୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ: ୫-ଟି ସ୍କୁଲ ରୂପାନ୍ତରର ତୃତୀୟ ପର୍ଯ୍ୟାୟ ‌ଆରମ୍ଭ

ଭୁବନେଶ୍ବର: ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲ, ଅନୁଗୁଳର ୮୭ଟି, କେନ୍ଦୁଝରର ୫୭ଟି ଓ ଜଗତସିଂହପୁରର ୧୦୭ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି। ତିନିଟି ପର୍ଯ୍ୟାୟ ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ।

ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡ଼ି ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଛାତ୍ରଛାତ୍ରୀମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା। ୫-ଟି ସ୍କୁଲଗୁଡ଼ିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡ଼ିଶାର ଗୌରବ ବୃଦ୍ଧି ହେବ। ଏହିସବୁ ସ୍କୁଲରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ଯଦି ନିଜ ଜୀବନରେ ୫-ଟିର ଉପଯୋଗ କରିବେ, ତେବେ ସେମାନେ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇପାରିବେ। ଏହାକୁ ବ୍ୟାଖ୍ୟାନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ । ତେଣୁ ପିଲାମାନେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ। ଦ୍ବିତୀୟ ବିଷୟଟି ହେଉଛି ଟିମ୍‌ୱାର୍କ। ପିଲାମାନେ ମିଳିମିଶି କାମ କଲେ, ସଫଳତାର ସମ୍ଭାବନା ବଢ଼ିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍‌ୱାର୍କ ଅତି ଜରୁରୀ। ସେହିପରି ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା। ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ସମୟର ଗୁରୁତ୍ବ ସଂପର୍କରେ ସମସ୍ତେ ଜାଣିଛନ୍ତି। ତେଣୁ ଏ ସବୁ ସହିତ ସମୟର ଉପଯୋଗ ଠିକ୍ ଭାବରେ କରିପାରିଲେ, ପିଲାମାନେ ନିଶ୍ଚୟ ସବୁକ୍ଷେତ୍ରରେ ଆଗରେ ରହିବେ ଓ ସେମାନଙ୍କ ଜୀବନରେ ରୂପାନ୍ତର ବା ସଫଳତା ଆସିବ।

୫-ଟି ସ୍କୁଲ ରୂପାନ୍ତରର ତୃତୀୟ ପର୍ଯ୍ୟାୟ ‌ଆରମ୍ଭ
ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସବୁ ସରକାରୀ ହାଇସ୍କୁଲ ରୂପାନ୍ତରିତ ହେବ
ଛାତ୍ରମାନଙ୍କ ସଫଳତା ଓଡ଼ିଶାର ସଫଳତା: ମୁଖ୍ୟମନ୍ତ୍ରୀ

କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକଗଣ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ୫-ଟି ହେଉଛି ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟ୍ରାନସ୍‌ପରେନ୍‌ସି ବା ସ୍ବଚ୍ଛତା ଓ ଟାଇମ ବା ସମୟ । ଏସବୁର ପ୍ରୟୋଗରେ ଟ୍ରାନ୍ସଫର୍ମେସନ ବା ରୂପାନ୍ତର ଆସିଥାଏ। ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ୫-ଟି ରୂପାନ୍ତର ସଂପର୍କରେ ସେମାନଙ୍କର ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରିଥିଲେ । ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ପରଙ୍ଗ ସେଣ୍ଟେନାରି ଟ୍ରାଇବାଲ ହାଇସ୍କୁଲର ଛାତ୍ରୀ ସୁପ୍ରିୟା ପଟ୍ଟନାୟକ, ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାସ୍ଥିତ ଆର୍ଯ୍ୟବନ ଗୁରୁକୁଳ ବିଦ୍ୟାଳୟର ଛାତ୍ରୀ ସ୍ମୃତି ପଲାଇ, ଜଗତସିଂହପୁର ରୂପାନ୍ତରିତ ସ୍କୁଲର ଛାତ୍ରୀ ସ୍ବାତୀସ୍ନିଗ୍ଧା ଆଚାର୍ଯ୍ୟ ଏବଂ କେନ୍ଦୁଝର ଜିଲ୍ଲାର ସନ୍ତୋଷୀ ମା’ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ଶୁଭାସିନୀ ମୁଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ସହ ମତବିନିମୟ କରି ସେମାନେ ଭବିଷ୍ୟତରେ କ’ଣ ହେବାକୁ ଚାହାନ୍ତି ବୋଲି ପଚାରିବାରୁ, ସେମାନେ ସମସ୍ତେ ପ୍ରଶାସନିକ ଅଧିକାରୀ, ଡାକ୍ତର ଓ ଇଂଜିନିୟର ହେବେ ବୋଲି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାରେ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜଗତସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଏବଂ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ନାୟକ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ। ପିଲାମାନଙ୍କ ସହିତ ଆଲୋଚନାରେ ଭାଗ ନେଇ ୫-ଟି ସଚିବ ଭି. କେ. ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ କେବଳ ଉନ୍ନତ ଶିକ୍ଷା ବ୍ୟବସ୍ଥା କରିନାହାନ୍ତି, ଏହା ସହିତ ସେମାନଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରିଛନ୍ତି । ଆଗାମୀ ୬ ମାସ ମଧ୍ୟରେ ରାଜ୍ୟର ସବୁ ସ୍କୁଲକୁ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ବିଭାଗର ସଚିବ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର