କଟକ : କର୍କଟ କେନ୍ଦ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧୩୫ ଟପିଲାଣି

ମୃତ୍ୟୁସଂଖ୍ୟା ନେଇ କେନ୍ଦ୍ରରେ ତଥ୍ୟ ନାହିଁ, ସୁସ୍ଥ ହୋଇ ଯିବା ପରେ ରୋଗୀଙ୍କ ଅବସ୍ଥା ସମ୍ପର୍କରେ ଯାଞ୍ଚ ହେଉନି

କଟକ : ଗତମାସରେ ହଟ୍‌ସ୍ପଟ୍‌ ପାଲଟିଥିବା କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସ୍ଥିତି ଏବେ ନିୟନ୍ତ୍ରଣରେ। ଆଣ୍ଟିଜେନ୍‌ ପରୀକ୍ଷା କରି ଭର୍ତ୍ତି କରାଯାଉଛି ରୋଗୀଙ୍କୁ। ହେଲେ ଗୁରୁତର ରୋଗୀଙ୍କୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଓ ସଂକ୍ରମିତ ବୃଦ୍ଧି ଆଶଙ୍କା ନେଇ ମେଡିକାଲରେ ଭର୍ତ୍ତି କରାଯାଉନି। ଏଭଳି ଅଭିଯୋଗ ହେଉଥିବା ବେଳେ କରୋନା ସଂକ୍ରମିତ କର୍କଟ ରୋଗୀଙ୍କ ମୃତ୍ୟୁ ସଂଖ୍ୟା କେତେ? ଘରକୁ ସୁସ୍ଥ ହୋଇ ଯିବା ପରେ ସେମାନଙ୍କ ସ୍ଥିତି କ’ଣ? ସେ ସଂପର୍କରେ କର୍କଟ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ପାଖରେ କିଛି ତଥ୍ୟ ନାହିଁ। ଅନ୍ୟପ‌ଟେ ଗତକାଲି ଟାଙ୍ଗୀ‌ରେ ଜଣେ କରୋନା ସଂକ୍ରମିତ କର୍କଟ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ପରେ ତାଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ବରର ଏକ କୋଭିଡ୍‌ ହସ୍ପିଟାଲରେ ମଧ୍ୟ ସଂକ୍ରମିତ କର୍କଟ ରୋଗୀଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରୁ ପାଖାପାଖି ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।

ସୂଚନାଯୋଗ୍ୟ, ଗତ ମାସ ୨୪ ତାରିଖରେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ଚିକିତ୍ସିତ ହେଉଥିବା ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ୨୯ବର୍ଷୀୟ କର୍କଟ ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ରୋଗୀଜଣଙ୍କ ୧୯ ତାରିଖରେ କର୍କଟ କେନ୍ଦ୍ର ପୁରୁଷ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେଠାରେ ଦୁଇଦିନ ଚିକିତ୍ସିତ ହେବା ପରେ ୨୧ତାରିଖରେ ପେନ୍‌ କ୍ଲିନିକ୍‌ ବା ଜରୁରୀକାଳୀନ ବିଭାଗକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ୨ଟି ୱାର୍ଡକୁ ସ୍ଥାନାନ୍ତରଣ ଭିତରେ ତାଙ୍କ ସଂସ୍ପର୍ଶରେ ୬୦ରୁ ଊର୍ଧ୍ବ ଲୋକ ଆସିଥିଲେ। କର୍କଟ ରୋଗୀଙ୍କ ‌ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହିଥିବାରୁ ସଂକ୍ରମଣ ଆଶଙ୍କା ସେମାନଙ୍କଠାରେ ଅଧିକ ଥାଏ। ତେଣୁ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ, କୋଭିଡ୍ କର୍ଣ୍ଣର ବା ଆଇସୋଲେସନ୍‌ ୱାର୍ଡ କର୍କଟ କେନ୍ଦ୍ରରେ ଜରୁରୀ। କିନ୍ତୁ ତାହା ଏଠାରେ କରାଯାଇ ନଥିବାରୁ ସଂକ୍ରମଣ ବିସ୍ଫୋରକ ରୂପ ନେଲା। ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପରେ କର୍କଟ କେନ୍ଦ୍ରକୁ ସାନିଟାଇଜ୍‌ କରାଗଲା ନାହିଁ। ଫଳ‌ରେ ସଂକ୍ରମଣ ବଢ଼ିଲା। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ୧୨୩୨ ସ୍ବାବ୍‌ ପରୀକ୍ଷା‌ ଓ ପାଖାପାଖି ୫୦୦ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲା। ସେଥିରୁ ୧୩୦ଜଣ ସ୍ବାବ୍‌ ପରୀକ୍ଷାରୁ ଓ ୭ଜଣ ଆଣ୍ଟିଜେନ୍‌ ପରୀକ୍ଷାରୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର