କଳିଙ୍ଗବିହାର ଡବଲ୍ ମର୍ଡର ପଛର କାହାଣୀ: ପତ୍ନୀ ଓ ପୁଅଙ୍କ ଶବ ସହ ୭ଘଣ୍ଟା

ଜେଲ୍‌ ଗଲା ହତ୍ୟାକାରୀ ବାବି

ଋଣଭାରରେ ବୁଡ଼ିବା ଯୋଗୁଁ ନେଇଥିଲା ଚରମ ନିଷ୍ପତ୍ତି
ମାନସିକ ସ୍ଥିତି ଠିକ୍ ନଥିବାରୁ କଡ଼ା ନଜରରେ

ଭୁବନେଶ୍ୱର : ତମାଣ୍ଡୋ ଥାନା ଅଧୀନସ୍ଥ କଳିଙ୍ଗବିହାର କେ-୪ରେ ଡବଲ୍ ମର୍ଡର ଘଟଣାରେ ପୁଲିସ ହାତରେ ଆଜି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ଗତ ୧ତାରିଖ ରାତି ପ୍ରାୟ ୩ଟାରେ ହତ୍ୟାକାରୀ ଅବନ୍ତି ବିଜୟ ମଙ୍ଗରାଜ ଓରଫ୍‌ ବାବି ପ୍ରଥମେ ନିଦରେ ଶୋଇଥିବା ସ୍ତ୍ରୀ ସ୍ବର୍ଣ୍ଣଲତାକୁ ଓଢ଼ଣି ଗୁଡ଼ାଇ ମାରିବା ପରେ ପୁଅ ତୃପ୍ତିଦୀପ୍ତିକୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରିଥିଲା। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପତ୍ନୀ ଓ ପୁଅକୁ ହତ୍ୟା କରିବା ପରେ ସକାଳ ୧୦ଟା ପର୍ଯ୍ୟନ୍ତ ପତ୍ନୀ ଓ ପୁଅର ଶବ ସହ ସେହି ଘରେ ପ୍ରାୟ ୭ଘଣ୍ଟା କାଳ ରହିଥିଲା ବୋଲି ପୁଲିସ ପାଖରେ ସ୍ବୀକାର କରିଛି। କାରଣ ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା କଥା ଯେମିତି ବାହାରକୁ ପ୍ରଘଟ ନ ହୁଏ, ସେଥିପାଇଁ ସେ ରାତିରେ କେଉଁଆଡ଼େ ଫେରାର୍ ନ ହେଇ ଶବକୁ ଘରେ ଜଗିଥିଲା।

ତମାଣ୍ଡୋ ପୁଲିସ ଆଜି ହତ୍ୟାକାରୀ ଅବନ୍ତି ବିଜୟ ଓରଫ ବାବିକୁ ଗିରଫ କରି କୋର୍ଟ ଚାଲଣ କରିଛି। ଏହା ପରେ ଏସ୍‌ଡିଜିଏମ୍ କୋର୍ଟରେ ହାଜର କରାଇବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇଛି। ତେବେ ତା’ର ମାନସିକ ସ୍ଥିତି ଠିକ୍ ନଥିବାରୁ ତା’ଉପରେ କଡ଼ା ନଜର ରଖାଯାଇଛି। ଏହି ଲୋମଟାଙ୍କୁରା ଡବଲ୍ ମର୍ଡର ସଂପର୍କରେ ସୂଚନା ଦେଇ ଆଜି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଆର୍ଥିକ କ୍ଷତିଗ୍ରସ୍ତ ସାଙ୍ଗକୁ ହାତ ଉଧାରି ଆଣିଥିବା ଟଙ୍କା ଶୁଝି ନ ପାରିବା କାରଣରୁ ବାବି ନିଜ ସହ ପରିବାରକୁ ସବୁଦିନ ପାଇଁ ଶେଷ କରିଦେବେ ବୋଲି ନିଷ୍ପତ୍ତି ନେଇଥିଲା। ମାତ୍ର ସ୍ତ୍ରୀ ଓ ପୁଅକୁ ମାରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲା। ପରେ ସେ ଆଇଜି ପାର୍କ ନିକଟରୁ ପୁଲିସ ହାତରେ ଧରା ପଡ଼ିଥିଲା। ଅପରପକ୍ଷରେ ଆଜି ମା’ପୁଅଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଭିସେରା ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଛି। ସେହିପରି ହତ୍ୟାରେ ବ୍ୟବହୃତ ଛୁରିକୁ ପୁଲିସ ଫୋରେନ୍‌ସିକ ଲ୍ୟାବ୍‌କୁ ପଠାଇଥିବା ଜଣାପଡ଼ିଛି।

ପୁଲିସ ଆଗରେ ବାବି ଦେଇଥିବା ବୟାନ ଅନୁଯାୟୀ ସ୍ତ୍ରୀ ଓ ପୁଅକୁ ଶ୍ବାସରୁଦ୍ଧ କରି ହତ୍ୟା କରିବା ପରେ ସେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ମାତ୍ର ବିଫଳ ହେବା ଯୋଗୁଁ ସେ ପ୍ରଥମେ ଘର ଛାଡ଼ି ଅନ୍ୟତ୍ର ପଳାଇବାକୁ ଚିନ୍ତା କରିଥିଲା। ହେଲେ ସକାଳ ୯ଟା ବେଳେ ଘରକୁ କ୍ଷୀର ଦେବାକୁ ଜଣେ କ୍ଷୀରବାଲା ସବୁଦିନ ଆସୁଥିବାରୁ ସେ ହତ୍ୟା ଘଟଣା ପ୍ରଘଟ ହୋଇଯିବ ବୋଲି ଆଶଙ୍କା କରିଥିଲା। ଏଣେ ସକାଳ ୯ଟା ବେଳେ ସବୁଦିନ ଭଳି କ୍ଷୀରବାଲା ଘରର ଗେଟ୍ ବାହାରେ ପ୍ରାୟ ୧୦ମିନିଟ୍ କାଳ ଡାକିଡାକି ପଳାଇଥିଲା। ଏହା ପରେ ବାବି ଘରର ଭିତର ପଟୁ କବାଟ ଦେଇ ସିଡ଼ି ଚଢ଼ି ଛାତକୁ ଯାଇଥିଲା। ଆଉ ଛାତରୁ ଡେଇଁ ତଳକୁ ଆସିବା ପରେ ନିଜ ବାଇକ୍ ନେଇ ପଳାଇ ଯାଇଥିଲା।

ପାଗଳପ୍ରାୟ ହୋଇ ବାହୁନି ହେଉଛି ବାବି
ମାନସିକ ଭାରସାମ୍ୟ ହରାଇ ବାବି ପୁଅ ଓ ପତ୍ନୀଙ୍କୁ ହତ୍ୟା ସିନା କରିଦେଲା; ମାତ୍ର ଏହି ଜଘନ୍ୟ କାଣ୍ଡ ଘଟାଇ ପୁଲିସ ହାତରେ ଧରାପଡ଼ିବା ପରେ ପଶ୍ଚାତ୍ତାପରେ ପାଗଳପ୍ରାୟ ହୋଇ ସେ ବାହୁନି ହେଉଥିବା ଦେଖିବାକୁ ମିଳିଥିଲା। ଏପରିକି ଏଭଳି ଭୁଲ ପାଇଁ କୌଣସି କ୍ଷମା ନାହିଁ, ମୋତେ ଆତ୍ମହତ୍ୟା କରିବା ପାଇଁ ଛାଡ଼ିଦିଅନ୍ତୁ ବୋଲି ସେ ପୁଲିସକୁ ନେହୁରା ହୋଇଥିଲା। ତେଣୁ କାଳେ ବାବି କ’ଣ କରିବସିବ, ସେଥିପାଇଁ କୋର୍ଟ ଚାଲାଣ ଓ ଜେଲ୍‌କୁ ପଠାଇବା ଭିତରେ ପୁଲିସ ବାବିକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖିଥିଲା। ଏପରିକି ଜେଲ୍ ଯିବା ପରେ ମଧ୍ୟ ତା’ର ଗତିବିଧି ଉପରେ କଡ଼ା ନଜର ରଖିବାକୁ ପୁଲିସ ଜେଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ରବିବାର ରାତିରେ ପତ୍ନୀଙ୍କ ସହ ଝଗଡ଼ା କରିଥିଲା
ସୋମବାର ରାତି ପ୍ରାୟ ୩ଟାରେ ବାବି ପୁଅ ଓ ପତ୍ନୀକୁ ହତ୍ୟା କରିଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ରବିବାର ରାତିରେ ବାବି ପତ୍ନୀ ସ୍ବର୍ଣ୍ଣଲତା ସହ ପ୍ରବଳ ଝଗଡ଼ା କରିଥିଲା। ଝଗଡ଼ା ପଛର ମୂଳ କାରଣ ଥିଲା ଟଙ୍କା। ବାବି ସ୍ବର୍ଣ୍ଣଲତାଙ୍କ ଭାଇ ପାଖରୁ କିଛିମାସ ତଳେ ପ୍ରାୟ ୩ଲକ୍ଷ ଟଙ୍କା ଧାର ଆଣିଥିଲା। ଏହା ସହ ନିଜ ସଂପର୍କୀୟ ଓ ସାଙ୍ଗସାଥୀଙ୍କଠାରୁ ମଧ୍ୟ ୪ଲକ୍ଷ ଟଙ୍କା ହାତଉଧାରି କରିଥିଲା। ଏହିଭଳି ପ୍ରାୟ ୧୫ରୁ ୧୬ଲକ୍ଷ ଟଙ୍କା କରଜ କରି ବାବି ସେୟାର୍ ମାର୍କେଟ୍‌ରେ ଲଗାଇଥିଲା। ମାତ୍ର ଅଭିଜ୍ଞତା ଅଭାବରୁ ସବୁ ଟଙ୍କା ସେୟାର୍ ମାର୍କେଟ୍‌ରେ ବୁଡ଼ି ଯାଇଥିଲା। ଗୋଟେ ପଟେ ଟଙ୍କା ବୁଡ଼ିବା ସାଙ୍ଗକୁ ଅପର ପଟେ କରଜ ଆଣିଥିବା ଭାଇ ଓ ସଂପର୍କୀୟ ବାରମ୍ବାର ଟଙ୍କା ସୁଧ ସମେତ ଫେରସ୍ତ ମାଗିଥିଲେ। ଏଥିପାଇଁ ନଭେମ୍ବର ପହିଲାରେ କିଛି କିଛି ଟଙ୍କା ଫେରସ୍ତ କରିବ ବୋଲି ବାବି ସମସ୍ତଙ୍କୁ କହିଥିଲା। ଅକ୍ଟୋବର ରବିବାର ରାତିରେ ସ୍ବର୍ଣ୍ଣଲତା ବାବିଙ୍କୁ ଟଙ୍କା କେମିତି ଫେରାଇବ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏମିତି ସ୍ତରକୁ ଯାଇଥିଲା ଯେ ସେଦିନ ରାତିରେ ଘରେ କେହି ନ ଖାଇ ଓପାସ ଶୋଇଥିଲେ। ଏହି ଘଟଣା ପରେ ହିଁ ବାବି ସମସ୍ତଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିବ ବୋଲି ଚରମ ନିଷ୍ପତ୍ତି ନେଇଥିଲା

ଆଇଜି ପାର୍କ ଯିବା ରାସ୍ତାରେ ଧରାପଡ଼ିଲା
ପତ୍ନୀ ଓ ପୁଅଙ୍କୁ ହତ୍ୟା କରିବାର ୭ ଘଣ୍ଟା ପ‌ରେ ମଙ୍ଗଳବାର ଦିନ ପ୍ରାୟ ୧୦ଟାରେ ବାବି ଘରୁ ବାହାରି ଆଖପାଖ ଅଞ୍ଚଳରେ ବାଇକ୍‌ରେ ଘୂରି ବୁଲିଥିଲା। ଏହାପରେ ସେ ଆଇ୍‌ଆର୍‌ସିସ୍ଥିତ ଏକ ଘରୋଇ ବ୍ୟାଙ୍କ୍‌ରୁ ସୁନା ଦେଇ ଋଣ ଆଣିବା ପରେ ବଡ଼ଶଳା ସୁମନ୍ତ ପ୍ରଧାନଙ୍କ ପତ୍ନୀ ଓ ପୁଅଙ୍କୁ ହତ୍ୟା କରିଥିବା ନେଇ ହ୍ବାଟ୍‌ସଆପ୍‌ରେ ମେସେଜ୍ ପଠାଇବା ସହ ସେମାନଙ୍କ ଶୁଦ୍ଧିକ୍ରିୟା ପାଇଁ କିଛି ଟଙ୍କା ମଧ୍ୟ ପଠାଇଥିଲା। ସୁମନ୍ତ ପ୍ରଧାନ ଏ ନେଇ ପୁଲିସକୁ ସୂଚନା ଦେଇ ଭଉଣୀ ଘରକୁ ଛୁଟି ଆସିଥିଲେ। ଏହାର କିଛି ସମୟ ପରେ ପୁଲିସ୍ ବାବିର ମୋବାଇଲ୍ ନମ୍ବର ଟ୍ରାକ୍ କରି ସେ ଅଶୋକନଗରରୁ ଆଇଜି ପାର୍କ ଆଡ଼େ ଯାଉଥିବା ଲୋକେସନ୍ ଟ୍ରାକ୍ କରିଥିଲା। ‌ତେଣୁ ପୁଲିସ ଆଉ ଡେରି ନ କରି ଆଇଜି ପାର୍କ ନିକଟରେ ପହଞ୍ଚି ବାବିକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର