ଟ୍ରାଫିକ୍‌ ମ୍ୟାନେଜମେଣ୍ଟ କମିଟି ବୈଠକ : କେହି ଆସିଲେନି, ବୈଠକ ବାତିଲ କଲେ ପୁଲିସ କମିସନର୍

ନୋଟିସ୍ ହେବ, ହାଇକୋର୍ଟଙ୍କୁ ଜଣାଇ ଦିଆଯିବ

କଟକ : ବର୍ଷେ ହେବ ବନ୍ଦ ପଡ଼ିଥିବା ଟିଏମସି(ଟ୍ରାଫିକ୍‌ ମ୍ୟାନେଜମେଣ୍ଟ କମିଟି) ବୈଠକ ଆଜି ବସିଥିଲା। ଜାତୀୟ ରାଜପଥରେ ଆଲୋକ, ରାସ୍ତା ସମ୍ପ୍ରସାରଣ, ସର୍ଭିସ ରୋଡ, ଅଣ୍ତରପାସ୍‌ ସହିତ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ପ୍ରମୁଖ ପ୍ରସ˚ଗ ଥିଲା। କିନ୍ତୁ ଏନଏଚ୍‌ର ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଥିଲେ। କମିସନରେଟ୍‌ ପୁଲିସର ଅଧିକାରୀଙ୍କ ସମେତ ହାତଗଣତି ଅନ୍ୟ ବିଭାଗର ଅଧିକାରୀଙ୍କ ବାଦ୍‌ ଦେଲେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗର ଅଧିକାରୀଙ୍କର କିନ୍ତୁ ଦେଖା ମିଳି ନଥିଲା। ମୂଳ ସମସ୍ୟା ରାସ୍ତା କିମ୍ବା ଲାଇଟ୍‌ ପ୍ରସଙ୍ଗ ଶୁଣିବାକୁ ବିଭାଗୀୟ ଅଧିକାରୀ ବି ଆସିନଥିଲେ। ତେଣୁ ବାଧ୍ୟ ହୋଇ ପୁଲିସ କମିସନର ଡକ୍ଟର ସୁଧା˚ଶୁ ଷଢ଼ଙ୍ଗୀ ମାତ୍ର ଅଧ ଘଣ୍ଟା ପରେ ବୈଠକ ବାତିଲ କରିଦେଲେ। ଏବ˚ ବୈଠକରେ ଅନୁପସ୍ଥିତ ଥିବା ବିଭାଗୀୟ ଅଧିକାରୀଙ୍କୁ ନୋଟିସ୍‌ ଦିଆଯିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହିତ ଏଭଳି ଖାମଖିଆଲ କାର୍ଯ୍ୟକଳାପ ବିରୋଧରେ ହାଇକୋର୍ଟଙ୍କୁ ବି ଅବଗତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ପୁଲିସ କମିସନର ଵାଇ.ବି. ଖୁରାନିଆଙ୍କ ସମୟରେ ଟିଏମସି ବୈଠକ ନିୟମିତ ଢ˚ଗରେ ବସୁଥିଲା। କିନ୍ତୁ ତାଙ୍କ ପରେ ସତ୍ୟଜିତ ମହାନ୍ତି କମିସନର ଦାୟିତ୍ବ ନେବା ପରେ ନିୟମିତ ବୈଠକ ବସିନଥିଲା। ତାଙ୍କ ପରେ ଆସିଲେ ଡକ୍ଟର ସୁଧା˚ଶୁ ଷଢ଼ଙ୍ଗୀ। ଏହି ସମୟରେ ସ୍ଥିତି ଆହୁରି ସ˚ଗିନ ହୋଇଗଲା। ଅନେକ ସମୟରେ ବୈଠକ ବସିଲାନି। ମାର୍ଚ୍ଚ ପରଠାରୁ କୋଭିଡ ଆଳରେ ବୈଠକ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପ୍ରାୟ ୧ ବର୍ଷ ପରେ ଆଜି ପୁଲିସ କମିସନରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଅପରାହ୍ନ ପ୍ରାୟ ୫ଟା ୩୦ରେ ବୈଠକ ବସିଥିଲା। କିନ୍ତୁ ବୈଠକରେ ପିିଡି ଡିଆରଡିଏ, ଏନଏଚ ପ୍ରୋଜେକ୍ଟ ଡାଇରେକ୍ଟର, ସିଏମସି କମିସନର, ବିଦ୍ୟୁତ ବିଭାଗ, ଅବକାରୀ ବିଭାଗ, ଜାଇକା, ପ୍ରୋଜେକ୍ଟ ଡାଇରେକ୍ଟର ଡ୍ରେନେଜ ଓ ସ୍ବେରେଜ, ସେସୁ କାର୍ଯ୍ୟନିର୍ବାନୀ ଯନ୍ତ୍ରୀ, ପୂର୍ବତଟ ରେଳବାଇର ଡିଆରଏମ, କଟକ ଉପଜିଲ୍ଲାପାଳ, ସିଡିଏ ଉପାଧ୍ୟକ୍ଷ, ବଡ଼ ମେଡିକାଲ୍‌ ଅଧୀକ୍ଷକ, ଆରଆଣ୍ତବି, ଇରିଗେସନ୍‌ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଥିଲେ। ଯେଉଁ ବିଭାଗୀୟ ଅଧିକାରୀ ଆସିନଥିଲେ, ସେମାନେ ଅଧସ୍ତନ କର୍ମଚାରୀଙ୍କୁ ପଠାଇଥିଲେ। କିନ୍ତୁ ସମ୍ପୃକ୍ତ କର୍ମଚାରୀ ବୈଠକରେ ନିଜ ବିଭାଗର ସମସ୍ୟା ସମ୍ପର୍କରେ ଉପଯୁକ୍ତ ତଥ୍ୟ ଉପସ୍ଥାପନ କରିବାରେ ଅକ୍ଷମ ହୋଇଥିଲେ।

ପୁଲିସ କମିସନରଙ୍କ ସମେତ ଟିଏମସି ସଦସ୍ୟମାନେ ଏଭଳି ଘଟଣାରେ ଅସନ୍ତୋଷ ପ୍ରକାଶ କରିଥିଲେ। ମାତ୍ର ଅଧଘଣ୍ଟା ପରେ ୬ଟା ବେଳେ ବୈଠକ ବାତିଲ ହୋଇଥିଲା। ବିଭାଗୀୟ ଅଧିକାରୀ କାହିଁକି ଆସିନାହାନ୍ତି, ସେ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ଜାରି ହେବାକୁ ଥିବା ନୋଟିସର ଉତ୍ତର ଦେବାକୁ କୁହାଯିବ। ଆଜିର ବୈଠକରେ ସିପିଙ୍କ ସମେତ ଡିସିପି ପ୍ରତୀକ ସି˚ହ, ଟିଏମସି ସଦସ୍ୟ ବିଷ୍ଣୁମୋହନ ଦାସସାମନ୍ତ, ଇଞ୍ଜିନିୟର ସୂର୍ଯ୍ୟକାନ୍ତ ନନ୍ଦ, ଷ୍ଟାଣ୍ତି˚ କାଉନସିଲ ପ୍ରଭାକର ବେହେରା, ଆଇନଜୀବୀ ଜୟଦୀପ ପାଲ୍‌ ପ୍ରମୁଖ ଉପସ୍ଥିତ ଥିଲେ। କଟକର ଟ୍ରାଫିକ ସମସ୍ୟା ସୁଧାର ପାଇଁ ଗଠିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକର ଏଭଳି ସ୍ଥିତିକୁ ନେଇ ସଦସ୍ୟ ବିଷ୍ଣୁମୋହନ ଦାସସାମନ୍ତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୋଟିଏ ପଟେ ସହର ବିକାଶ କଥା କୁହାଯାଉଥିବା ବେଳେ ଏହି ବୈଠକ ବାତିଲ ହେବା ଘଟଣା ଅଧିକାରୀଙ୍କ ବାସ୍ତବ ମନୋଭାବର ପରିଚୟ ଦେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର