ରାଜଧାନୀରେ ୧୮୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୭ ଶିଶୁ

ବିଏମ୍‌ସି ସୂଚନାରେ ତ୍ରୁଟି

ଭୁବନେଶ୍ୱର : ଆଜି ରାଜଧାନୀରେ ୧୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୭ ଜଣ ଶିଶୁ ରହିଛନ୍ତି। ପଟିଆରେ ସର୍ବାଧିକ ୫ ଜଣ ଶିଶୁକନ୍ୟା ଚିହ୍ନଟ ହୋଇଛନ୍ତି। ପ୍ରତ୍ୟେକ ଶିଶୁକନ୍ୟାଙ୍କ ବୟସ ୭ ବର୍ଷ। ଏଣୁ ଏମାନେ କୌଣସି ପରିବାରରୁ ନୁହେଁ, ବରଂ କେଉଁ ଅନୁଷ୍ଠାନରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ତେବେ ଆକ୍ରାନ୍ତ ସଂଖ୍ୟା କ୍ରମଶ କମୁଥିବାରୁ ଏହା ଆଶ୍ବସ୍ତି ଆଣିଛି। ଆଜି ଚିହ୍ନଟ ୧୮୭ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ୧୪ ଜଣ, ନୂଆପଲ୍ଲୀରୁ ୧୧ ଜଣ ଏବଂ ସହିଦନଗର ଓ ସୁନ୍ଦରପଦାରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ବିଏମ୍‌ସି ଦେଉଥିବା କରୋନା ତଥ୍ୟରେ ଯାବତୀୟ ତ୍ରୁଟି ପରିଲକ୍ଷିତ ହୋଇଛି। ଗତକାଲି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର ୨୯୨ ବୋଲି ଦର୍ଶାଯାଇଥିଲା। ଏହି ସଂଖ୍ୟା ଆଜି ୧ ଲକ୍ଷ ୬ ହଜାର ୨୬୬ ବୋଲି ଦର୍ଶାଯାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା କିଭଳି କମିଗଲା ସେ‌ ନେଇ ପ୍ରଶ୍ନ ଉଠିଛି। ଏହି ତ୍ରୁଟି ଏବେ ସମଗ୍ର ତଥ୍ୟକୁ ପ୍ରଭାବିତ କରିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ୩୩୦୮ଦର୍ଶାଯାଇଥିବା ବେଳେ ୩୩୦୩ ଦର୍ଶାଯାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟାରେ ତ୍ରୁଟି ଥିବାରୁ ସକ୍ରିୟଙ୍କ ସଂଖ୍ୟା ମଧ୍ୟ ବଢ଼ିବା କୁହାଯାଉଛି। ଏଣୁ ପ୍ରଶାସନ ଏହି ସଂଖ୍ୟାକୁ ଜାଣି ଜାଣି କମାଉଥିବା ପ୍ରମାଣିତ ହେଉଛି।

ସମ୍ବନ୍ଧିତ ଖବର