ଦୁର୍ଗନ୍ଧରେ ଫାଟି ପଡ଼ୁଛି ଡମଣା ହାଟ: ଡ୍ରେନ୍‌ରୁ ପଙ୍କ କାଢ଼ି ରାସ୍ତାରେ ଗଦେଇ ଦେଲେ

‌ଚନ୍ଦ୍ରଶେଖରପୁର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଚନ୍ଦ୍ରଶେଖରପୁର ଡମଣା ଅଞ୍ଚଳରେ‌ ଡ୍ରେନ୍‌ ସଫେଇ କାର୍ଯ୍ୟ ଚାଲିଛି। କିନ୍ତୁ ମଇଳାକୁ ସେମିତି ରାସ୍ତା ଉପରେ ଗଦା କରି ଛାଡ଼ି ଦିଆଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଥିବା ଦୁର୍ଗନ୍ଧ ଲୋକଙ୍କ ପାଇଁ ବଡ଼ ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି କରିଛି। ମଇଳା ହଟାଇବାକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ବିଏମ୍‌ସି କର୍ତ୍ତୃପକ୍ଷ ଶୁଣୁନଥିବା ଲୋକେ କହିଛନ୍ତି।

ଡମଣା ଛକରୁ ଶୈଳଶ୍ରୀବିହାର ପର୍ଯ୍ୟନ୍ତ ଡ୍ରେନ ସଫେଇ କାର୍ଯ୍ୟକ୍ରମ ଚାଲୁ ରହିଛି। ବର୍ଷବର୍ଷ ଧରି ସଫା ହୋଇ ନଥିବାରୁ ଏହି ଡ୍ରେନ୍‌ରେ ପ୍ରଚୁର ମଇଳା ଜମି ରହିଥିଲା। ଶ୍ରମିକମାନେ ଏହି ଦୀର୍ଘ କାଳର ମଇଳା ଆବର୍ଜନା କାଢ଼ି ରାସ୍ତା ଉପରେ ଗଦାଇ ଦେବା ଫଳରେ ଚାରିଆଡ଼େ ଦୁର୍ଗନ୍ଧ ଖେଳି ଯାଇଥିଲା। ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିବା ଏହି ଅଞ୍ଚଳରେ ଡମଣା ହାଟ ବସୁଛି। ତେଣୁ ଲୋକମାନେ ପରିବା ପତ୍ର କିଣିବା ପାଇଁ ଏଠାକୁ ଆସିବାକୁ ନାକ ଟେକୁଛନ୍ତି। ଫଳରେ କିଛି ଦିନ ହେଲା ଏହି ହାଟରେ ଗ୍ରାହକ ସଂଖ୍ୟା କମିଛି ବୋଲି ପରିବା ବ୍ୟବସାୟୀ ଅଗାଧୁ ସାହୁ କହିଛନ୍ତି। ବ୍ୟବସାୟୀମାନଙ୍କ କହିବା କଥା ପ୍ରଥମେ ପ୍ରଥମେ ଅଳିଆ ଉଠା ଗାଡ଼ି ଅାସି ମଇଳାକୁ ନେଇଯାଉଥିଲା। ମାତ୍ର ଏବେ ଆଉ ଅଳିଆ ଉଠୁନାହିଁ। ଫଳରେ ରାସ୍ତା କଡ଼ରେ ପଙ୍କ ପାହାଡ଼ ସଦୃଶ ହୋଇ ଗଦା ହୋଇ ରହିଛି। ଡ୍ରେନ୍ ସଫା କରାଯିବା ଏକ ଭଲ ପଦକ୍ଷେପ କିନ୍ତୁ କୁଢ଼ କୁଢ଼ ପଚା ପଙ୍କକୁ ରାସ୍ତା ଉପରେ ଗଦାଇ ରଖିବା ବଡ଼ ଅସ୍ବାସ୍ଥ୍ୟକର କଥା ବୋଲି ସ୍ଥାନୀୟ କାଦମ୍ବିନୀ ବିହାର ବାସିନ୍ଦା ଶ୍ବେତାଲିନା ମହାନ୍ତି କହିଛନ୍ତି। ବର୍ଷା ହେଲେ ପଙ୍କ ପାଣି ରାସ୍ତାରେ ଭାସିବାରୁ ଯାତାୟାତରେ ଘୋର ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ‌ଡମଣା ଛକ ନିକଟରେ ଥିବା ମହାବୀର ବସ୍ତିରେ ପଚାପଙ୍କ ପାଣି ପଶୁଛି ବୋଲି ବସ୍ତିବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ହେବ ଡ୍ରେନ୍‌ ସଫା ହୋଇନଥିଲା। ଫଳରେ ବର୍ଷା ଦିନରେ ପଚା ପାଣି ଡ୍ରେନ୍‌ ଡେଇଁ ବସ୍ତିରେ ପଶୁଥିଲା। ଏବେ ଡ୍ରେନ୍‌ ସଫା ହେବା ପରେ ମଧ୍ୟ ସେଇ ଅବସ୍ଥା। ତେଣୁ ଡ୍ରେନ୍‌ ସଫା କରି ମଇଳା ରାସ୍ତା ଉପରେ ଗଦାଇ ରଖିବା ଦ୍ବାରା କିଛି ଲାଭ ହେଲାନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର