ଦୀପାବଳିରେ ଭେଜାଲ୍‌ ଭୟ: ମିଠା ଦୋକାନରେ ବିଏମ୍‌ସିର ଚଢ଼ଉ

୨୩ ହଜାର ଜରିମାନା ଆଦାୟ

ଭୁବନେଶ୍ୱର : ଦୀପାବଳିରେ ସମ୍ଭାବ୍ୟ ଭେଜାଲ ମିଠା ବେପାରକୁ ଆଖି ଆଗରେ ରଖି ବୁଧବାର ଦିନ ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନରେ ବିଏମ୍‌ସିର ଫୁଡ୍‌ ସେଫ୍ଟି ସ୍କ୍ୱାଡ୍‌ ଚଢ଼ଉ କରିଛି। ମିଠାର ମାନ ସହିତ କୋଭିଡ୍‌ କଟକଣା ମଧ୍ୟ ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯାଇଛି।

ଦୀପାବଳି ଥିବାରୁ ଆଜି ବିଭିନ୍ନ ମିଠା ଦୋକାନରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ତେଣୁ ବିଏମ୍‌ସିର ସେଣ୍ଟ୍ରାଲ୍ ସ୍କ୍ବାଡ୍‌ ଚଢ଼ଉ କରି ଅଧିକ ଭିଡ଼, ମିଠାର ମାନ, ପ୍ୟାକିଂ, ମିଠାରେ ରଙ୍ଗ ମିଶାଇବା ଇତ୍ୟାଦିରେ ରହିଥିବା ନିୟନ୍ତ୍ରଣ ବ୍ୟବସ୍ଥା ଓ ପରିଚ୍ଛନ୍ନତା ପାଳନ ହେଉଛି କି ନାହିଁ ତାହା ତଦାରଖ କରିଥିଲେ। ସମସ୍ତ ମିଠା ଦୋକାନଗୁଡ଼ିକରୁ ନମୁନା ସଂଗ୍ରହ କରାଯାଇଥିଲା। ରାଜମହଲ, ମାଷ୍ଟରକ୍ୟାଣ୍ଟିନ୍‌, ରାମ ମନ୍ଦିର ଏବଂ ସହିଦନଗର ଇତ୍ୟାଦିରେ ଥିବା ପ୍ରମୁଖ ମିଠା ଦୋକାନ ଗୁଡ଼ିକରେ ସ୍କ୍ୱାଡ୍‌ ଖାଦ୍ୟ ପଦାର୍ଥ ଯାଞ୍ଚ କରିବା ସହ ବାସି ଖାଦ୍ୟ ପଦାର୍ଥକୁ ନଷ୍ଟ କରାଯାଇଥିଲା। ସନ୍ଦେହ ହୋଇଥିବା ଖାଦ୍ୟ ମଧ୍ୟରୁ ୧୮ଟି ଖାଦ୍ୟ ନମୁନା ପରୀକ୍ଷା ପାଇଁ ପରୀକ୍ଷାଗାର ପଠାଯାଇଥିଲା।

ମିଠାର ମାନ ଯାଞ୍ଚ ସହ ସ୍କ୍ୱାଡ୍‌ ଏହି ମିଠା ଦୋକାନଗୁଡ଼ିକରେ ଅନୁମତି ନ ଥିବା ପଲିଥିନ୍ ଜରିର ବ୍ୟବହାର ମଧ୍ୟ ଯାଞ୍ଚ କରିଥିଲା। ୧୫ଟି ଦୋକାନରୁ ୪୦ କେଜି ଓଜନର ସିଙ୍ଗିଲ୍‌ ଇୟୁଜ୍‌ ପଲିଥିନ୍ ଜବତ ହୋଇଥିଲା। ଦୋକାନୀମାନଙ୍କ ଠାରୁ ୨୩ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। କମିସନର ସଞ୍ଜୟ ସିଂହଙ୍କ ନିର୍ଦ୍ଦେଶକ୍ରମେ ଏଭଳି ଚଢ଼ଉ ହୋଇଛି। ଆଗକୁ ମଧ୍ୟ ଏଭଳି ଜାରି ରହିବ ବୋଲି ବିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ୍ ପଟେଲ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର