ଓଡ଼ିଶାରେ କ୍ରୁଟ୍‌ ଦ୍ବାରା ପରିଚାଳିତ ‘ମୋ ବସ୍‌ ଓ ମୋ ଇ-ରାଇଡ୍‌’ ସେବାକୁ ମିଳିଲା ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଗୁରୁବାର ନୂଆଦିଲ୍ଲୀ ଠାରେ ସ୍ମାର୍ଟ ସଲ୍ୟୁସନ୍ସ ଚାଲେଞ୍ଜ ଏବଂ ସମାବେଶୀ ସହର ପୁରସ୍କାର ୨୦୨୨ ପ୍ରଦାନ କରିଛନ୍ତି । ରାଜଧାନୀ ଭୁବନେଶ୍ବର ଓ କଟକ ଦ୍ବୈତ ନଗରୀ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସାର୍ବଜନୀନ ପରିବହନ ସେବା ପ୍ରଦାନ କରୁଥିବା ମୋ ବସ୍‌ ଓ ମୋ ଇ-ରାଇଡକୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଛି । ସ୍ମାର୍ଟ ସିଟିରେ କାର୍ଯ୍ୟକାରୀ ହେଉଥିବା ସଫଳ ସମାଧାନ ବା ସଲ୍ୟୁସନ୍ସ ବର୍ଗରେ ଓଡ଼ିଶାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ବାରା ପ୍ରଦାନ କରାଯାଉଥିବା ‘ମୁଭିଂ ୱିଦ୍‌ ପ୍ରାଇଡ୍‌ ବା ସମ୍ମାନର ସହ ଯାତ୍ରା ସେବା (ମୋ ବସ ଓ ମୋ ଇ-ରାଇଡ୍‌)କୁ ପୁରସ୍କାର ମିଳିଛି । ଦିବ୍ୟାଙ୍ଗ, ମହିଳା ଓ ବାଳିକା ଏବଂ ବୟସ୍କମାନେ ସମ୍ମୁଖିନ ହେଉଥିବା ସମସ୍ୟା ଦୂର କରିବା ସହିତ ସେମାନଙ୍କୁ ସହରସ୍ତରୀୟ ଅଭିଗମ୍ୟତା ଓ ସମାବେଶିତା ପ୍ରଦାନ କରିବା ଲାଗି ଜାତୀୟ ସହରାଞ୍ଚଳ ବ୍ୟାପାର ସଂସ୍ଥାନ (ଏନଆଇୟୁଏ) ଏବଂ ଭାରତରେ ମିଳିତ ଜାତିସଂଘ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଏହି ଅବସରରେ ଭାରତରେ ମିଳିତ ଜାତିସଂଘର ଆବାସିକ ସଂଯୋଜକ ଶ୍ରୀ ଶୋମ୍ବି ଶାର୍ପ, ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ସ୍ମାର୍ଟ ସିଟି ମିଶନର ଯୁଗ୍ମ ସଚିବ ତଥା ମିଶନ ନିର୍ଦ୍ଦେଶକ ଶ୍ରୀ କୁନାଲ କୁମାରଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୁରୀ କହିଥିଲେ ଯେ, ଅଭିନବ ସମାଧାନଗୁଡ଼ିକର ସୃଜନଶୀଳ କ୍ଷମତା ଏବଂ ଦିବ୍ୟାଙ୍ଗ, ମହିଳା ଓ ବୟସ୍କଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଏଥିରେ ରହିଥିବା ସମାଧାନ ଦେଖିବାକୁ ମିଳିବା ଆନନ୍ଦର ବିଷୟ । ଶ୍ରେଷ୍ଠ ସମାଧାନଗୁଡ଼ିକ ସବୁବେଳେ ସରଳ ହୋଇଥାଏ ଏବଂ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ କରିଥାଏ ।

ଏହାର ସ୍ପଷ୍ଟ ଲାଭ ରହିଥାଏ ଏବଂ ଏହାକୁ ବ୍ୟବହାରକାରୀମାନେ ବ୍ୟାପକ ଭାବେ ଗ୍ରହଣ କରିଥାନ୍ତି । ଏହି ସମାଧାନଗୁଡ଼ିକ ସାର୍ବଜନୀନ ଡିଜାଇନକୁ ସମନ୍ବିତ କରିବା ସହିତ ସବୁ ଦୁର୍ବଳ ବର୍ଗଙ୍କ ପାଇଁ ଏକ ନିରାପଦ, ସମାବେଶୀ ଓ ଅଭିଗମ୍ୟ, ସବୁଜ ଓ ସାର୍ବଜନୀନ ସ୍ଥାନ ଯୋଗାଇ ଦେବା ନିମନ୍ତେ ଏସଡିଜି ଲକ୍ଷ୍ୟ ୧୧.୭କୁ ହାସଲ କରିବାରେ ସହାୟକ ହେବ । କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଭାରତରେ ଦିବ୍ୟାଙ୍ଗ ବ୍ୟକ୍ତି ଅଧିକାର ଆଇନ ୨୦୧୬ କାର୍ଯ୍ୟକାରୀ କରାଯିବା ପରେ ମାନ୍ୟତାପ୍ରାପ୍ତ ଭିନ୍ନକ୍ଷମତା ତାଲିକା ୭ରୁ ୨୧କୁ ବୃଦ୍ଧି ପାଇଛି । ଏହାର ଅର୍ଥ ହେଉଛି ପୂର୍ବରୁ ଆକଳନ କରାଯାଉଥିବା ସଂଖ୍ୟା ଠାରୁ ଖୁବ ଅଧିକ ସଂଖ୍ୟକ ଲୋକ କୌଣସି ନା କୌଣସି ଅକ୍ଷମତା ସହିତ ଭାରତରେ ରହୁଛନ୍ତି । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ମିଳିତ ଜାତିସଂଘ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଏସଡିଜି-୨୦୩୦କୁ ମୋଦୀ ସରକାର ପୂର୍ବରୁ କାର୍ଯ୍ୟକାରୀ କରି କରିସାରିଛନ୍ତି । ଏହା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଉଛି । ସବୁଠୁ ପଛରେ ରହିଥିବା ବ୍ୟକ୍ତିଙ୍କ କଲ୍ୟାଣ ନିମନ୍ତେ ଆମେ ସର୍ବୋଦୟରୁ ଅନ୍ତ୍ୟୋଦୟ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛୁ । ଏହା ଭାରତରେ ଏସଡିଜି ଲକ୍ଷ୍ୟକୁ ସଫଳ କରିପାରିବ । ଏସଡିଜିର ସଫଳତା ପାଇଁ ଭାରତ ଏସବୁ ଲକ୍ଷ୍ୟରେ ଭଲ ପ୍ରଦର୍ଶନ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ । ଶ୍ରୀ ପୁରୀ କହିଥିଲେ ଯେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୌଳିକ ଅଧିକାରକୁ ସୁଦୃଢ଼ କରିବା ସହିତ ମୌଳିକ କର୍ତ୍ତବ୍ୟ ପାଳନ ଉପରେ ଗୁରୁତ୍ବାରୋପ କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସ୍ବାଧୀନତା ଦିବସ ଅଭିଭାଷଣରେ ଏଥିପ୍ରତି ଜୋର ଦେଇ ‘ପଞ୍ଚ ପ୍ରଣଦ ବିଷୟରେ କହିଛନ୍ତି । ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଏହା ଜରୁରି । ନିଜ ଦେଶର ନାଗରିକମାନଙ୍କ କଲ୍ୟାଣ ପାଇଁ ଉତ୍ତରଦାୟିତ୍ବ ଏବଂ ବିଶ୍ବସ୍ତତାର ସହିତ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଏବଂ ନିଜ ଭିତରେ ଏକ ସମ୍ବେଦନଶୀଳତା ବିକଶିତ କରିବା ଲାଗି ଭାରତୀୟମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି ।

ଶ୍ରୀ ପୁରୀ କହିଥିଲେ ଯେ, ଆମ ସହର ପାଇଁ ନାଗରିକ କୈନ୍ଦ୍ରିକ ଓ ସହଭାଗୀ ସମାଧାନ ଆବଶ୍ୟକ, ଯାହା ଏପରି ଏକ ଇକୋସିଷ୍ଟମ ନିର୍ମାଣ କରିବ ଯେଉଁଠି ଭାରତୀୟମାନେ ଦିବ୍ୟାଙ୍ଗମାନଙ୍କ ଆବଶ୍ୟକତା ପ୍ରତି ଅଧିକ ସହାନୁଭୂତିଶୀଳ ହେବେ । ସେ ଆହୁରି କହିଥିଲେ ଯେ, ଭାରତରେ ବିଶେଷ କରି ସହାୟକ ପ୍ରଯୁକ୍ତିର ପୂର୍ବରୁ କାର୍ଯ୍ୟକ୍ଷମତା ରହିଛି । ସୁବିଧାଜନକ ଏବଂ ସମାବେଶୀ ସହରାଞ୍ଚଳ କ୍ଷେତ୍ର ନିର୍ମାଣ କରିବା ଲାଗି ଆମେ ଏହି ଧାରାକୁ ଉପଯୋଗ କରିବା ଉଚିତ୍‌ । କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତି ହେଉଛି ଏପରି ଏକ ବ୍ୟବସ୍ଥା ଯାହା ମାଧ୍ୟମରେ ଆମେ ଦିବ୍ୟାଙ୍ଗମାନଙ୍କୁ ସୁବିଧାଜନ ଓ ସମାବେଶୀ ପରିବେଶ ଯୋଗାଇ ଦେଇପାରିବା । ଦିବ୍ୟାଙ୍ଗତାକୁ ନେଇ ରହିଥିବା ଭେଦଭାବ ଦୂର କରିବାକୁ ହେଲେ ସାମାଜିକ ସଚେତନତା ଜରୁରି । ସେ ଆହୁରି କହିଥିଲେ ଯେ, ଏହି ସ୍ମାର୍ଟ ସଲ୍ୟୁସନ୍ସ ଚାଲେଞ୍ଜ ପାଇଁ ସମାଧାନ ବିକଶିତ କରିବାରେ ସ୍ଥାନୀୟ ଉଦ୍ୟୋଗୀମାନେ ସ୍ବଦେଶୀ ପ୍ରଯୁକ୍ତି ବିନିଯୋଗ କରିବା ଉତ୍ସାହଜନକ । ସବୁ ୧୦୦ଟି ସ୍ମାର୍ଟ ସିଟିରେ ସମନ୍ବିତ କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିଛି । ସହର ମଧ୍ୟରେ ଉନ୍ନତ ସମନ୍ବୟ ପାଇଁ ପ୍ରଯୁକ୍ତିକୁ ବିନିଯୋଗ କରିବାରେ ଏମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୁରୀ କହିଥିଲେ । ଆଦର୍ଶ ସ୍ବଦେଶୀ ପ୍ରଯୁକ୍ତିଗତ ନବସୃଜନ ଏବଂ ସମାଧାନକୁ ବିନିଯୋଗ କରିବା ସହିତ ଜନକୈନ୍ଦ୍ରିକ ଡିଜାଇନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ସ୍ମାର୍ଟ ସଲ୍ୟୁସନ୍ସ ଏବଂ ସମାବେଶୀ ସହର ପୁରସ୍କାର ୨୦୨୨ ଚଳିତ ବର୍ଷ ଏପ୍ରିଲ ମାସରେ ଶୁଭାରମ୍ଭ କରାଯାଇଥିଲା । ଏକ ଖୋଲା ଆବେଦନ ପ୍ରକ୍ରିୟାରେ ଏଥିପାଇଁ ୧୦୦ରୁ ଅଧିକ ଆବେଦନ ମିଳିଥିଲା । ଏଥିମଧ୍ୟରୁ ୧୦ଟି ପ୍ରଯୁକ୍ତି ଆଧାରିତ ନବସୃଜନକୁ ଚିହ୍ନଟ କରାଯାଇଥିଲା । ୭ ଜଣିଆ ବିଚାରକ ମଣ୍ଡଳୀ ବ୍ୟାପକ ଯାଞ୍ଚ କରିବା ପରେ ବିଜେତା ସମାଧାନ ବା ସଲ୍ୟୁସନ୍ସ ଭାବେ ଏହିସବୁ ପ୍ରଯୁକ୍ତି ଆଧାରିତ ନବସୃଜନକୁ ବାଛିଥିଲେ ।

ସମ୍ବନ୍ଧିତ ଖବର