ପୁଲିସ ନିଷ୍କ୍ରିୟତା ପ୍ରତିବାଦ, ୨୪ ଯାଏଁ ଭୁବନେଶ୍ୱର ଓକିଲ ସଂଘର କାର୍ଯ୍ୟ ବନ୍ଦ

ଭୁବନେଶ୍ୱର: ଲକ୍ଷ୍ମୀସାଗର ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଆସନ୍ତା ୨୪ ତାରିଖ ଯାଏଁ ଭୁବନେଶ୍ୱର ଓକିଲ ସଂଘ କାର୍ଯ୍ୟ ବନ୍ଦ ଡାକରା ଦେଇଛି। ଶୁକ୍ରବାର ପୂର୍ବାହ୍ନରେ ବସିଥିବା ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଦୁଇଜଣ ଓକିଲଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସଂଘ ସମୟ ଦେଇଥିଲେ ମଧ୍ୟ ନିର୍ଧାରିତ ସମୟରେ ଅଭିଯୁକ୍ତ ଗିରଫ ନ ହେବାରୁ ସଂଘ ଏହି ପଦକ୍ଷେପ ନେଇଥିବା ସମ୍ପାଦକ ବିଶ୍ବରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ପୁଲିସକୁ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ପୁଲିସ ଅଭିଯୁକ୍ତଙ୍କୁ ନ ଧରିଲେ, ଆସନ୍ତା ୨୪ ତାରିଖରେ ସାଧାରଣ ପରିଷଦ ବୈଠକରେ ପରବର୍ତ୍ତୀ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସମ୍ପାଦକ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ସଂଘର ଦୁଇଜଣ ଓକିଲ ମହମ୍ମଦ ଏ. ଆଲାମ୍‌ ଓ ଉମାକାନ୍ତ ତାଣ୍ଡିଙ୍କୁ ୧୬ ତାରିଖରେ ଆକ୍ରମଣ ହୋଇଥିଲା। ଲକ୍ଷ୍ମୀସାଗର ଅଞ୍ଚଳରେ ଦୁର୍ବୃତ୍ତମାନେ ଆକ୍ରମଣ କରିବା ସହ ଗାଳିଗୁଲଜ କରି ଫେରାର ହୋଇଯାଇଥିଲେ। ଏ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିଥିଲା। ୨୦ ତାରିଖ ସକାଳ ୯ଟା ସୁଦ୍ଧା ଅଭିଯୁକ୍ତକୁ ନ ଧରିଲେ ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା। ଧରା ନପଡ଼ିବାରୁ ପ୍ରତିବାଦ ସ୍ବରୂପ ଓକିଲ ସଂଘ ୨୦ ତାରିଖ କାମ ବନ୍ଦ ରଖିଥିଲା। ଏବେ ୨୪ ଯାଏଁ କାର୍ଯ୍ୟ ବନ୍ଦ ହୋଇଥିବାରୁ ଏହି ସମୟରେ କୌଣସି ପ୍ରକାରର ଆଡ୍‌ଭର୍ସ ଅର୍ଡର ପାସ୍‌ ନ କରିବା ଓ ଅନ୍ୟ ଜଜ୍‌ମାନଙ୍କୁ ଅନୁରୂପ ପରାମର୍ଶ ଦେବା ପାଇଁ ଜିଲ୍ଲା ଓ ଦୌରାଜଜ୍‌ଙ୍କୁ ସଂଘ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର