କଳିଙ୍ଗ ନାଟ୍ୟ ମହୋତ୍ସବ : ଅହଲ୍ୟାର ବାହାଘର

ଭୁବନେଶ୍ବର : ମୋ’ ପାଇଁ ଗହଣା ଆସିବ। ମୋର ମଙ୍ଗନ ହବ। ହୁଳହୁଳି ପଡ଼ିବ। ମୋ ବାହାଘର ହବ। ଆଉ ତାପରେ…। ଏତକ କହୁକହୁ ଲାଜେଇ ଯାଇଥିଲା ଅହଲ୍ୟା। ଏଇ ଅହଲ୍ୟା ପିଲାଟିଏ ହୋଇଥିବା ବେଳେ ତା’ ମା’ ତାକୁ ଜମିଦାରଙ୍କ ଘରେ ଛାଡ଼ି ଦେଇ ଚାଲି ଯାଇଥିଲା। ସେବେଠୁ ଅନାଥ ଅହଲ୍ୟା ଜମିଦାରଙ୍କ ଘରେ ପାଲଟିଯାଇଥିଲା ଚାକରାଣୀ। ସବୁ ଝିଅଙ୍କ ଭଳି ତା’ର ବି ଇଚ୍ଛା ଥିଲା, ସେ ବାହା ହବ। ଘର ବସେଇବ। ହେଲେ ମା’ ସଆନ୍ତାଣୀ କହିଲେ, ମୋ ଝିଅ ଭାରି ଗେଲବସର। ସେ ବାହା ହେଇ ଶାଶୂଘର ଯାଉଛି। ତୁ ତା’ ସହ ଯା। ତୁ ମୋ ଝିଅ କଥା ବୁଝିଦେ, ସେ ତୋ କଥା ବୁଝିଦବ। ତୁ ବଡ଼ ହେଲେ ସେ ତୋ’ ଘର ‌ବସେଇଦବ। ବାସ୍‌ ସେଇ କଥାପଦକୁ ଗଣ୍ଠି କରି ‌କେତେ ସ୍ବପ୍ନ ଦେଖିଥିଲା ଅହଲ୍ୟା। ଦେଈଙ୍କ କଥା ବୁଝିଦେଲେ ସେ ବାହା ହବ। ମାତ୍ର ଫଟା କପାଳିଟା ଅହଲ୍ୟା। ସାରା ଜୀବନ ବୋଧେ ଦାସୀ ହୋଇ ବଞ୍ଚିବା ପାଇଁ ତ‌ା ଭାଗ୍ୟରେ ଥିଲା। ଯିଏ ତାକୁ ବାହା ଦେବ ବୋଲି ସେ ଭାବିଥିଲା‌, ସେ ବି ଶେଷରେ ନିଜ ଝିଅ ସହ ଅହଲ୍ୟାକୁ ପଠେଇ ଦେଲେ।

ତଥାକଥିତ ସମାଜର ସ୍ବାର୍ଥପର ମଣିଷମାନଙ୍କ ଆକାଂକ୍ଷା ପୂରଣ କରିବାକୁ ଯାଇ ଘଟଣାଚକ୍ରରେ ନିଜ ସ୍ବପ୍ନକୁ କବର ଦେଉଥିବା ‘ଅହଲ୍ୟା’ମାନଙ୍କ କଥା କହିଥିଲା ଆଜି ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ନାଟକ ‘ଅହଲ୍ୟାର ବାହାଘର’। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ରଚିତ ଏହି କାହାଣୀର ନାଟ୍ୟ ରୂପାନ୍ତର ସହ ନିର୍ଦେଶନା ଦେଇଥିଲେ ଡ. ଗୌରାଙ୍ଗ ରାଉତ। ‘ଶତାବ୍ଦୀର କଳାକାର’ ପକ୍ଷରୁ ଆୟୋଜିତ ବହୁଭାଷୀ ଜାତୀୟ କଳିଙ୍ଗ ନାଟ୍ୟ ମହୋତ୍ସବରେ ମଂଚସ୍ଥ ଏହି ନାଟକ ପରିବେଷଣ କରିଥିଲେ ‘ମିଡିଆ ସେଣ୍ଟର ଫର୍‌ ସୋସିଓ କଲ୍‌ଚରାଲ୍‌ ଡେଭଲପମେଣ୍ଟ୍‌’ ନାଟ୍ୟାନୁଷ୍ଠାନର କଳାକାରବୃନ୍ଦ। ସମିତା ମହାନ୍ତି, ଗୌରାଙ୍ଗ ରାଉତ, ମଞ୍ଜୁଲତା ପ୍ରଧାନ, ସୁବାସ କର, ଛବିଲତା ସେଠୀ, ଦେବପ୍ରସାଦ ଦାଶ, ଶୁଭସ୍ମିତା ସାହୁ, ଚାରୁଚନ୍ଦ୍ର ମହାନ୍ତି, ଅଶେଷମାନ, ସୁଧାଂଶୁ, ଓମ୍‌, ଶ୍ଳୋକ, ଶୁଭଲକ୍ଷ୍ମୀ, ଋତୁପର୍ଣ୍ଣା, ରବିକାନ୍ତ ମହାରଣା, ରଂଜିତ ନାୟକ, ପ୍ରଜ୍ଞା ରଥଙ୍କ ହୃଦୟସ୍ପର୍ଶୀ ଅଭିନୟ ଦର୍ଶକଙ୍କୁ ଭିନ୍ନ ଏକ ଭାବନା ରାଇଜକୁ ନେଇ ଯାଇଥିଲା। ଆଜି ମଞ୍ଚରେ ଆୟୋଜିତ ପ୍ରାରମ୍ଭିକ ସଭାରେ ନାଟ୍ୟ ନିର୍ଦେଶକ ସତ୍ୟରଂଜନ ବେହେରା, ‘ସମ୍ବାଦ’ର ସାମ୍ବାଦିକା ସସ୍ମିତା ସାହୁ, ‘ପ୍ରଗତିବାଦୀ’ର ଫଟୋ ସାମ୍ବାଦିକ ବସନ୍ତ ପରିଡ଼ାଙ୍କୁ ‘ଶତାବ୍ଦୀର କଳାକାର’ ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରାକ୍ତନ ପ୍ରଶାସକ ତଥା କବି ରବିନାରାୟଣ ସେନାପତି ଓ ପ୍ରାକ୍ତନ ପ୍ରଶାସକ ସୁଦର୍ଶନ ନାୟକ ଅତିଥି ଭାବେ ଯୋଗଦେଇ ସମ୍ମାନ ପ୍ରଦାନ କରିଥିଲେ। ଶତାବ୍ଦୀର କଳାକାରର ସଭାପତି ଗୌରହରି ଦାସ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସଭା ପରିଚାଳନା କରିଥିଲେ ସାଧାରଣ ସମ୍ପାଦକ ଧୀର ମଲ୍ଲିକ।

ସମ୍ବନ୍ଧିତ ଖବର