ଭୁବନେଶ୍ୱର: ଡିଏଭି, ୟୁନିଟ-୮ ସ୍କୁଲ ଅଭିଭାବକ ସଂଘର ଏକ ଜରୁରୀ ବୈଠକ ସ୍ଥାନୀୟ କମ୍ୟୁନିଟି ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି। ଡିଏଭି ବିବିଏ ସ୍କୁଲର ଛାତ୍ରୀ ତନିୟା ବାନାର୍ଜୀ ଆତ୍ମହତ୍ୟା ଘଟଣାକୁ ନେଇ ଏହି ଅଭିଭାବକ ସମାବେଶ ଡକାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ସ୍କୁଲ କର୍ତ୍ତୃପକ୍ଷଙ୍କ ବହୁ ତ୍ରୁଟିଗତ ପରିଚାଳନା, ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଦୀର୍ଘ ବର୍ଷ ଧରି ସ୍ଥିର ମ୍ୟାନେଜମେଣ୍ଟର ମନୋମୁଖୀ କାର୍ଯ୍ୟାକଳାପ ବିଷୟରେ ଆଲୋଚନା ହୋଇଥିଲା। ସ୍କୁଲ କର୍ତ୍ତୃପକ୍ଷ ମନଇଚ୍ଛା ଫି’ ଆଦାୟ କରୁଥିଲେ ହେଁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉନି କି ଅଭିଭାବକ ସଂଘ ସହ ଆଲୋଚନା କରୁନି। ଏପରିକି ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସୁରକ୍ଷିତ ପରିବେଶ, ଉତ୍କର୍ଷ ଶିକ୍ଷା ଏବଂ ଚକ୍ରବୃଦ୍ଧି ମାସିକ ଫି’ ଇତ୍ୟାଦି ବିଷୟରେ ଅଭିଭାବକ ସଂଘ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ବାରମ୍ବାର ଉଦ୍ୟମ କରିଥିଲେ ହେଁ ସ୍କୁଲ କର୍ତ୍ତୃପକ୍ଷ ଧରାଛୁଆଁ ଦେଉନାହାନ୍ତି। ତେଣୁ ଡିଏଭି କର୍ତ୍ତୃପକ୍ଷଙ୍କର ମନମୁଖୀ କାର୍ଯ୍ୟକଳାପ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ଏହି ବୈଠକରେ ସ୍ଥିର ହୋଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯଦି ଘରୋଇ ଶିକ୍ଷାନୁଷ୍ଠାନ ରେଗୁଲେଟୋରି ଆଇନ୍ ପ୍ରଣୟନ ନକରନ୍ତି ତେବେ ସାରା ରାଜ୍ୟର ଅଭିଭାବକମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଅପରପକ୍ଷେ ଶନିବାର ସଂଧ୍ୟାରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଅଭିଭାବକଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକ ଆରମ୍ଭ ହେବା ପୂର୍ବରୁ ମୃତ ଛାତ୍ରୀଙ୍କ ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା ହୋଇଥିଲା। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନା କରାଯାଇଥିଲା।