‘ସାଧନା ଓ ଅନୁଭୂତି ସ୍ପିରିଚୁଆଲ୍ ପ୍ରାକ୍ଟିସ୍ ଆଣ୍ଡ ରିଅଲାଇଜେସନ୍’ ପୁସ୍ତକ ଉନ୍ମୋଚିତ: ଅନୁଭବ ହିଁ ପ୍ରକୃତ ସାହିତ୍ୟର ମୂଳମନ୍ତ୍ର

ଭୁବନେଶ୍ବର: ଆଧ୍ୟାତ୍ମିକ ଗ୍ରନ୍ଥ ଜୀବନଧାରଣର ଅନ୍ୟତମ ମାଧ୍ୟମ। ଆଧ୍ୟାତ୍ମିକ ଗ୍ରନ୍ଥ ଦ୍ବାରା ଜ୍ଞାନ ପରିମାର୍ଜିତ ହେବା ସହ ଜୀବନଧାରଣ ମାନ ବିକଶିତ ହୋଇଥାଏ। ଆମେ ଯେଉଁ ଗ୍ରନ୍ଥକୁ ବୁଝିପାରିବା ସେହି ଗ୍ରନ୍ଥକୁ ପଢ଼ିବା ଉଚିତ। ଆଇଆରସି ଭିଲେଜସ୍ଥିତ ସ୍ବପ୍ନେଶ୍ବର ମନ୍ଦିର ପ୍ରାଙ୍ଗଣରେ ପ୍ରଫେସର ଅଭିମନ୍ୟୁ ମିଶ୍ରଙ୍କ ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ସାଧନା ଓ ଅନୁଭୂତି ସ୍ପିରିଚୁଆଲ୍ ପ୍ରାକ୍ଟିସ୍ ଆଣ୍ଡ ରିଅଲାଇଜେସନ୍’ର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବାମୀ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷ ସ୍ବାମୀ ଶିବ ଚିଦାନନ୍ଦ ଏହା କହିଛନ୍ତି। ଏହି ପୁସ୍ତକ ପଢ଼ିବା ଦ୍ବାରା ପାଠକଙ୍କର ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେବ ବୋଲି ସ୍ବାମୀଜୀ କହିଛନ୍ତି।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଲେଖିକା କଲ୍ୟାଣମୟୀ ସରସ୍ବତୀ କହିଛନ୍ତି ଏହି ପୁସ୍ତକରେ ବ୍ରହ୍ମତତ୍ତ୍ବ ଜ୍ଞାନକୁ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ସାଧନା ପଥରେ ଆଗେଇ ଯିବା ପାଇଁ ଉକ୍ତ ପୁସ୍ତକ ସହାୟକ ହେବା ସହ ପଢ଼ିବା ପାଇଁ ଆନନ୍ଦଦାୟକ ହେବ। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ଆଜିକାଲି ବହି ପଢ଼ିବା ପାଇଁ କେହି ଆଗ୍ରହୀ ନାହାନ୍ତି। ପଢ଼ିବା ପାଇଁ କାହା ପାଖରେ ସମୟ ନାହିଁ ବୋଲି କୁହାଯାଇପାରେ। ଅନୁଭୂତି ବାଣ୍ଟିଲେ ନିଜର ଗୁରୁତ୍ବ କମିଯାଏ ନାହିଁ ବରଂ ଏହା ଉତ୍ତମ ମାନବ ସମାଜ ଏବଂ ସାମଗ୍ରିକ ଜୀବନକୁ ଉପଭୋଗ କରିବା ସହ ମାନବପ୍ରେମୀ ହୋଇପାରିବା। ଅନୁଭବ ହିଁ ପ୍ରକୃତ ସାହିତ୍ୟର ମୂଳମନ୍ତ୍ର। ତେଣୁ ପ୍ରତ୍ୟେକ ଭଲ ବହିର ଅନୁବାଦର ଆବଶ୍ୟକତା ରହିଛି, ଯାହା ପାଠକଙ୍କ ପାଖରେ ଆଦୃତ ହୋଇପାରିବ। ଏହି ଆଧ୍ୟାତ୍ମିକ ବହି ଇଂରାଜୀରେ ଅନୁବାଦ ହେବା ଦ୍ବାରା ବୃହତ୍ତର ପାଠକଙ୍କ ପାଖରେ ପହଞ୍ଚିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ଲୋକନାଥ ଷଡ଼ଙ୍ଗୀ ସ୍ବାଗତ ଭାଷଣ ଦେଇଥିବା ବେଳେ ହରିହର ବଳିଆରସିଂହ ଧନ୍ୟବାଦ ଦେଇଥିଲେ। ସୁଦର୍ଶନ ମହାପାତ୍ର ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର