‘ପିକୁ’ରେ ତାଲା ଝୁଲିଲା, ନୂଆ ବ୍ୟବସ୍ଥା କରୁଛନ୍ତି, ବନ୍ଦ କରୁଛନ୍ତି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଛୋଟ ପିଲାଙ୍କ ପାଇଁ ଆଇସିୟୁ ବା ‘ପିକୁ’ ଖୋଲିବାର ବର୍ଷେ ପୂରିନି। ହେଲେ ଏଥିରେ ତାଲା ଝୁଲିଲାଣି। ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ନିଯୁକ୍ତି କଲା ନାହିଁ କି ହସ୍ପିଟାଲ କର୍ତୃପକ୍ଷ ମଧ୍ୟ ଚଳାଇ ପାରିଲେ ନାହିଁ। ହସ୍ପିଟାଲରେ ଖାଲି ନୂଆ ନୂଆ ଯୋଜନା ପାଇଁ ଘୋଷଣା ହେଉଛି, କିଛି ବି ଆରମ୍ଭ ହେଉଛି। ହେଲେ କିଛିଦିନ ଚାଲିବା ପରେ ତାହା ବନ୍ଦ ହୋଇଯାଉଛି। ଏମିତି ଢଙ୍ଗରେ ରୋଗୀମାନଙ୍କୁ ଭୂଆଁ ବୁଲାଉଛନ୍ତି ସରକାର। କ୍ୟାପିଟାଲ ‌ହସ୍ପିଟାଲରେ ‘ପିକୁ’ ଖୋଲିବାକୁ ନେଇ ଆରମ୍ଭରୁ ହିଁ ଚର୍ଚାରେ ରହିଥିଲା। ରାଜ୍ୟର ମେଡିକାଲ କଲେଜରେ କେବଳ ଏହି ସୁବିଧା ଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଏହାକୁ ଏକ ବୃହତ୍ତର ଲକ୍ଷ୍ୟ ନେଇ ଏହା ଖୋଲିଥିଲା। ମାତ୍ର ନିର୍ମାଣରେ ବିଳମ୍ବ ଓ ନିର୍ମାଣ ପରେ ଠିକ୍‌ ଭାବେ ଏହାର ପରିଚାଳନା ନ ହେବାରୁ ବିବାଦ ଦେଖା ଦେଇଥିଲା। ଏପରିକି ‘ପିକୁ’ରେ ଶିଶୁମାନଙ୍କ ବଦଳରେ ହସ୍ପିଟାଲର କିଛି କର୍ମଚାରୀ ଏଥିରେ ବିଶ୍ରାମ ନେଉଥିବା ଅଭିଯୋଗ ହୋଇଥିଲା। ମାତ୍ର ଏବେ ଏଥିରେ ସଂପୂର୍ଣ୍ଣଭାବେ ତାଲା ପଡ଼ି ଯାଇଛି। କର୍ମଚାରୀଙ୍କ ଅଭାବରୁ କର୍ତୃପକ୍ଷ ଏଥିରେ ତାଲା ପକାଇବାକୁ ବାଧ୍ୟ ହୋଇଛନ୍ତି। ଏହାର ଉଦ୍‌ଘାଟନ ସମୟରେ ଆବଶ୍ୟକ କର୍ମଚାରୀ ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ବର୍ଷେ ପରେ ମଧ୍ୟ ଜଣେ ହେଲେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଗଲା ନାହିଁ। ‘ପିକୁ’ ପାଇଁ ୨ଜଣ ଡାକ୍ତର, ୬ଜଣ ଷ୍ଟାଫ୍ ନର୍ସ ଓ ୩ଜଣ ଆଟେଣ୍ଡାଣ୍ଟଙ୍କ ଆବଶ୍ୟକତା ରହିଛି। ଏଥିରେ ୪ଟି ଶଯ୍ୟା ରହିଥିବା ବେଳେ ୧ମାସରୁ ୧୪ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଚିକିତ୍ସା କରାଯାଇଥାଏ। ମାତ୍ର ଏହା ଆରମ୍ଭ ହେବା ଦିନଠାରୁ ହସ୍ପିଟାଲରେ ଯେତିକି ସଂଖ୍ୟକ କର୍ମଚାରୀ ରହିଥିଲେ ସେମାନଙ୍କ ଜରିଆରେ କାମ ଚାଲୁଥିଲା। ଆଇସିୟୁରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରୁ କିଛି କର୍ମଚାରୀଙ୍କୁ ‘ପିକୁ’ରେ କାର୍ଯ୍ୟ କରିବାକୁ କୁହାଯାଇଥିଲା। ମାତ୍ର ହସ୍ପିଟାଲରେ କର୍ମଚାରୀଙ୍କ ଅଭାବ ହେବାରୁ କର୍ତୃପକ୍ଷ ବଳକା କର୍ମଚାରୀଙ୍କୁ ସେଠାରୁ ହଟାଇ ନେଇଛନ୍ତି। ନୂଆ କର୍ମଚାରୀ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହେବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି।

ହସ୍ପିଟାଲର ଜ‌ଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ହସ୍ପିଟାଲର ଆଇସିୟୁରେ ୨୫ଟି ଷ୍ଟାଫନର୍ସ ପାଇଁ ପଦବି ରହିଛି। ଏବେ ୧୪ଜଣ କାମ କରୁଛନ୍ତି। ସେହିପରି ‘ପିକୁ’ ପାଇଁ ୧୦ଜଣ ଷ୍ଟାଫନର୍ସ ପଦବି ରହିଛି। ମାତ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ। ଆଇସିୟୁରେ କାର୍ଯ୍ୟ କରୁଥିବା ଷ୍ଟାଫନର୍ସଙ୍କ ମଧ୍ୟରୁ ୩ଜଣ ମାତୃତ୍ବକାଳୀନ ଛୁଟି ନେଇଛନ୍ତି। ଯାହାଫଳରେ କର୍ମଚାରୀଙ୍କ ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ ‘ପିକୁ’ ଚଳାଇବା ସମ୍ଭବପର ନୁହେଁ। ନିକଟରେ ଖୋର୍ଧା ସିଡିଏମ୍‌ଓଙ୍କ ସହିତ ଏ ବାବଦରେ ଆଲୋଚନା ହୋଇଛି। ସିଡିଏମ୍‌ଓ ଯଦି କର୍ମଚାରୀ ନିଯୁକ୍ତି ଦିଅନ୍ତି ତେବେ ପୁଣିଥରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ପୂର୍ବରୁ ମେରୁଦଣ୍ଡ ଚିକିତ୍ସା, ନିଶାଗ୍ରସ୍ତ ରୋଗୀମାନଙ୍କ ନିଶା ନିବାରଣ କେନ୍ଦ୍ର ଖୋଲିବା ପାଇଁ ଘୋଷଣା ହୋଇଛି। ଟ୍ରାଏଜ୍ କିଛି ମାସ ପୂର୍ବରୁ ‌ଉଦ୍‌ଘାଟିତ ହୋଇଥିଲେ ହେଁ ତାହା ସାଧାରଣ ଲୋକଙ୍କ କାମରେ ଆସୁନାହିଁ।

ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ଅସନ୍ତୋଷ
କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ବିଭାଗ ନିଯୁକ୍ତି ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିବା ଆଟେଣ୍ଡାଣ୍ଟଙ୍କ ମଧ୍ୟରୁ କିଛି ଜଣଙ୍କୁ ଆଇସିୟୁରେ ନିଯୁକ୍ତି ହେବା ନେଇ ବିବାଦ ଆରମ୍ଭ ହୋଇଛି। ଆଇସିୟୁକୁ ଯାଇଥିବା ଆଟେଣ୍ଡାଣ୍ଟମାନଙ୍କୁ ଖାଲି ଥିବା ପଦବିରେ ନିଯୁକ୍ତି ଦିଆଯାଇଥିବା ନେଇ ଅନ୍ୟମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ପାଉଥିବା ଦରମାରେ ତାରତମ୍ୟ ରହୁଥିବାରୁ ଏ ନେଇ କିଛି ଆଟେଣ୍ଡାଣ୍ଟ ହସ୍ପିଟାଲର ନିର୍ଦେଶକଙ୍କୁ ଭେଟି ଏ ସଂପର୍କରେ ଦାବି ଜଣାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର