ଶତାଧିକ ଶୌଚାଳୟରେ ତାଲା, ଘୋଷଣାରେ ରହିଗଲା ‘ବାହ୍ୟ ମଳମୁକ୍ତ ସହର’

ବହୁ ପାଇଖାନା ଅଚଳ, ରକ୍ଷଣା‌ବେକ୍ଷଣ ହେଉନି, କାମ କରୁନି ଇ-ଟଏଲଟ୍‌ରେ ଇଲେକ୍ଟ୍ରିକ୍ ସିଷ୍ଟମ୍‌

ଭୁବନେଶ୍ବର: ୨୦୧୮ ଡିସେମ୍ବରରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳ ବାହ୍ୟ ମଳମୁକ୍ତ ସହର (ଓଡିଏଫ୍‌) ଭାବେ ଘୋଷଣା ହୋଇଥିଲା। ସହରର ସବୁ ସ୍ଥାନରେ ଶୌଚାଳୟ ହୋଇଛି। ସହରବାସୀଙ୍କ ଶୌଚ ଲାଗି ଗଳି କନ୍ଦିରେ ବ୍ୟବସ୍ଥା କରାଯାଇଛି। ସବୁ ସ୍କୁଲରେ ଶୌଚାଳୟ, ରାସ୍ତାପାର୍ଶ୍ବରେ ପବ୍ଲିକ ଟଏଲେଟ୍‌, ବସ୍ତି ନିକଟରେ କମ୍ପ୍ୟୁନିଟି ଟଏଲେଟ୍‌ ହୋଇଥିବା ନେଇ ବିଏମ୍‌ସି ଅଧିକାରୀମାନେ ବାହାସ୍ଫୋଟ ମାରିଥିଲେ। ଭୁବନେଶ୍ବରକୁ ଓଡିଏଫ୍‌ ସହର କରିବା ପାଇଁ ସହର ମଧ୍ୟରେ ପ୍ରାୟ ୧୬୦୦ ସିଟ୍‌ର ପାଇଖାନା ନିର୍ମାଣ ହୋଇଥିବା ନେଇ ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। ଇତି ମଧ୍ୟରେ ସାଢ଼େ ତିନି ବର୍ଷ ବିତିଗଲାଣି। ବିଏମ୍‌ସି ଅଞ୍ଚଳ ଏବେ କେତେ ଓଡିଏଫ୍‌ ତାହାକୁ ନେଇ ପ୍ରଶ୍ନ ଉଠିଛି। ଅର୍ଧାଧିକ ପବ୍ଲିକ ଟଏଲେଟ୍‌ରେ ତାଲା ଝୁଲୁଛି। କେତେକ ଶୌଚାଳୟରେ ବାହାରୁ ଆସୁଥିବା ଲୋକେ ନିଜର ବାସସ୍ଥଳୀ ଭାବେ ବ୍ୟବହାର କଲେଣି। ଆଉ କିଛି ଶୌଚାଳୟରେ ଏବେ କେବଳ ବିଜ୍ଞାପନ ଶୋଭା ପା‌ଉଛି।

ଓଡିଏଫ୍‌ ଘୋଷଣା ସମୟରେ ବିଏମ୍‌ସି କର୍ତୃପକ୍ଷ କହିଥିଲେ ଯେ ‘ପ୍ରୋଜେକ୍ଟ ସମ୍ମାନ’ରେ ବିଏମ୍‌ସି ୧୬୪ସିଟ୍‌ର ପାଇଖାନା ନିର୍ମାଣ କରାଯାଇଛି। କେଉଁଠି ଦୁଇଟି ତ କେଉଁଠି ୫ଟି ସିଟ୍ ରହିଛି। ଏହାବାଦ୍ ୬୭୬ଟି ପୁରଣା ପାଇଖାନାକୁ ପୁନରୁଦ୍ଧାର କରାଯାଇଛି। ଏହି ଯୋଜନାରେ ୧୫୪ ସିଟ୍‌ର ପବ୍ଲିକ ଟଏଲେଟ୍ ନିର୍ମାଣ ହୋଇଥିବାବେଳେ ୩୬୪ ସିଟ୍‌ ଥିବା ପୁରୁଣା ଶୌଚାଳୟକୁ ପୁନରୁଦ୍ଧାର ହୋଇଛି। ଏହାସହ ୩୨୦ ସିଟ୍ ଥିବା ହାଇବ୍ରିଡ୍‌ ଟଏଲେଟ୍ ବସାଯାଇଛି। ଘରେ ଘରେ, ରାସ୍ତା କଡ଼ରେ ପାଇଖାନା କରି ବିଏମ୍‌ସି ଏହି ସଫଳତା ପାଇଥିବା ଅଧିକାରୀମା‌ନେ କହି ବୁଲୁଥିଲେ।

ମାତ୍ର ଏବେର ଚିତ୍ର ଦେଖିଲେ କେହି ବି କହିବେନି ଯେ ଭୁବନେଶ୍ବର ଓଡିଏଫ୍‌ରେ ପରିଣତ ହୋଇଛି। ରାସ୍ତା କଡ଼ରେ ଲୋକ ଝାଡ଼ା, ପରିସ୍ରା କରୁଛନ୍ତି। ବସ୍ତି ସ୍ଥିତି ଆହୁରି ସଙ୍ଗିନ। ଅଧିକାଂଶ ବସ୍ତିରେ ଘର ସାମ୍ନା ଓ ଚାରି ପାଖକୁ ଛାଡ଼ି ଯଦି ଟିକିଏ ଦୂରକୁ ଚାଲିଯିବ ତେବେ ପାଦ ପକାଇବା ବି କଷ୍ଟକର ହୋଇପଡ଼ିବ। ଶୌଚାଳୟ କଥା ନ କହିବା ଭଲ। ଶତାଧିକ ଶୌଚାଳୟ (କମ୍ୟୁନିଟି ଟଏଲେଟ୍‌/ପବ୍ଲିକ ଟଏଲେଟ୍‌/ଇ-ଟଏଲେଟ୍‌) ଅଚଳ ହୋଇ ପଡ଼ିଛି। କେଉଁଠି ଶୌଚାଳୟ ଟାଙ୍କି ପୂରି ରାସ୍ତାରେ ପାଣି ଚାଲୁଛି ତ କେଉଁଠି ପାଣି ଆସୁନି।

ଇ-ଟଏଲେଟ୍‌ରେ ଇଲେକ୍ଟ୍ରିକ୍‌ ସିଷ୍ଟମ କାମ କରୁନି। ଏମିତିକି କେତେକ ସ୍ଥାନରେ ଶୌଚାଳୟରେ ମାସ ମାସ ଧରି ତାଲା ପଡ଼ି ରହିଛି। ସବୁବେଳେ ଲୋକେ ଚଳପ୍ରଚଳ କରୁଥିବା ଜାଭିଅର ଛକରେ ଥିବା ଶୌଚାଳୟରେ ବହୁ ଦିନ ହେଲା ତାଲା ପଡ଼ି ରହିଛି। ବିଲ୍ଡିଂ ଚାରି ପାଖରେ ବିଜ୍ଞାପନ ଶୋଭା ପାଉଛି ସିନା, ମାତ୍ର ଭିତରକୁ ପ୍ରବେଶ କରିପାରୁ ନାହାନ୍ତି ପଥଚାରୀ। ଜନତା ମଇଦାନ ଭିତରେ ଥିବା ଶୌଚାଳୟ ଅବସ୍ଥା ତଦ୍ରୁପ। ଏଠି ତ ଲୋକେ ରହୁଥିବା ଦେଖିବାକୁ ମିଳୁଛି। ଅନୁଧ୍ୟାନ ସମୟରେ ଜଣେ ଗୁପୁଚୁପ୍‌ ବ୍ୟବସାୟୀ ଏହା ପରିସରରେ ପରିବାର ସହ ରହୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ଲୋକେ ଶୌଚାଳୟ ଆସୁଛନ୍ତି କି ନାହିଁ ପଚାରିବାରୁ କେହି କିଛି ଉତ୍ତର ଦେଇ ନ ଥିଲେ। ଇ-ଟଲଲେଟ୍‌ ଉପର ଚକାଚକ୍‌ ହୋଇଥିବା ବେଳେ ଭିତର ଖୋଳ ଭଳି ସେଗୁଡ଼ିକ ମଧ୍ୟ ଖାଲି ବାହାରକୁ ସୁନ୍ଦର ଦେଖାଯାଉଛି।

ସଚେତନ ନାଗରିକଙ୍କ ମତ ଯେ, ବିଏମ୍‌ସି କେବଳ ପାଇଖାନା ନିର୍ମାଣରେ ଲାଗିପଡ଼ିଲା। ‌କେମିତି ଲୋକ ଏହାକୁ ବ୍ୟବହାର କରିବେ, ଯିଏ ରାସ୍ତା କଡ଼ରେ ଝାଡ଼ା ପରିସ୍ରା କରୁଛନ୍ତି ସେମାନଙ୍କୁ କିପରି ସଚେତନ କରାଯିବ ସେନେଇ କେହି ଗୁରୁତ୍ବ ଦେଲେନି। ବାରମ୍ବାର ସଚେତନ ପରେ ନମାନିଲେ ଜରିମାନା ଆଦାୟ କରି ଲୋକଙ୍କ ମଧ୍ୟରେ ନିୟମ ମାନିବାକୁ ଭୟ ସୃଷ୍ଟି କରିବା ଭଳି ପଦକ୍ଷେପ ନିଆଗଲାନି। ବିଏମ୍‌ସି ପକ୍ଷରୁ ହୋଇଥିବା ଶୌଚାଳୟକୁ ଦେଖିଲେ ସେଠାକୁ ଯିବାକୁ ଭୟ ଲାଗୁଛି। ଅଧିକାଂଶ ଗୋଷ୍ଠୀ ଶୌଚାଳୟରେ ତାଲା ପଡ଼ିଛି। କେତେକ ସ୍ଥାନରେ ଶୌଚାଳୟ ଉପରେ ଗଛ ଲତା ମାଡ଼ିଯାଇଛି। ତାହାକୁ ଠିକ୍‌ ସମୟରେ ସଫା କରାଯାଉ ନାହିଁ। ତେଣୁ ପଥଚାରୀ ତା’ଭିତରକୁ ଯାଉନାହାନ୍ତି। ବରଂ ବାହାରେ ଶୌଚ ଫେରୁଛନ୍ତି।

ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ବିଏମ୍‌ସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ୩୮ଟି ଇ-ଟଏଲେଟ୍‌, ୧୦ଟି ବା‌ୟୋ ଟଏଲେଟ୍‌, ୭୫ଟି କମ୍ୟୁନିଟି ଟଏଲେଟ୍‌ ଏବଂ ୯୯ଟି ପବ୍ଲିକ୍‌ ଟଏଲେଟ୍‌ ନିର୍ମାଣ କରାଯାଇଥିଲା। ଯେଉଁଥିରେ ପୁରୁଷ ଓ ମହିଳାଙ୍କ ପାଇଁ ୧୯୯୭ଟି ସ୍ଥାନ ରହିଛି। ଗୋଟିଏ ଦିନରେ ୨୨ହଜାର ଲୋକ ଏହି ଟଏଲେଟ୍‌ ବ୍ୟବହାର କରିବା ଭଳି ବ୍ୟବସ୍ଥା ରହିଛି। ଅଧିକାଂଶ ଟଏଲେଟ୍‌ ମରାମତି କରାଯାଉଛି। ବିଭିନ୍ନ ସଂସ୍ଥାକୁ କାମ ଦିଆଯାଇଥିବାରୁ ସେମାନେ ବିଳମ୍ବ କରୁଛନ୍ତି। ଆସନ୍ତା ଦୁଇ ମାସ ମଧ୍ୟରେ ସମସ୍ତ ଶୌଚାଳୟ କାର୍ଯ୍ୟକ୍ଷମ ହୋଇଯିବ।

ସମ୍ବନ୍ଧିତ ଖବର