କଥକ ନୃତ୍ୟଶିଳ୍ପୀ ଆଦିତି ମଙ୍ଗଳଦାସ ପାଇବେ ‘ମାହାରୀ ସମ୍ମାନ’

ଭୁବନେଶ୍ବର : ଚଳିତ ବର୍ଷ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ନୂଆଦିଲ୍ଲୀର ଆଦିତି ମଙ୍ଗଳଦାସ ପାଇବେ ସମ୍ମାନଜନକ ‘ମାହାରୀ ସମ୍ମାନ’। ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପ୍ରତିବର୍ଷ ଏହି ସମ୍ମାନ ଶାସ୍ତ୍ରୀୟ ନୃତ୍ୟ କ୍ଷେତ୍ରରେ ପେସାଦାର ନୃତ୍ୟଶିଳ୍ପୀ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ନୃତ୍ୟଶିଳ୍ପୀଙ୍କୁ ପ୍ରଦାନ କରାଯାଇଥାଏ। ମାହାରୀ ସମ୍ମାନ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ କ୍ଷେତ୍ରରେ ଏକମାତ୍ର ସମ୍ମାନ, ଯାହାକି ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା। ଏହି ସମ୍ମାନ ବାବଦକୁ ନଗଦ ୫୦ ହଜାର ଟଙ୍କା ସହ ଏକ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥାଏ।

ଚଳିତ ବ‌ର୍ଷ ‘ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନ’ର ୨୮ତମ ଅଧିବେଶନ ଆସନ୍ତା ୧୫ରୁ ୧୭ ତାରିଖ ଯାଏ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ। ଗୁରୁ ପଙ୍କଜ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ମାର୍ଚ୍ଚ ୧୭ ତାରିଖ ତଥା ଉତ୍ସବର ଶେଷ ଦିନରେ ଅନୁଷ୍ଠାନ ପକ୍ଷରୁ ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମିଳିତ ସହଯୋଗରେ ‘ମାହାରୀ ସମ୍ମାନ’ ପ୍ରଦାନ କରାଯିବ। ଏଥିସହ ଏହି ଅବସରରେ ବିଶିଷ୍ଟ ସିତାର ବାଦକ ଗୁରୁ ରବିଶଙ୍କର ପ୍ରଧାନଙ୍କୁ ‘ବୀଣାକାର’, ବିଶିଷ୍ଟ ମର୍ଦଳ ବାଦକ ଗୁରୁ ଦିବାକାର ପରିଡ଼ାଙ୍କୁ ‘ମାଦେଳୀ’, କୋଲକାତାର ପୋଶାଳି ମୁଖାର୍ଜୀଙ୍କୁ ‘ନାଚୁଣୀ ସମ୍ପ୍ରଦା’ ଓ ସ୍ବନାମଧନ୍ୟ ଗାୟକ ସଚ୍ଚିକାନ୍ତ ନାୟକଙ୍କୁ ‘ଗାଉଣୀ ସମ୍ପ୍ରଦା’ ଉପାଧି ପ୍ରଦାନ ପୂର୍ବକ ସମ୍ମାନିତ କରାଯିବ ବୋଲି ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ଅନୁଷ୍ଠାନର ନିର୍ଦ୍ଦେଶକ ଶରତ ଦାସ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉ କି, ଆଦିତି କଥକ ନୃତ୍ୟ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ନାମ। ସେ ସାମ୍ପ୍ରତିକ ସମୟର ଏକ ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ଓ ଗୁରୁ ଭାବେ ଦେଶ ବିଦେଶରେ ପ୍ରତିଷ୍ଠା ଲାଭ କରିଛନ୍ତି। ସମଗ୍ର ଭାରତବର୍ଷର ତଥା ପୃଥିବୀର ବିଭିନ୍ନ ପ୍ରତିଷ୍ଠିତ ମଞ୍ଚରେ ନୃତ୍ୟ ପରିବେଷଣ କରି ଭାରତର ଶାସ୍ତ୍ରୀୟ ନୃତ୍ୟ ଗରିମାକୁ ସୁଦୂରପ୍ରସାର କରିବାରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି।

ସମ୍ବନ୍ଧିତ ଖବର