ରାତିଅଧିଆ ଚଢ଼ଉ, ବ୍ୟବସାୟୀଙ୍କୁ ଜରିମାନା

ରାତି ୧୨ ଯାଏ ବୁଲିବେ ୱାର୍ଡ ଅଫିସର, ଏସ୍‌ଆଇ

ଭୁବନେଶ୍ବର: ପରିମଳକୁ ନେଇ ବିଏମ୍‌ସି ତନାଘନା ଆରମ୍ଭ କରିଛି। ଆଜିଠାରୁ ରାତିଅଧିଆ ଚଢ଼ଉ ଆରମ୍ଭ ହୋଇଛି। ରାତି ୯ରୁ ରାତି ୧୨ଟା ଯାଏଁ ଏଥର ୱାର୍ଡ ଅଫିସର୍‌ ଓ ଏସ୍‌ଆଇମାନେ ଗଳି ଗଳି ବୁଲିବେ। ଆବର୍ଜନା କିଏ କେଉଁଠି ପକାଇଛି, ତାହା ଯାଞ୍ଚ କରିବେ। ଏହାକୁ ବିଏମ୍‌ସିକୁ ରିପୋର୍ଟ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆଜିର ଚଢ଼ଉରେ ୩ଜଣଙ୍କଠାରୁ ୧୦ ହଜାର ଜରିମାନା କରାଯାଇଛି। ଆବର୍ଜନା ଏଣେତେଣେ ନ ଫିଙ୍ଗିବା ପାଇଁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି।

ତେବେ ରାତିଅଧରେ ଏଭଳି ଡ୍ୟୁଟିକୁ ନେଇ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି। ସାରା ଦିନ ବିଭିନ୍ନ କାମ କରିବା ପରେ ପୁଣି ରାତି ୧୨ଟା ଯାଏ କାମ କରିବାକୁ ନେଇ କର୍ମଚାରୀମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦିନରେ ହୋଲ୍ଡିଂ ଟ୍ୟାକ୍ସ ସମେତ ବିଭିନ୍ନ ରାଜସ୍ବ ଆଦାୟ ଓ ଅନ୍ୟ‌ାନ୍ୟ କାର୍ଯ୍ୟ ରହୁଥିବାରୁ ପୁଣି ରାତି ୯ରୁ ଫିଲ୍ଡରେ ବୁଲିବାକୁ ସେମାନେ ବିରୋଧ କରିଛନ୍ତି। ରାତିରେ ବୁଲିବା ମଧ୍ୟ ବିପଜ୍ଜନକ। କୌଣସି ଅଘଟଣ ଘଟିଲେ କିଏ ଦାୟୀ ରହିବ? କେଉଁ ପରିସ୍ଥିତିରେ ଅଧିକାରୀମାନେ ଏଭଳି ନିଷ୍ପତ୍ତି ନେଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର