ସ୍ବାସ୍ଥ୍ୟ ମନ୍ତ୍ର: ଶାରୀରିକ ପରିଶ୍ରମ ସହ ସନ୍ତୁଳିତ ଆହାର

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ସୋମନାଥ ପରିଡ଼ା

ଭୁବନେଶ୍ବର: ଦୂରଦର୍ଶନ ଚାକିରି ଛାଡ଼ି ୨୦୦୯ରେ ରାଜନୀତିରେ ପାଦ ଦେଇଥିଲେ। ସେବେଠାରୁ ଲଗାତାର ଭାବେ ଏକାମ୍ର ଆସନର ଜନସାଧାରଣ ତଥା ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସ ଜିତି ଆସୁଛନ୍ତି। ପୂର୍ବରୁ ଓଡ଼ିଶା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଥିବା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା। ଏବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଛନ୍ତି। ବୟସ ୬୯ ପୂରି ୭୦ ଚାଲିବ। କିନ୍ତୁ ଏବେ ବି ବେଶ୍ ଚଳଚଞ୍ଚଳ। ତାଙ୍କ ଫିଟ୍‌ନେସ୍‌ର ରହସ୍ୟ ଜାଣିବାକୁ ଆମେ ସକାଳୁ ସକାଳୁ ପହଞ୍ଚିଥିଲୁ ଫରେଷ୍ଟ ପାର୍କସ୍ଥିତ ବାସ ଭବନରେ। ପାଗ ସାମାନ୍ୟ କୋହଲା ଥିବାରୁ ବାହାରକୁ ଚାଲିବାକୁ ନଯାଇ ଘର ଭିତରେ ସେ କିଛି ବ୍ୟାୟାମ କରୁଥିଲେ। ସେହି ସୁଯୋଗରେ ତାଙ୍କ ସହିତ ସ୍ବାସ୍ଥ୍ୟ ସମ୍ପର୍କିତ ଏକ ଆଳାପ ହୋଇଥିଲା। ଶ୍ରୀ ପଣ୍ଡା କହିଲେ, ‘‘ମୁଁ ସକାଳ ୫ଟାରୁ ମୁଁ ବିଛଣା ଛାଡ଼େ। ନିତ୍ୟକର୍ମ ସାରିବା ପରେ ପ୍ରାୟତଃ ପଇଡ଼ ପାଣି ଓ ଦୁଇଟି ବିସ୍କୁଟ୍‌ ଖାଇ ଏୟାରପୋର୍ଟ ରାସ୍ତାରେ ଅଧଘଣ୍ଟା ଚାଲିବାକୁ ଯାଏ। ଫେରିବା ପରେ ଚା’ କପେ ପିଏ। ତା’ପରେ ବିଭିନ୍ନ କାମରେ ଆସିଥିବା ଲୋକଙ୍କୁ ଭେଟି ତାଙ୍କର ସୁବିଧା ଅସୁବିଧା ବୁଝେ। ଏହା ଭିତରେ ଚେଷ୍ଟାକରେ ୯ଟା ୩୦ ମଧ୍ୟରେ ସକାଳ ଜଳଖିଆ ଖାଇବାକୁ। ସୋମବାର, ଗୁରୁବାର ଓ ସଂକ୍ରାନ୍ତିରେ ମୁଁ ଆମିଷ ଖାଏନାହିଁ। ଏହି ଦିନଗୁଡ଼ିକରେ ରୁଟି-ସନ୍ତୁଳା, ପୁରୀ-ମଟର ତରକାରି ବା ଇଡ୍‌ଲି ଓ ଚକୁଳି ଚଟଣି ସହିତ ଖାଏ। ଆମିଷବାରରେ ବ୍ରେଡ୍‌ ଓ ଅଣ୍ଡା ଓମ୍‌ଲେଟ୍‌ରେ କାମ ଚଳିଯାଏ। ବେଳେବେଳେ ଫଳଜୁସ୍‌ ପିଏ। ୧୧ଟା ସୁଦ୍ଧା ଗାଧୋଇ ସାରି ଠାକୁରପୂଜା ପରେ ଘରୁ ବାହାରିଯାଏ। କେବେ ଲୋକସେବାଭବନ, ଆଉ କେବେ ବିଭିନ୍ନ ସ୍ଥାନରେ ଥିବା ସଭା ସମିତିରେ ଯୋଗ ଦେବାକୁ ପଡ଼େ। ଯୁଆଡ଼େ ଗଲେ ବି ଦିନ ୨ଟାରୁ ୨ଟା ୩୦ ମଧ୍ୟରେ ଘରକୁ ଫେରି ଘରେ ଖାଇବାକୁ ଚେଷ୍ଟାକରେ। ଖରାବେଳ ଖାଇବାରେ ଭାତ, ଡାଲି, ବାଇଗଣ ଭର୍ତ୍ତା, ଆଳୁ ଚକଟା, ମିଶାମିଶି ପରିବା ତରକାରି ଓ ଶାଗ ଖାଇବାକୁ ଭଲ ପାଏ। ଆମିଷବାରରେ ଖଣ୍ଡିଏ ଭଜାମାଛ, ଦୁଇ ପିସ୍‌ ଚିକେନ୍‌ କିମ୍ବା ଚୁନାମାଛ ବେସର ଖାଏ।’’

‘‘ଦିଲ୍ଲୀ ଜେଏନ୍‌ୟୁରେ ପଢ଼ିବା ସମୟରେ ଖରାବେଳ ଖାଇବା ପରେ ଆମେ ଲାଇବ୍ରେରି ଯାଇ ପଢ଼ୁଥିଲୁ। ସେବେଠୁ ଖରାବେଳେ ଶୋଇବା ଅଭ୍ୟାସ ନାହିଁ। ସମୟ ମିଳିଲେ କେବଳ ୧୦ ମିନିଟ୍‌ ଗଡ଼ପଡ଼ ହୁଏ। ଅପରାହ୍ନ ୪ଟା ‌ବେଳକୁ ପୁଣି ବିଭିନ୍ନ ସଭା ସମିତିରେ ଯୋଗଦେବାକୁ ବାହାରିଯାଏ। ସନ୍ଧ୍ୟାରେ କେଉଁଠି ଭଲ ବରା କି ଆଳୁଚପ୍‌ ମିଳିଲେ ଖିଆହୁଏ ଏବଂ ଚା’ କପେ ପିଆହୁଏ। ରାତିରେ ବାହାଘର, ବ୍ରତଘର, କିମ୍ବା ଅନ୍ୟ କିଛି ଉତ୍ସବ ଥିଲେ ଘରକୁ ଫେରିବା ବିଳମ୍ବ ହୁଏ। ବେଳେବେଳେ ଉତ୍ସବରେ ଖାଇବାକୁ ମଧ୍ୟ ପଡ଼େ। କିନ୍ତୁ ରାତିରେ ମୁଁ ବହୁତ କମ୍‌ ଖାଇବାକୁ ଚେଷ୍ଟାକରେ। ଘରକୁ ଫେରି ଦୁଇପଟ ରୁଟି ଓ ଅଳ୍ପ ସନ୍ତୁଳା ଖାଏ। କେବେକେବେ ରୁଟି ସହ ଚିକେନ୍‌-ଆଳୁ ଝୋଳ ବା ଅଣ୍ଡା ଭୁଜିଆ ଖିଆ ହୁଏ। ସାମାଜିକ ଗଣମାଧ୍ୟମରେ ଅପ୍‌ଡେଟ୍‌ ରହିବାକୁ, ଖବର ଦେଖିବାକୁ ପଡ଼େ। ଶୋଇଲା ବେଳକୁ ରାତି ୧୨। ନିର୍ବାଚନ ସମୟରେ ରାତି ୨ଟା ହୋଇଯାଏ। କିନ୍ତୁ ଯେତେ‌ ଡେରିରେ ଶୋଇଲେ ବି ସକାଳ ୫ଟାରୁ ଉଠିପଡ଼େ।’’ ଶେଷରେ ସେ ଯୋଡ଼ିଲେ, ‘‘ମୁଁ ଦୂରଦର୍ଶନରେ କାମ କରିବା ବେଳଠାରୁ ସମୟକୁ ଗୁରୁତ୍ବ ଦେଇ ଆସିଛି। ସବୁକାମ ଠିକ୍‌ ସମୟରେ କରିବାକୁ ପ୍ରାଥମିକତା ଦିଏ। ଏହା ଏକ ମାନସିକତା। ନୂଆକରି ରାଜନୀତିକୁ ଆସୁଥିବା ଯୁବକ/ଯୁବତୀ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଉଛନ୍ତି। ଭଲକଥା। ଯେତେ କାର୍ଯ୍ୟବ୍ୟସ୍ତତା ଥିଲେ ହେଁ ଶାରୀରିକ ପରିଶ୍ରମ ସହ ସନ୍ତୁଳିତ ଆହାର ଖାଇ ପାରିଲେ ଦେହ ସୁସ୍ଥ ରହିବ।’’

ସମ୍ବନ୍ଧିତ ଖବର