ଜି-୨୦ ସମ୍ମିଳନୀ ପାଇଁ କମିସନରେଟ୍‌ ପୁଲିସର କଡ଼ା ସୁରକ୍ଷା: ଦାୟିତ୍ବରେ ୧୬୦ ଅଧିକାରୀ, ୨୨ ପ୍ଲାଟୁନ୍‌ ପୁଲିସ୍‌

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ଅନୁଷ୍ଠିତ ହେବ ଜି-୨୦ ସମ୍ମିଳନୀ। ବିଭିନ୍ନ ଦେଶର ପ୍ରତିନିଧି ଦଳ ରାଜଧାନୀରେ ପହଞ୍ଚି ସାରିଛନ୍ତି। ଏହି ସମ୍ମିଳନୀ ବୁଧବାର ଆଇଏମ୍‌ଏମ୍‌ଟିରେ ହେବାକୁ ଥିବା ବେଳେ ୨୭ ଓ ୨୮ ତାରିଖରେ ମେ’ ଫେୟାରରେ ଅନୁଷ୍ଠିତ ହେବ। ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅତିଥିମାନେ ବିମାନବନ୍ଦରରୁ ହୋଟେଲ୍‌ ଏବଂ ହୋଟେଲ୍‌ରୁ କାର୍ଯ୍ୟକ୍ରମସ୍ଥଳୀକୁ ଯାତାୟାତ ବେଳେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଅତିଥି ରହୁଥିବା ‌ହୋଟେଲ୍‌ ସମ୍ମୁଖରେ ଅସ୍ଥାୟୀ କ୍ୟାମ୍ପ କରାଯାଇଛି। ଏହାଛଡ଼ା ପୁଲିସ କର୍ମଚାରୀ କିଭଳି ଅତିଥିଙ୍କୁ ବ୍ୟବହାର କରିବେ ସେନେଇ ଆଜି ଆଇଏମ୍‌ଏମ୍‌ଟି ସମ୍ମିଳନୀ କକ୍ଷରେ ପ୍ରତ୍ୟେକ ପୁଲିସ କର୍ମଚାରୀଙ୍କୁ ବୁଝାଯାଇଛି। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ଡିସିପି ପ୍ରତୀକ ସିଂ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସୁରକ୍ଷା ପାଇଁ ଡିସିପିଙ୍କ ନେତୃତ୍ବରେ ୫ଜଣ ଏଡିସିପି, ଏସିପି, ଆଇଆଇସି, ଏସ୍‌ଆଇଙ୍କୁ ମିଶାଇ ୧୬୦ଜଣ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ୨୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ହୋଟେଲ୍‌ ସମେତ ବିଭିନ୍ନ ସ୍ଥାନରେ ସିସିଟିଭି ମଧ୍ୟ ଖଞ୍ଜାଯାଇ ପ୍ରତିଟି ଦିଗ ଉପରେ ନଜର ରଖାଯାଇଛି।

ସମ୍ବନ୍ଧିତ ଖବର