହିଦନଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବାରୁ ଗାଡ଼ିମଟର ଚଳାଚଳ ସ୍ୱାଭାବିକ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ଆଜି ଅପରାହ୍ଣ ପ୍ରାୟ ୪ଟା ସମୟରେ ରସୁଲଗଡ଼ରୁ ବାଣୀବିହାର ଆଡ଼କୁ ଯାଉଥିବା ଏକ କାର ଭାରସାମ୍ୟ ହରାଇ ରାସ୍ତାରେ ଥିବା ଡିଭାଇଡର୍‌କୁ ଡେଇଁ ରାସ୍ତା ଆରପାଖରେ ଯାଉଥିବା ଅନ୍ୟ ଏକ କାରକୁ ସମ୍ନା ପଟୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ସ୍ଥାନୀୟ ଲୋକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲ ପଠାଯାଇଛି ବୋଲି ସୂଚନା ମିଳିଛି। ଆହତମାନେ ହେଲେ ଲକ୍ଷ୍ମୀସାଗର ତଳ ସାହିର ଲକ୍ଷ୍ମୀଧର ବେହେରା, ବୌଦ୍ଧ ଅଞ୍ଚଳର ସୁଆ ସ୍ୱାଇ,ଁ ସୁବାସ କୁମାର ମହାନ୍ତି ଓ ଅନ୍ୟ ଜଣେ ସୁବାସଙ୍କ ସାଙ୍ଗ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର