ମା’ ଆସୁଛନ୍ତି: ପୂଜାମଣ୍ଡପରେ ମଧ୍ୟପ୍ରଦେଶ ମନ୍ଦିର

ଭୁବନେଶ୍ବର: କଟକ ପଟୁ ରାଜଧାନୀର ପ୍ରବେଶ ଦ୍ବାର କୁହାଯାଉଥିବା ପଳାସୁଣିରେ ଦୁର୍ଗାପୂଜା ୩୮ ବର୍ଷ ହେଲା ଚର୍ଚ୍ଚାରେ ରହିଆସିଛି। ଆଖି ଝଲସା ତୋରଣ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ପୂଜାମଣ୍ଡପରେ ଚଳିତ ବର୍ଷ ନିର୍ମାଣ କରାଯାଉଛି ମଧ୍ୟପ୍ରଦେଶ ଲକ୍ଷ୍ମୀ ନାରାୟଣ ମନ୍ଦିର ଢାଞ୍ଚାର ତୋରଣ। ୫୦ ଫୁଟ୍‌ ଉଚ୍ଚତା ଓ ୫୦ ଫୁଟ୍‌ ପ୍ରସ୍ଥ ବିଶିଷ୍ଟ ଏହି ତୋରଣ ତିଆରିରେ ୧୬ ଜଣ ବଙ୍ଗୀୟ କାରିଗର ଲାଗିଛନ୍ତି। ବଡ଼ କଥା ହେଉଛି, ଏହି ତୋରଣ ନିର୍ମାଣରେ ଜାମୁକୋଳି ମଞ୍ଜି ଓ କାଉଡ଼ିଆ କାଠି ବ୍ୟବହାର କରାଯାଉଛି। ଲକ୍ଷ୍ମୀ ନାରାୟଣ ମନ୍ଦିରର ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ମଧ୍ୟ ତିଆରି କରାଯାଉଛି ଏବଂ ସେସବୁ ଦର୍ଶକଙ୍କୁ ବେଶି ଆକର୍ଷିତ କରିବ। ପ୍ରତିଥର ଭଳି ଏଥର ମଧ୍ୟ ମୂର୍ତ୍ତି ନିର୍ମାଣରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରାଯାଉନାହିଁ। ୨୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ଓ ୨୦ ଫୁଟ୍‌ ଉଚ୍ଚର ମେଢ଼ ପ୍ରସ୍ତୁତିରେ କଟକର ୬ କୁଶଳୀ କାରିଗର ଲାଗିପଡିଛନ୍ତି।

ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମଣ୍ଡପରେ ସିସି କ୍ୟାମେରା ଲଗାଯାଉଛି। ସେହିଭଳି ୧୦୦ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ମହିଳା ସ୍ବେଚ୍ଛାସେବୀମାନେ ମହିଳା ଶ୍ରଦ୍ଧାଳୁଙ୍କ ସେବା ଓ ଯତ୍ନରେ ନିୟୋଜିତ ରହିବେ। ସେମାନେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ଶୃଙ୍ଖଳିତ ଦର୍ଶନରେ ସହଯୋଗ କରିବେ। ପ୍ରତିଦିନ ୪୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ଥିବା ବେଳେ ଅଷ୍ଟମୀରେ ଅନ୍ନପ୍ରସା‌ଦ ବଣ୍ଟନ କରାଯିବ। ମନୋରଞ୍ଜନ ପାଇଁ ସପ୍ତମୀରେ ଭଜନ ସମାରୋହ ଓ ନବମୀରେ ମେଲୋଡି କରାଯିବ। ଭସାଣିରେ ପାରମ୍ପରିକ ବାଦ୍ୟ ସହିତ ଲୋପ ପାଇବାକୁ ବସିଥିବା ଲୋକନୃତ୍ୟ ଓ ଲୋକକଳା ପ୍ରଦର୍ଶନ କରାଯିବ। ଭସାଣି ଶୋଭାଯାତ୍ରାକୁ ଶୃଙ୍ଖଳିତ ଭାବେ ସମାହିତ କରାଯିବ।

ପୂଜା ବିଧି ଉପରେ ଗୁରୁତ୍ବ
ପୁରୁଣା ଭୁବନେଶ୍ବରରେ ମା’ଙ୍କ ପୂଜା ବହୁ ପ୍ରାଚୀନ। ସାଜସଜ୍ଜା ଅପେକ୍ଷା ଏଠାରେ ମା’ଙ୍କ ପୂଜାକୁ ପୀଠ ପୂଜା ଭଳି ବିଧି ରକ୍ଷା କରି କରାଯାଏ। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ମା’ଙ୍କ ସମସ୍ତ ନୀତିକାନ୍ତି ବିଧି ମୁତାବକ କରାଯିବ।
ଅଶୋକ ଶତପଥୀ, ସଭାପତି

ବଣିଆସାହି ପୂଜା କମିଟି ପାରମ୍ପରିକ ବାଜାରେ ଭସାଣି ଶୋଭାଯାତ୍ରା
ପୂଜାରେ ଶୃଙ୍ଖଳା ରକ୍ଷା କରିବାକୁ ଆମେ ସବୁବେଳେ ଗୁରୁତ୍ବ ଦେଇଆସିଛୁ। ସ୍ଥାନ ଅଭାବରୁ ଆମର ଏଠି ବଡ଼ ତୋରଣ କରାଯାଏନାହିଁ। ପାରମ୍ପରିକ ବାଜା ବଜାଇ ଏଠାରେ ପ୍ରଥମ ଭସାଣି ଶୋଭାଯାତ୍ରା କରାଯାଏ।
ତୋଫାନ ସାମନ୍ତରାୟ, ସମ୍ପାଦକ 

ପଳାସୁଣି ଦୁର୍ଗାପୂଜା କମିଟି ଏଥର ବଜେଟ୍‌ ୨୫ ଲକ୍ଷ
୩୮ ବର୍ଷ ତଳେ ୧୯୮୫ ମସିହାରେ କୈଳାସଚନ୍ଦ୍ର ସାହୁଙ୍କ ତତ୍ତ୍ବାବଧାନରେ କମିଟି ଗଠନ କରାଯାଇ ହାଟରୁ ଆଦାୟ କରି ପୂଜା ଆରମ୍ଭ ହୋଇଥିଲା। ସେତେବେଳେ ମାତ୍ର ୧୪ ହଜାର ଟଙ୍କାର ବଜେଟ୍‌ରେ ପୂଜା ହୋଇପାରୁଥିଲା। କିନ୍ତୁ ବର୍ତ୍ତମାନ ସମୟ ବଦଳିଛି। ଏଥର ୨୫ ଲକ୍ଷ ଟଙ୍କାର ବଜେଟ୍‌ କରାଯାଇଛି।
ପ୍ରଭାତ କୁମାର ପରିଡ଼ା, ସଭାପତି

ରାବଣପୋଡ଼ି ହେବ ମୁଖ୍ୟ ଆକର୍ଷଣ
ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଦଶମୀରେ ରାବଣପୋଡ଼ି ପାଇଁ ୪୦ ଫୁଟ୍‌ର ରାବଣ ପିତୁଳା ନିର୍ମାଣ କରାଯାଉଛି। ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ରାବଣପୋଡ଼ି ହେବ। ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପଳାସୁଣି ହାଟ ପାଖରେ ପାର୍କିଂ ବ୍ୟବସ୍ଥା ହୋଇଛି। ସେଠାରେ ଆମ ସ୍ବେଚ୍ଛ‌ାସେବୀମାନେ ପୂଜା ବୁଲିବାକୁ ଆସିଥିବା ଲୋକଙ୍କୁ ସହଯୋଗ କରିବେ।
ରମେଶ ସାହୁ, ସମ୍ପାଦକ

ସମ୍ବନ୍ଧିତ ଖବର