ଖଣ୍ଡଗିରିରେ ସରକାରୀ ଜମି ଜବରଦଖଲ ପ୍ରହସନ : ଲୋଲୁପ ଦୃଷ୍ଟିରେ ବିଡିଏର ମୁକୁଳା ଜମି

ଖଣ୍ଡଗିରି : ଖଣ୍ଡଗିରି ତଳ ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ଶହ ଶହ ଏକର ସରକାରୀ ଜମି ଜବରଦଖଲ ହୋଇ ରହିଛି। ମଠ ମନ୍ଦିର ନାଁରେ ଯେତିକି, ବସ୍ତି ନାଁରେ ସେତିକି। ସରକାରୀ ଜମି ବିକି ମାଲେମାଲ୍‌ ହେଉଛନ୍ତି ମାଫିଆ। ଯଦି ଜବରଦଖଲକାରୀଙ୍କ କବ୍‌ଜାରୁ ବିଡିଏ ଜମି ମୁକୁଳାଉଛି, କିଛି ଦିନ ପରେ ମୁକୁଳା ପଡ଼ିଆ ବି ବିକ୍ରି ହୋଇଯାଉଛି। ବିଡିଏ ଜବରଦଖଲ ହୋଇଥିବା ଜମି ଉଚ୍ଛେଦ କରିଥିବା କହି ସାବାସି ନେଉଥିବା ବେଳେ ଜମି ମାଫିଆ ବିଡିଏ ମୁକୁଳା ଜମିକୁ ବିକି ଚଳୁ କରିବାରେ ଲାଗିଛନ୍ତି। ଏମିତିକି କେତେକ ସ୍ଥାନରେ ବିଡିଏ ଦ୍ୱାରା ବେଦଖଲ ହୋଇଥିବା ଜବରଦଖଲକାରୀ ପୁଣି ସେହି ଜମିକୁ ମାଡ଼ି ବସୁଛନ୍ତି।

୨୦୧୬ ମସିହାରେ ବିଡିଏ ଦ୍ୱାରା ଉଦୟଗିରି ପାହାଡ଼ ପାଦଦେଶରେ ଥିବା ବଡ଼ ବଡ଼ ୩ଟି ମଠକୁ ଭାଙ୍ଗି ଦିଆଯାଇଥିଲା। ଏକର ଏକର ସରକାରୀ ଜମି ଉଚ୍ଛେଦ ହୋଇଥିଲା। ମାତ୍ର ଏବେ ସେସବୁ ଜମି ପୁଣି ଜବରଦଖଲ ହୋଇସାରିଲାଣି। ଏପରିକି ଗୋଟିଏ ମଠ ଦ୍ୱାରା ଢେର୍‌ କିଛି ବର୍ଷ ହେଲା ଜବରଦଖଲ ହୋଇ ରହିଥିବା ଜମିକୁ ବିଡିଏ ଉଚ୍ଛେଦ କରିବା ପରେ ମଠ ଦଖଲରୁ ସିନା ଜମି ଗଲା କିନ୍ତୁ ମାଫିଆ ତାକୁ ଦଖଲ କରି ବିକିଦେଲେ। ଏଠାରେ ସାଧାରଣ ପ୍ରଶାସନ ବିଭାଗର ଜମି ଲେଖା ହୋଇଥିବା ବୋର୍ଡ ଲାଗିଛି। କିନ୍ତୁ ଲୋକ ସେଠାରେ ଘର କରି ରହିଲେଣି। ସେହିଭଳି ଭଙ୍ଗା ଯାଇଥିବା ମଠ ବା ମନ୍ଦିର ପୁଣି ସେଠାରେ ଅସ୍ଥାୟୀ ଭାବେ ଚାଲିଛି।

ବଜରଙ୍ଗୀ ମଠ ବା ତଥାକଥିତ ପାଟ୍ଟଶାଣୀ ମଠ କଥାକୁ ବିଚାରକୁ ନିଆଯାଉ। ୨୦୧୬ ମସିହାରେ ଏହି ମଠକୁ ବିଡିଏ ପକ୍ଷରୁ ଭଙ୍ଗା ଯାଇଥିଲା। ଭୁବନେଶ୍ୱର ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀଙ୍କ ଦରବାର ଭାବେ ଚାଲିଥିବା ମଠ ପରିସରସ୍ଥିତ ଏକ କୋଠାଘର ଓ ମୁଖ୍ୟ ଫାଟକ ଆଦିକୁ ଭାଙ୍ଗି ଦିଆଯାଇଥିଲା। କିନ୍ତୁ ମୁଖ୍ୟ ମନ୍ଦିରକୁ ଭଙ୍ଗା ଗଲା ନାହିଁ। ଫଳରେ ସେହିଦିନଠାରୁ ଉକ୍ତ ମନ୍ଦିର ସେମିତି ରହିଛି। ଉକ୍ତ ଜମି ସରକାରଙ୍କ ହାତକୁ ସମ୍ପୂର୍ଣ୍ଣ ଭାବେ ଆସି ପାରିନାହିଁ। ଏବେ ବି ସମସ୍ତ ଜମି ମଠ ବାବାଙ୍କ କବ୍‌ଜାରେ ରହିଛି। ତେଣୁ ବିଡିଏ ଜବରଦଖଲକାରୀଙ୍କ କବଳରୁ ଜମି ମୁକୁଳାଉଥିବା କାର୍ଯ୍ୟଟି ଏକ ପ୍ରକାର ପ୍ରହସନ ବୋଲି ଅଭିଯୋଗ ହେଉଛି। ମନ୍ଦିର ଭଙ୍ଗାଯିବା ପରେ ପରେ ଜମିକୁ ପାଚେରି ଦ୍ୱାରା ଆବଦ୍ଧ କରାଯାଇଥିଲେ, ଏଭଳି ପରିସ୍ଥିତି ଉପୁଜି ନଥାଆନ୍ତା ବୋଲି ଚର୍ଚ୍ଚା ହେଉଛି। ତେଣୁ ଧର୍ମକୁ ଆଖିଠାର ଭଳି ମନ୍ଦିର ମଠ ଭଙ୍ଗା ଗଲା, ଅଥଚ ପୁଣି ମାଫିଆଙ୍କ ହାତକୁ ଜମି ଚାଲିଗଲା। ଫଳରେ ବିଡିଏ ପରୋକ୍ଷ ଭାବେ ମାଫିଆଙ୍କ ସ୍ୱାର୍ଥ ପାଇଁ କାମ କରୁଛି ବୋଲି ଚର୍ଚ୍ଚା ହେଲାଣି।

୨୦୧୬ ପରଠାରୁ ଏହି ଅଞ୍ଚଳରେ ଆଉ କେବେ ସରକାରୀ ଜମି ଜବରଦଖଲ ଉଚ୍ଛେଦ କରାଯାଇନାହିଁ। ଫଳରେ ମଠ, ଆଶ୍ରମ ଓ ଆୟୁର୍ବେଦିକ ଚିକିତ୍ସାଳୟ ନାଁରେ ବହୁ ସରକାରୀ ଜମି ଜବରଦଖଲ ହୋଇରହିଛି। ଖଣ୍ଡଗିରିବାରୀ ଅଞ୍ଚଳରେ ତ ସରକାରୀ ଜମି କିଣାବିକା ସବୁବେଳେ ଚାଲିଛି। ଏ ନେଇ ବିଡିଏର ଜଣେ ଅଧିକାରୀଙ୍କ କହିବା କଥା ଖଣ୍ଡଗିରି ଅଞ୍ଚଳରେ ସରକାରୀ ଜମି ମୁକୁଳାଇବା ପାଇଁ ବଡ଼ ସମସ୍ୟା ହେଉଛି ମଠ ମନ୍ଦିର। ୨୦୧୬ ମସିହାରେ କିଛି ମଠ ମନ୍ଦିର ପକ୍ଷରୁ ଅଦାଲତି ମାମଲା ଚାଲିଲା। ଫଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରହିଲା। ଏମିତିକି ମୁକୁଳା ଯାଇଥିବା ଜମିରେ ପାଚେରି କରିବାକୁ ଉଚ୍ଚଅଧିକାରୀ ନିର୍ଦ୍ଦେଶ ଦେଲେ ନାହିଁ। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ବହୁ ଅଦାଲତି ମାମଲା ବିଡିଏ ସପକ୍ଷରେ ଯାଇଛି ଓ ଖୁବ୍‌ଶୀଘ୍ର ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ।

ସମ୍ବନ୍ଧିତ ଖବର