ଶ୍ରମିକ କଂଗ୍ରେସ ନେତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ବର: ଖୋର୍ଦ୍ଧାରୋଡ ମଣ୍ଡଳ ଶ୍ରମିକ କଂଗ୍ରେସ ତରଫରୁ ଶ୍ରମିକ କଂଗ୍ରେସର ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ମଣ୍ଡଳ ସଂଯୋଜକ ପ୍ରମୋଦ କୁମାର ସାହାଣୀ ଓ ସହ ସଂଯୋଜକ ସୁନୀଲ କୁମାର ଭଞ୍ଜଙ୍କ ନେତୃତ୍ୱରେ ଶ୍ରମିକ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ତାଙ୍କ ଜଟଣୀ ବାଲିଛକସାହିସ୍ଥିତ ବାସଭବନରେ ପହଞ୍ଚି ଶ୍ରୀ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀଙ୍କୁ ପୁଷ୍ପଗୁଚ୍ଛ, ମାଳ, ଉତ୍ତରୀୟ ଓ ଖଣ୍ଡୁଆ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ପ୍ରଧାନ ଆଇନ ଅଧିକାରୀ ଭାବେ ଗତ ଜାନୁଆରି ୩୧ରେ ରେଳବାଇ ଚାକିରିରୁ ଅବସର ନେଇଥିଲେ। ସେ ଶ୍ରମିକ କଂଗ୍ରେସର ମୁଖ୍ୟ ପରାମର୍ଶଦାତା ଭାବେ ଦୀର୍ଘ ୩୦ ବର୍ଷ କାଳ ନିଜକୁ କର୍ମଚାରୀଙ୍କ ହିତରେ ନିୟୋଜିତ କରିଥିଲେ। ଶାଖା ସଂପାଦକ ଏଲ. ଡି ମହାନ୍ତି କହିଲେ ଯେ ତାଙ୍କ ଅବସର ପରେ ଦଳ ଜଣେ ମହାନ୍ ପ୍ରଚ୍ଛଦପଟ ନାୟକଙ୍କୁ ହରାଇଲା କିନ୍ତୁ ତାଙ୍କର ଦିଗ୍‌ଦର୍ଶନ ସବୁବେଳେ ଦଳର କାର୍ଯ୍ୟରେ ଆସିବ। ଅନ୍ୟମାନଙ୍କ ମଧ୍ୟରେ ରନିଂ ବ୍ରାଞ୍ଚ ସଭାପତି ଏମଡି କାଏମ, ପି ରାଜାରାଓ, ମୁସ୍ତାକ ଅଲ୍ଲୀ, ଅକ୍ଷୟ ପ୍ରଧାନ, କେ ଟି ରାଓ, ଆୟୁଷ ହର୍ସ ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ସଂପାଦକ ରମେଶ ଚନ୍ଦ୍ର ସାହୁ ଫୋନ୍ ଯୋଗେ ଶ୍ରୀ ପ୍ରଧାନଙ୍କ ବାକି ସମୟ ପରିବାର ସହିତ ଖୁସି ଓ ଆନନ୍ଦରେ କଟାଇବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଗୁହାରି ଜଣାଇବା ସହ ଶ୍ରମିକ କଂଗ୍ରେସ ସଦାସର୍ବଦା ତାଙ୍କ ସହିତ ରହିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର