ଭୁବନେଶ୍ବର: କରୋନା ମୁକାବିଲା ସହ ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ବିଭିନ୍ନ ପର୍ଯ୍ୟାୟରେ ଆତ୍ମନିର୍ଭର ପ୍ୟାକେଜ୍ ଘୋଷଣା କରି ଭୁଶୁଡ଼ି ଯାଉଥିବା ଅର୍ଥନୀତିକୁ ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ବହୁ କ୍ଷେତ୍ରକୁ ବିଚାରକୁ ନେଇଛନ୍ତି। ହେଲେ କୋଟି କୋଟି ଲୋକଙ୍କୁ ଆତ୍ମନିର୍ଭରଶୀଳ କରିଥିବା ପର୍ଯ୍ୟଟନ କ୍ଷେତ୍ରକୁ ଆଡ଼ ଆଖିରେ ବି ଚାହିଁନାହାନ୍ତି। ପର୍ଯ୍ୟଟନ କ୍ଷେତ୍ର ସହ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷ ବାରମ୍ବାର ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏତେ ଦାବି ଓ ନିବେଦନ ପରେ ବି ସରକାରଙ୍କ ଦୃଷ୍ଟି ପଡ଼ିନାହିଁ। ଏବେ ଦେଶୀୟ ପର୍ଯ୍ୟଟନକୁ ନେଇ ସରକାର ବିଶେଷ ଆଗ୍ରହ ଦେଖାଇଛନ୍ତି। ପର୍ଯ୍ୟଟକମାନେ ଦେଶ ମଧ୍ୟରେ ଓ ନିଜ ରାଜ୍ୟ ମଧ୍ୟରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିଲେ ଦେଶୀୟ ପର୍ଯ୍ୟଟନ ଶିଳ୍ପକୁ ସଶକ୍ତ କରାଯାଇ ପାରିବ ବୋଲି ଏକପ୍ରକାର ଦୃଷ୍ଟିଭଙ୍ଗୀ ସରକାର ଆପଣାଇଛନ୍ତି। ମାତ୍ର ଦେଶୀୟ ପର୍ଯ୍ୟଟନକୁ ସଶକ୍ତ କରୁଥିବା ଜୈବ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ଆତ୍ମନିର୍ଭର ପ୍ୟାକେଜ୍ରେ କିଛି ସହାୟତା ଦେବାକୁ ଉଚିତ୍ ମଣିନାହାନ୍ତି।
ଏନେଇ ହୋଟେଲ୍ ଆଣ୍ଡ୍ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡ଼ିଶାର ଅଧ୍ୟକ୍ଷ ତଥା ଫିକିର ଜାତୀୟ ପର୍ଯ୍ୟଟନ ପରିଷଦର ସହ ଅଧ୍ୟକ୍ଷ ଜେ.କେ ମହାନ୍ତି କହିଛନ୍ତି, କେବଳ ଓଡ଼ିଶାରେ ପର୍ଯ୍ୟଟନ, ଆତିଥ୍ୟ ଓ ଟ୍ରାଭେଲ୍ କ୍ଷେତ୍ରରେ ୫ଲକ୍ଷ ଲୋକ କାମ କରୁଛନ୍ତି। ମାତ୍ର କରୋନା ସଙ୍କଟ ପାଇଁ ୩ଲକ୍ଷ ଲୋକ କାମ ହରାଇବା ଆଶଙ୍କା ଦେଖାଗଲାଣି। ପାଖାପାଖି ୩ ମାସ ହୋଇଗଲାଣି ହୋଟେଲ୍ ଶିଳ୍ପ ବନ୍ଦ ରହିଛି। ଲକ୍ଡାଉନ ଅବଧି ବଢ଼ି ଚାଲିଛି। ଲକ୍ଡାଉନ ପରେ ମଧ୍ୟ ୬ ମାସ ପର୍ଯ୍ୟନ୍ତ ପର୍ଯ୍ୟଟନ ଶିଳ୍ପ ସୁଧୁରିବାର ସମ୍ଭାବନା ନାହିଁ। କେହି ବି ନିଜ ଜୀବନକୁ ବିପନ୍ନ କରି ଏହି ରୋଗକୁ ସାମ୍ନା କରି ଯାତ୍ରା କରିବେ ନାହିଁ। ହୋଟେଲ୍ ଶିଳ୍ପ ପର୍ଯ୍ୟଟନ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ ହୋଇଥିବାରୁ ଏହାକୁ ଚଳାଇବା, ବ୍ୟାଙ୍କର ଇଏମଆଇ ଭରିବା, କର୍ମଚାରୀଙ୍କୁ ଦରମା ଦେବା ଓ ବୈଧାନିକ ଦେୟ ଦେବା ଅସମ୍ଭବ ହୋଇପଡ଼ିଛି। ମାତ୍ର ସରକାର ପ୍ୟାକେଜରେ ସାମାନ୍ୟ ବଦାନ୍ୟତା ବି ଦେଖାଇଲେ ନାହିଁ। କୌଣସି ସହାୟତା ଭିନ୍ନ କଥା, ଋଣ, ସୁଧ କ୍ଷେତ୍ରରେ କିଛି ବର୍ଷ ମହଲତ ଦେବା ପାଇଁ କରିଥିବା ନିବେଦନ କଥା ବିଚାରକୁ ନେଲେ ନାହିଁ। ଜିଏସ୍ଟି ଓ ଏସ୍ଜିଏସ୍ଟି ୬ ମାସ ପର୍ଯ୍ୟନ୍ତ କୋହଳ କରିବା ପାଇଁ କରାଯାଇଥିବା ନିବେଦନକୁ ମଧ୍ୟ କର୍ଣ୍ଣପାତ କରିଲେ ନାହିଁ।
ବରିଷ୍ଠ ଟୁର୍ ଅପରେଟର ବେଞ୍ଜାମିନ ସାଇମନ କହିଛନ୍ତି, ସରକାରଙ୍କ ପ୍ୟାକେଜ୍ ଘୋଷଣା ଆମକୁ ଚକିତ କରିଛି। ଆତ୍ମନିର୍ଭରଶୀଳ ହେବା ପାଇଁ ପର୍ଯ୍ୟଟନ ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ। ଯେତେବେଳେ ବି କୌଣସି ମହାବିପତ୍ତି କିମ୍ବା ଏହିଭଳି ଦୁର୍ବିପାକ ଦେଖା ଦେଇଛି ସେତେବେଳେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି ପର୍ଯ୍ୟଟନ। ପ୍ରଥମତଃ ଯେପର୍ଯ୍ୟନ୍ତ ଟିକା ନ ବାହାରିଛି ସେପର୍ଯ୍ୟନ୍ତ କେହି ବି କୁଆଡ଼େ ଯାତ୍ରା କରିବେ ନାହିଁ। ତେଣୁ ଟ୍ରାଭେଲ୍ କ୍ଷେତ୍ର କିଛି ମାସ ପର୍ଯ୍ୟନ୍ତ ସୁଧୁରିବାର ପ୍ରଶ୍ନ ଉଠୁନାହିଁ। ଯାହାକି ପର୍ଯ୍ୟଟନ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ପକାଇବ। ପ୍ରଥମତଃ ଦକ୍ଷ କର୍ମଚାରୀଙ୍କ ଅଭାବ, ପୁଣି ଯେଉଁ କର୍ମଚାରୀ ଅଛନ୍ତି ସେମାନେ ଯଦି ବାହାରି ଯାଆନ୍ତି ପରବର୍ତୀ ସମୟରେ ଏହା ଭରଣା କରିବା ଏତେ ସହଜ ହେବ ନାହିଁ। ଅନ୍ୟ ପକ୍ଷରେ ଦେଖିଲେ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଆମେରିକାରେ ପର୍ଯ୍ୟଟନ କ୍ଷେତ୍ରକୁ ଆର୍ଥିକ ପ୍ୟାକେଜ ଦିଆଗଲାଣି। ଏହି ପର୍ଯ୍ୟଟନ କ୍ଷେତ୍ରକୁ ବଞ୍ଚାଇ ରଖିଲେ ଆଗାମୀ ଦିନରେ ଏହା ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏଣେ ଓଡ଼ିଶାରେ ସବୁଠୁ ଭଲ ଚାଲିଥିବା ଜୈବ ପର୍ଯ୍ୟଟନ କ୍ଷେତ୍ର ବହୁ ଲୋକଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ବାଟ ଦେଖାଇଥିଲା। ଏସବୁ ବିଚାର କରି ସ୍ବତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା ସହ ସେଥିରେ କିଛି ଆର୍ଥିକ ସହାୟତା ଯୋଗାଇ ଦେବାର ଆବଶ୍ୟକତା ଥିଲା। ନଚେତ୍ ଗତ ୩ ବର୍ଷରେ ଆମେ ଜିଏସ୍ଟି ଓ ଏସ୍ଜିଏସ୍ଟି ବାବଦରେ ଯେଉଁ ଅର୍ଥ ପଇଠ କରିଛୁ ସେଥିରୁ ଯଦି ବି କିଛି ଅର୍ଥ ସହାୟତା ସ୍ବରୂପ ଦିଆଯାଇପାରନ୍ତା ତେବେ ପର୍ଯ୍ୟଟନ ଶିଳ୍ପ ନିଜକୁ ବଞ୍ଚେଇ ରଖିବା ପାଇଁ ରାହା ପାଇଯାଆନ୍ତା। ନଚେତ୍ କର୍ଣ୍ଣାଟକରେ ଯେପରି ହୋଟେଲ୍ ଓ ରେସ୍ତୋରାଁ ବନ୍ଦ ହୋଇ କର୍ମଚାରୀ କାମ ହରାଇଲେଣି ସେପରି ପରିସ୍ଥିତି କାହିଁକି ଏଠାରେ ନ ହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏ କ୍ଷେତ୍ରକୁ ପୁଣି ଛିଡ଼ା କରିବା ପାଇଁ ପର୍ଯ୍ୟଟନ କ୍ଷେତ୍ରକୁ ସ୍ବତନ୍ତ୍ର ପ୍ୟାକେଜ୍ ପ୍ରଦାନ କରାଯିବା ଉଚିତ ବୋଲି ଶ୍ରୀ ସାଇମନ କହିଛନ୍ତି।