ଏକାମ୍ର ପୁସ୍ତକ ମେଳା, ଚଳନ୍ତି ଠାକୁର ଶ୍ରୀଜଗନ୍ନାଥ

ଚନ୍ଦ୍ରଶେଖରପୁର: ଶ୍ରୀ ଜଗନ୍ନାଥଙ୍କ କଥାକୁ ଯେତେ ବଖାଣିଲେ ବି ତା’ର ଅନ୍ତ ନାହିଁ। ସେ ହେଉଛନ୍ତି ସାକ୍ଷାତ ଚଳନ୍ତି ଠାକୁର। ମଣିଷ ପରି ତାଙ୍କୁ ଭୋକ, ଶୋଷ, ନିଦ ଓ ଜ୍ବର ହୋଇଥାଏ। ତାଙ୍କ ପରିବାରରେ ମଧ୍ୟ କଳି ଝଗଡ଼ା ହୁଏ, ବୁଝାମଣା ବି ହୁଏ। ତେଣୁ ସେ ପ୍ରତିଟି ଓଡ଼ିଆଙ୍କ ଆରଧ୍ୟ ଦେବତା। ତାଙ୍କୁ କିଏ ଗାଳିକରି ମନର କଥା ଜଣାଏ ତ ପୁଣି କିଏ ଗୁହାରି କରେ। ହେଲେ ସେ ସମସ୍ତଙ୍କ କଥା ବୁଝନ୍ତି। ସେ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ସେଥିପାଇଁ ବର୍ଷବର୍ଷ ଧରି ଗବେଷକମାନେ ଶ୍ରୀଜଗନ୍ନାଥଙ୍କ ଉପରେ ଗବେଷଣା କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚୂଡ଼ାନ୍ତରେ ପହଞ୍ଚି ପାରି ନାହାନ୍ତି। ଶ୍ରୀ‌କ୍ଷେତ୍ରବାସୀ ବଡ଼ ଠାକୁରଙ୍କ କଥାମୃତକୁ ନେଇ ଆଜି ସରଗରମ ହୋଇଉଠିଥିଲା ଏକାମ୍ର ପୁସ୍ତକ ମହୋତ୍ସବର ସନ୍ଧ୍ୟା। ପ୍ରବଚକ ଶରଣାବିନ୍ଦ, ବିଶିଷ୍ଟ ସାହିତ୍ୟିକ ଅସିତ ମହାନ୍ତି ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଦର୍ଶକଙ୍କୁ ଶ୍ରୀଜଗନ୍ନାଥ ଚେତନାର ବାର୍ତ୍ତା ପ୍ରଦାନ କରିଥିଲେ। ଏକାମ୍ର ପୁସ୍ତକ ମହୋତ୍ସବ କମିଟିର ସଭାପତି ପୀତବାସ ରାଉତ, ଉପସଭାପତି ଡ. ଅଭୟ ନାୟକ, ସମ୍ପାଦକ ଭାସ୍କର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଦିବ୍ୟାଙ୍ଗ କାଳାକାରମାନେ ଭଜନଧାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରବେଷଣ କରିଥିଲେ।

ସମ୍ବନ୍ଧିତ ଖବର