ମା’ ତାରିଣୀଙ୍କ ନାଁରେ ଗୁଜବ

ଭୁବନେଶ୍ୱର: ଆଜି ସନ୍ଧ୍ୟାରୁ ହଠାତ୍‌ ଘଟଗାଁସ୍ଥିତ ମା’ ତାରିଣୀଙ୍କ ନାଁରେ ଗୁଜବ ପ୍ରଚାର ହୋଇଯାଇଥିଲା। କିଛି ଖଳ ଓ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଅର୍ଥ ଲୋଭରେ ମା’ଙ୍କ ନାଁରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି। ମା’ଙ୍କ ଅଖଣ୍ଡ ଦୀପ ଲିଭି ଯାଇଛି, ଏହା ଘୋର ଅଶୁଭ ସୂଚନା। ସ୍ବାମୀ ଓ ପିଲାମାନଙ୍କ ପ୍ରତି ବିପଦ ଆସିପାରେ। ଘରର ମହିଳାମାନେ ସ୍ନାନ କରି, ଅଳତା ଓ ନୂଆ ଶାଢ଼ି ପିନ୍ଧି ମା’ଙ୍କ ପୂଜାର୍ଚନା କଲେ ଏପରି ବିପଦ ଟଳିଯିବ ବୋଲି ସୋସିଆଲ୍ ମିଡିଆରେ ଗୁଜବ ବ୍ୟାପୀ ଯାଇଥିଲା। ଫଳରେ ରାଜଧାନୀ ଉପକଣ୍ଠର କିଛି ମହିଳା ଅଳତା ଓ ନୂଆ ଲୁଗା ପିନ୍ଧି ମା’ଙ୍କ ପୂଜାର୍ଚନା କରୁଥିବା ଦେଖା ଯାଇଥିଲା। ତେବେ ଏହା ସଂପୂର୍ଣ୍ଣ ଗୁଜବ ଓ କପୋଳକଳ୍ପିତ। ଏପରି କଥାରେ କୌଣସି ସତ୍ୟତା ନାହିଁ। ମା’ଙ୍କ ନିକଟରେ କିଛି ଅଖଣ୍ଡ ଦୀପ ଜଳେ ନାହିଁ କି ମା’ ଏପରି କୌଣସି ସ୍ବପ୍ନାଦେଶ ଦେଇ ନାହାନ୍ତି ବୋଲି ଘଟଗାଁ ମା’ ତାରିଣୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଏ ନେଇ ଶ୍ରୀ ପଟ୍ଟନାୟକଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ, ଏହା କିଛି ଅସାମାଜିକ ତତ୍ତ୍ବଙ୍କ କାମ। ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ମନରେ ଭୟ ସୃଷ୍ଟି କରି ସ୍ବାର୍ଥ ହାସଲ କରିବାକୁ ସେମାନେ ଏପରି ହିନ ଉଦ୍ୟମ କରିଛନ୍ତି। ଏପରି ଗୁଜବ ସୃଷ୍ଟି କରିଥିବା ଓ ‌ମା’ଙ୍କ ନାଁରେ ବିଭ୍ରାନ୍ତି କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରଷ୍ଟ ପକ୍ଷରୁ ଥାନାରେ ଅଭିଯୋଗ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେମାନଙ୍କ କଥାରେ ପଡ଼ି ଏପରି କୌଣସି କାମ ନ କରିବାକୁ ଶ୍ରୀ ପଟ୍ଟନାୟକ ଶ୍ରଦ୍ଧାଳୁମାନଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର