କ୍ୟାପିଟାଲ ହସ୍ପିଟାଲ: ମନଇଚ୍ଛା ଛୁଟିରେ ପଳାଉଛନ୍ତି ଡାକ୍ତର

ମହିଳା ଡାକ୍ତରଙ୍କ ବିରୋଧରେ ତଦନ୍ତ କରିବେ ହସ୍ପିଟାଲ କର୍ତୃପକ୍ଷ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲର ଜଣେ ମହିଳା ଡାକ୍ତର ବିନା କୌଣସି ସୂଚନାରେ ବିଦେଶ ପଳାଇଥିବା ସୂଚନା ମିଳିଛି। ସଂପୃକ୍ତ ମହିଳା ଡାକ୍ତରଜଣକ ନିୟମିତ ଭାବେ ଏଭଳି ମନଇଚ୍ଛା ଛୁଟିରେ ଯାଉଥିବାରୁ ତାଙ୍କ ବିରୋଧରେ ହସ୍ପିଟାଲ କର୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଜଣାଉଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଅପରପକ୍ଷେ ଏଥିଯୋଗୁଁ କାଜୁଆଲଟି ଡ୍ୟୁଟି ନେଇ ସମସ୍ୟା ସୃଷ୍ଟି ହେଉଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁସାରେ, ମହିଳା ଡାକ୍ତରଜଣକ ବର୍ଷ ବର୍ଷ ଧରି ଏଭଳି ନିୟମିତ ଭାବେ ମନଇଚ୍ଛା ଛୁଟିରେ ପଳାଉଛନ୍ତି। କିଛି ଦିନ ତଳେ ସେ ବିଦେଶ ଯିବା ପାଇଁ ହସ୍ପିଟାଲ ନିର୍ଦେଶକଙ୍କୁ ଆବେଦନ କରିଥିଲେ। ହସ୍ପିଟାଲ କର୍ତୃପକ୍ଷ ଏହି ଆବେଦନକୁ ସରକାରଙ୍କ ନିକଟକୁ ପଠାଇଥିଲେ। ମାତ୍ର ସରକାରଙ୍କ ନିକଟରୁ ଏନ୍‌ଓସି ଆସିବା ପୂର୍ବରୁ ଗତ ୨/୩ ଦିନ ହେବ ସେ ବିନା ସୂଚନାରେ ଡ୍ୟୁଟିକୁ ଆସୁ ନାହାନ୍ତି। ତାଙ୍କର ଏଭଳି ବିନା ସୂଚନା ଛୁଟି ବିରୋଧରେ ହସ୍ପିଟାଲ କର୍ତୃପକ୍ଷ ତଦନ୍ତ କରିବେ ବୋଲି ଜଣାପଡ଼ିଛି। କେବଳ ମନଇଚ୍ଛା ଛୁଟିରେ ନୁହେଁ, ଡ୍ୟୁଟି ସମୟରେ ମଧ୍ୟ ଠିକ୍‌ରେ ଡାକ୍ତରଖାନାକୁ ଆସୁ ନ ଥିବା ଅଭିଯୋଗ ହେଉଛି। ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ପୂର୍ବରୁ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ସୂଚନା ଦିଆଯାଇଥିଲା। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଫଳରେ ନିୟମିତ ଭାବେ ସେ ଏଭଳି ବିନା ସୂଚନାରେ ମନଇଚ୍ଛା‌ ଛୁଟିରେ ପଳାଉଛନ୍ତି। କର୍ତୃପକ୍ଷଙ୍କ ନିକଟରେ ଏଥିପାଇଁ କୌଣସି ସୂଚନା ନ ଥିବାରୁ ଡାକ୍ତରଙ୍କ ଡ୍ୟୁଟି ନେଇ ସମସ୍ୟା ଦେଖାଦେଉଛି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଲେଖାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ରୋଗୀମାନଙ୍କୁ ଡାକ୍ତରଖାନାରେ ଦୁର୍ବବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଗତକାଲି ୧୦ନଂ ରୁମ୍‌ ବା ଜେନେରାଲ ଓପିଡିକୁ ଜଣେ ବରିଷ୍ଠ ନାଗରିକ ଡାକ୍ତରଙ୍କୁ ଦେଖା କରିବାକୁ ଯାଇଥିବା ସମୟରେ ଡ୍ୟୁଟି କରୁଥିବା ମେଡିକାଲ ସର୍ଜନ୍ ତାଙ୍କୁ ମନଇଚ୍ଛା ଗାଳି କରିଥିଲେ। ବିନା ଅନୁମତିରେ କାହିଁକି ରୁମ୍ ଭିତରକୁ ପଶି ଆସିଲ ବୋଲି କହି ଅତ୍ୟନ୍ତ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଗତକାଲିର ଘଟଣା ନୁହେଁ, ଅନେକ ସମୟରେ ଡାକ୍ତରମାନେ ରୋଗୀଙ୍କୁ ଦୁର୍ବବ୍ୟହାର କରୁଥିବା ନଜରକୁ ଆସିଛି। ଏପରିକି କିଛି ମାସ ତଳେ ଜଣେ ଡାକ୍ତର ରୋଗୀଙ୍କୁ ଚାପୁଡ଼ା ମାରିବା ଘଟଣା ହଇଚଇ ସୃଷ୍ଟି କରିଥିଲା।

ଅସ୍ତ୍ରୋପଚାର ପାଇଁ ଟଙ୍କା ମାଗିବା ଘଟଣା : ପରୀକ୍ଷିତଙ୍କୁ ଧମକ
କ୍ୟାପିଟାଲ ହସ୍ପିଟାଲର ସର୍ଜରି ୱାର୍ଡରେ ପରୀକ୍ଷିତ ବାରିକଙ୍କୁ ଅସ୍ତ୍ରୋପଚାର ପାଇଁ ଟଙ୍କା ମଗାଯିବା ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ଆଜି ହସ୍ପିଟାଲର ଜଣେ ଯୁବକ ପରୀକ୍ଷିତ ଓ ତାଙ୍କ ପରିବାରକୁ ହସ୍ପିଟାଲରେ ଧମକାଇଛନ୍ତି। କାହିଁକି ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଲ ବୋଲି ଏହି ବ୍ୟକ୍ତିଜଣକ ପ୍ରଶ୍ନ କରିଥିଲେ। କହିଥିଲେ, ଖବର ବାହାରିଲା ପରେ ଯଦି ଡାକ୍ତର ଅସ୍ତ୍ରୋପଚାର ସମୟରେ ଅନ୍ୟ କିଛି କାଟି ଦେବେ, କ’ଣ କରିବ। ଏପରିକି ଏକ ସାଦା କାଗଜରେ ତାଙ୍କଠାରୁ ଦସ୍ତଖତ କରାଇ ନେଇଥିବା ମଧ୍ୟ ସୂଚନା ମିଳିଛି। ତେବେ ସଂପୃକ୍ତ ଯୁବକଜଣକ କିଏ ଓ କାହା ନିର୍ଦେଶରେ ସେ ଏଭଳି ଧମକ ଓ କାଗଜରେ ଦସ୍ତଖତ କରି ନେଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ଅସ୍ତ୍ରୋପଚାର ପାଇଁ ଟଙ୍କା ମଗାଯିବା ଘଟଣାରେ ହସ୍ପିଟାଲ ନିର୍ଦେଶକ ତଦନ୍ତ ନିର୍ଦେଶ ଦେଇଛନ୍ତି। ବିଭାଗୀୟ ଡାକ୍ତର ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି। କେବଳ ପରୀକ୍ଷିତ ନୁହନ୍ତି, ପ୍ରତ୍ୟେକ ଦିନ ଅସ୍ତ୍ରୋପଚାର ପାଇଁ ଯାଉଥିବା ରୋଗୀଙ୍କଠାରୁ ଟଙ୍କା ମଗାଯାଉଥିବାର ଏକ ଭିଡିଓ ‘ସମ୍ବାଦ’ର ହସ୍ତଗତ ହୋଇଛି। କିଛି ମହିଳା ଅସ୍ତ୍ରୋପଚାର ପାଇଁ ୪/୫ହଜାର ଟଙ୍କା ଦେଉଥିବା ଭିଡିଓରେ କହିଛନ୍ତି। ହସ୍ପିଟାଲ କର୍ତୃପକ୍ଷ କିଏ କିଏ ଘଟଣାରେ ସଂପୃକ୍ତ ସେ ସଂପର୍କରେ ଜାଣିଛନ୍ତି। ଏପରିକି କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଲେଖିଛନ୍ତି। ହେଲେ ଫଳ ଶୂନ। ଫଳରେ ରୋଗୀଙ୍କୁ ଶୋଷଣ ଦିନକୁ ଦିନ ବଢ଼ି ଚାଲିଥିବା ନଜରକୁ ଆସିଛି।

ସମ୍ବନ୍ଧିତ ଖବର